ଆଦିବାସୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଚାରଭାଟିରେ ନିଶୁଳ୍କ ଶିକ୍ଷା କେନ୍ଦ୍ର ଉଦଘାଟିତ
ସମ୍ବଲପୁର, ୧୩।୧୦
ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୩୪ ନମ୍ବର ଓ୍ବାର୍ଡ ସ୍ଥିତ ଚାରଭାଟି ଠାରେ ଆଦିବାସୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଦ୍ବିତୀୟ ନିଶୁଳ୍କ ଶିକ୍ଷା କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଆଦିବାସୀ ଅଧ୍ୟୁଷିତ ଏହି ବସ୍ତୀରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର କରିବା ପାଇଁ ଆଦିବାସୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏହି ଶିକ୍ଷା କେନ୍ଦ୍ର କାର୍ଯ୍ୟ କରିବ। ଆଦିବାସୀ ଫାଉଣ୍ଡେସନ ଟ୍ରଷ୍ଟର ସଭାପତି ରାକ୍ଷୀ ମୁଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ସମ୍ବଲପୁର ସଦର ଏସଡିପିଓ ତୋଫାନ ବାଗ ଅତିଥି ଭାବେ ଯୋଗଦେଇ ଥିଲେ। ସେ ଉପସ୍ଥିତ ଅଭିଭାବକ ମାନଙ୍କୁ ପୁଅଝିଅଙ୍କୁ ନିଃଶୁଳ୍କ ଶିକ୍ଷା କେନ୍ଦ୍ର କୁ ନିୟମିତ ପଠାଇବା ପାଇଁ ଅନୁରୋଧ କରିଥିଲେ। ଏହାସହ ଚାରଭାଟି ଅଞ୍ଚଳରେ ବ୍ୟାପକ ବେଆଇନ ନିଶା କାରବାର ହେଉଥିବାବେଳେ ଶିକ୍ଷାର ପ୍ରସାର ସହ ସଚେତନତା ସୃଷ୍ଟି ହେଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଇଂ ସିଦ୍ଧାର୍ଥ ଦାସ ଏବଂ ଭାରତୀ ସମାଜ ର ସଂଚାଳକ ଭବାନୀଶ ଭୋଇ, ଦିନେଶ କୁମାର ସେଠ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।
ଉଦଘାଟନୀ କାର୍ଯ୍ୟକ୍ରମ କୁ ଆଦିବାସୀ ଫାଉଣ୍ଡେସନ ଟ୍ରଷ୍ଟର ସମ୍ପାଦକ ସହଦେବ ମୁଣ୍ଡା ପରିଚାଳନା କରିଥିଲେ। ବସ୍ତି ଅଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ଆଦିବାସୀ ଫାଉଣ୍ଡେସନ ଟ୍ରଷ୍ଟର ଚେଷ୍ଟା କୁ ଅତିଥି ମାନେ ପ୍ରଶଂସା କରିଥିଲେ। ସେହିପରି ଆଦିବାସୀ ସମାଜ ର ବିକାଶ ଟ୍ରଷ୍ଟ ପକ୍ଷରୁ ଆଗାମୀ ଦିନ ରେ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ପ୍ରତିଦିନ ସନ୍ଧ୍ୟାରେ ଦୁଇ ଘଣ୍ଟା ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିବା ପାଇଁ ଶିକ୍ଷୟିତ୍ରୀ ନିଯୁକ୍ତ କରାଯାଇଛି। ଆଜି ଉଦଘାଟନୀ ଉତ୍ସବରେ ଶିକ୍ଷା କେନ୍ଦ୍ର ର ଛାତ୍ର ଛାତ୍ରୀ ମାନଙ୍କୁ ଖାତା କଳମ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ଆୟୋଜନ ରେ ଶୁଭମ ମୁଣ୍ଡା, ରଜନୀ ମୁଣ୍ଡା, ସୁସ୍ମିତା ଓରାମ ପ୍ରମୁଖ ସହଯୋଗ କରିଥିଲେ। କେନ୍ଦ୍ର ଶିକ୍ଷୟିତ୍ରୀ କମଲିନୀ ଓରାମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
