ହୀରାକୁଦ ଜଳଭଣ୍ଡାରର ଘରୋଇ କରଣକୁ ଦୃଢ଼ ବିରୋଧ, ପ୍ରଥମେ ସୁରକ୍ଷା ଓ ବିସ୍ଥାପିତଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ ଦାବି ବିସ୍ଥାପିତଙ୍କ ବଳିଦାନକୁ କମ୍ପାନୀ ସ୍ବାର୍ଥରେ ଛାଡି ଦିଆଯିବନି
ସମ୍ବଲପୁର ୨୮/୧୧: ହୀରାକୁଦ ଜଳଭଣ୍ଡାର ଉପରେ କମ୍ପାନୀମାନଙ୍କ ଲୋଲୁପ ଦୃଷ୍ଟି ଏବଂ ଏହାର ଜଳ, ଜମି ଓ ପାରିପାର୍ଶ୍ୱିକ ଅଞ୍ଚଳର ଘରୋଇକରଣ ଉଦ୍ୟମକୁ ନେଇ ଆଜି ସମ୍ବଲପୁର ସାମ୍ବାଦିକ ଭବନଠାରେ ପ୍ରଗତିଶୀଳ ନାଗରିକ ମଞ୍ଚ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ହୀରାକୁଦ ଜଳଭଣ୍ଡାରର ଘରୋଇକରଣକୁ ଦୃଢ଼ ବିରୋଧ କରାଯିବା ସହ ଏହାର ସୁରକ୍ଷା, ବିସ୍ଥାପିତ ପରିବାରଙ୍କ ସ୍ୱାର୍ଥ ଓ ତଳମୁଣ୍ଡରେ ରହୁଥିବା ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ମତ ପ୍ରକାଶ ପାଇଥିଲା।ସରକାର ହୀରାକୁଦ ଡ୍ୟାମର ଜଳ, ଜମି, ପାରିପାର୍ଶ୍ୱିକ ଅଞ୍ଚଳ ଏବଂ ମହାନଦୀ ଶଯ୍ୟାରେ ପର୍ଯ୍ୟଟନ ବିକାଶ ସହ ବିଭିନ୍ନ ବ୍ୟବସାୟିକ ଓ ଶିଳ୍ପ ପ୍ରକଳ୍ପ, ଯଥା ଡାଟା ସେଣ୍ଟର ଓ ବିଳାସମୟ ଭାସମାନ ହୋଟେଲ ଆଦି ସ୍ଥାପନ ପାଇଁ ଯୋଜନା କରୁଥିବା ବେଳେ ପ୍ରଥମେ ହୀରାକୁଦ ଜଳଭଣ୍ଡାରର ସୁରକ୍ଷା ଓ ଏହାର ଭବିଷ୍ୟତ ପ୍ରଭାବର ସଠିକ୍ ଆକଳନ କରିବା ଆବଶ୍ୟକ ବୋଲି ସଭାରେ ମତ ପ୍ରକାଶ ପାଇଥିଲା। ଡ୍ୟାମ ର ପରିଚାଳନା ପାଇଁ ଉଦ୍ଦିଷ୍ଟ କର୍ମଚାରୀ ଅଭାବ ଥିବା ବେଳେ ଡ୍ୟାମ ର ସୁରକ୍ଷା ନେଇ ମଧ୍ୟ ଡ୍ୟାମ କତୃପକ୍ଷ ଅବହେଳାକୁ ମଧ୍ୟ ନିନ୍ଦା କରାଯାଇଥିଲା।ବରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ବସବାସ କରୁଥିବା ହୀରାକୁଦ ଡ୍ୟାମ ବିସ୍ଥାପିତ ପରିବାରଙ୍କ ସ୍ୱାର୍ଥ ଓ ସୁରକ୍ଷା ପ୍ରତି ସରକାର ପ୍ରଥମେ ଦୃଷ୍ଟି ଦେବା ଉଚିତ। ସେହିପରି ଡ୍ୟାମର ତଳମୁଣ୍ଡରେ ଅବସ୍ଥିତ ବୁର୍ଲା, ହୀରାକୁଦ, ସମ୍ବଲପୁର ସମେତ ମହାନଦୀ ତଟବର୍ତ୍ତୀ ଗ୍ରାମ ଓ ସହରଗୁଡ଼ିକର ସୁରକ୍ଷାକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ ବୋଲି ଆଲୋଚନାରେ ମତ ଦିଆଯାଇଥିଲା।ସଞ୍ଜିତ ମହାନ୍ତି ସଭା ପରିଚାଳନା କରି ବନ୍ୟା ନିୟନ୍ତ୍ରଣ, ପାନୀୟ ଜଳ ଯୋଗାଣ, ଜଳ ସେଚନ, ବିଦ୍ୟୁତ୍ ଉତ୍ପାଦନ, ମତ୍ସ୍ୟଜିବୀ ଙ୍କ ଜୀବିକା ପାଇଁ ଉଦ୍ଦିଷ୍ଟ ଏହି ଡ୍ୟାମ ଘରୋଇ କମ୍ପାନୀ ହାତରେ ଟେକି ଦୀୟଜିବନି ବୋଲି ପ୍ରକାଶ କରିଥିଲେ । ବିଶେଷ ଅତିଥି ଭାବେ ହୀରାକୁଦ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତିର ଗୋପୀ ମାଝୀ ଯୋଗଦେଇଥିଲେ। ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଯଶବନ୍ତ ପରିଡ଼ା ଓ ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ରବୀନ୍ଦ୍ର କୁମାର ପଣ୍ଡା ଯୋଗଦେଇ ଆଲୋଚନାରେ ନିଜର ମତ ରଖିଥିଲେ।ଏହି ସଭାରେ ବିଜୟ କୁମାର ମହାନ୍ତି, ଗୋକୁଳ ମେହେର, ଶିବ ଶଙ୍କର ନନ୍ଦ, ରାଧାକାନ୍ତ ବହିଦାର, ଅରୁଣ ଖୁଣ୍ଟିଆ, ଭି. ରାମା ରାଓ, ଲଳିତ ପଟ୍ଟନାୟକ, ଭକ୍ତ ପ୍ରସାଦ ନନ୍ଦ, ନରଟୁ ଗୋପାଳ, କବିତା ପୁରୋହିତ, ଅଶୋକ ପଟେଲ, ମହମ୍ମଦ ସାନୁଆଲ୍ଲା, ହେରମ୍ବ ଚନ୍ଦ୍ର ଦାନୀ, ବାଲ୍ମୀକି ନାୟକ, ମନଭଞ୍ଜନ ପଶାୟତ, ମହମ୍ମଦ ଅଜିମ ଅଜ୍ଜୁ, ପ୍ରଶାନ୍ତ ଥାପା, ଦୁଲାଲ ରାୟ, ସରୋଜ ସାହୁ, ସନ୍ଦୀପ ମହାନ୍ତି, ମହମ୍ମଦ ଜୁଲଫିକର ଭୁଟ୍ଟୋ, ତପନ କୁମାର ଗୁରୁ, ସୟଦ ହବିଉଲ୍ଲା, ପ୍ରଦୀପ ବାଗ, ସୁମିତ କୁମାର ପଟେଲ, ଦେବଜ୍ୟୋତି ପଟ୍ଟନାୟକ, ନିଖିଳ ବାବୁ, ସୁମନ୍ତ ବେହେରା, ସ୍ପନ୍ଦନ କୁମାର ନନ୍ଦ, ହରିପ୍ରିୟା ମାଝୀ, ରୁପେଶ ବାଗ ଓ ମହମ୍ମଦ ସଲିମଙ୍କ ସମେତ ବହୁ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ସଚେତନ ନାଗରିକ ଯୋଗଦେଇଥିଲେ।
