ମହିଳା ଓ ବାଳିକାଙ୍କ ସୁରକ୍ଷା ପାଇଁ ସମ୍ବଲପୁରରେ ୧୦ କୋଟିର ମହାଯୋଜନା
୯ଟି ପ୍ରମୁଖ ପଦକ୍ଷେପରେ ବଦଳିବ ସୁରକ୍ଷା ବ୍ୟବସ୍ଥା; ୮୦୦ ସିସିଟିଭି କ୍ୟାମେରା ସହ ଚାଲିବ ଗୋଲାପୀ ଇ-ରିକ୍ସା
ମହିଳା ପୋଲିସଙ୍କ ପାଟ୍ରୋଲିଂ, ଜରୁରୀକାଳୀନ ସହାୟତା କେନ୍ଦ୍ର ଓ ଛାତ୍ରୀଙ୍କ ଯାତାୟାତ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ
ସମ୍ବଲପୁର, ୧୩।୧୦:ମହିଳା ଓ ବାଳିକାଙ୍କ ପାଇଁ ସମ୍ବଲପୁର ସହରକୁ ଅଧିକ ସୁରକ୍ଷିତ, ସମାବେଶୀ ଓ ଭୟମୁକ୍ତ କରିବା ଦିଗରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସରକାରଙ୍କ ‘ନିର୍ଭୟା ପଦକ୍ଷେପ’ ଅଧୀନରେ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ସମ୍ବଲପୁର ସହରରେ ୯ଟି ପ୍ରମୁଖ ଯୋଜନା କାର୍ଯ୍ୟକାରୀ କରାଯିବ। ଏହା ଦ୍ୱାରା ମହିଳାଙ୍କ ସୁରକ୍ଷା, ଜରୁରୀକାଳୀନ ସହାୟତା, ଯାତାୟାତ, ସାର୍ବଜନୀନ ସ୍ଥାନରେ ସୁବିଧା ଓ ସାମାଜିକ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଶା କରାଯାଉଛି।
ଏହି ଯୋଜନାଗୁଡ଼ିକର ରୂପରେଖ ଓ କାର୍ଯ୍ୟକାରିତା ନେଇ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା। ଏଥିରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଓ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ଉପସ୍ଥିତ ଥିଲେ। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଭାସୀ ମାଧ୍ୟମରେ ଯୋଗଦେଇ ପ୍ରସ୍ତାବିତ ଯୋଜନାଗୁଡ଼ିକର ବିବରଣୀ ଉପସ୍ଥାପନ କରିଥିଲେ।
ପ୍ରସ୍ତାବିତ ଯୋଜନା ଅନୁଯାୟୀ, ମହିଳା ପୋଲିସ କର୍ମଚାରୀଙ୍କ ଦ୍ୱାରା ତ୍ୱରିତ ପାଟ୍ରୋଲିଂ ଓ ସହାୟତା ପାଇଁ ‘ସାରଥୀ’ ଯୋଜନାରେ ୧୫ଟି ଦୁଇଚକିଆ ଯାନ ନିୟୋଜିତ ହେବ। ଜରୁରୀକାଳୀନ ପରିସ୍ଥିତିରେ ତ୍ୱରିତ ପ୍ରତିକ୍ରିୟା ଓ ଉଦ୍ଧାର କାର୍ଯ୍ୟକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ‘ପ୍ରତିକ୍ରିୟା’ ଯୋଜନାରେ ୧୫ଟି ଜରୁରୀକାଳୀନ ଯାନ ସହ ଡ୍ରୋନ୍ ପ୍ରଯୁକ୍ତିର ବ୍ୟବହାର କରାଯିବ।ସହରର ଅପରାଧପ୍ରବଣ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ନଜର ରଖିବା ପାଇଁ ‘ଦୃଷ୍ଟି’ ଯୋଜନାରେ ୨୧୦ଟି ସ୍ଥାନରେ ୮୦୦ଟି ଆଧୁନିକ ସିସିଟିଭି କ୍ୟାମେରା ସ୍ଥାପନ କରାଯିବ। ଏହା ଦ୍ୱାରା ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ନଜର ରଖିବା ସହ ଅପରାଧ ନିୟନ୍ତ୍ରଣ ଓ ତଦନ୍ତରେ ସହାୟତା ମିଳିପାରିବ।
ମହିଳାମାନେ ଯେପରି ବିନା ଭୟରେ ନିଜର ଅଭିଯୋଗ ଜଣାଇପାରିବେ, ସେଥିପାଇଁ ‘ଏସ୍-ଷ୍ଟପ୍’ ଯୋଜନାରେ ସହରରେ ୫ଟି ସ୍ୱତନ୍ତ୍ର ପୋଲିସ ସହାୟତା କେନ୍ଦ୍ର ଖୋଲାଯିବ। ଏଠାରେ ଅଭିଯୋଗ ଶୁଣାଣି ସହ ଆବଶ୍ୟକ ସହାୟତା ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯିବ।
ସମ୍ବଲପୁର ସହରରେ ମହିଳାଙ୍କ ପାଇଁ ସୁରକ୍ଷିତ ଓ ସୁଲଭ ଯାତାୟାତ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ‘ସହଯାତ୍ରା’ ଯୋଜନାରେ ୪୦ଟି ଗୋଲାପୀ ରଙ୍ଗର ବିଦ୍ୟୁତ୍ଚାଳିତ ରିକ୍ସା ଚଳାଚଳ କରିବ। ଏହା ମହିଳାଙ୍କ ଦୈନନ୍ଦିନ ଯାତାୟାତକୁ ସହଜ କରିବା ସହ ସୁରକ୍ଷିତ ଯାତ୍ରାର ବିକଳ୍ପ ଯୋଗାଇଦେବାରେ ସହାୟକ ହେବ।ସେହିପରି, ଜିଲ୍ଲା ଅଦାଲତ ପରିସର, ସମ୍ବଲପୁର ରେଳ ଷ୍ଟେସନ, ବୁର୍ଲା ମେଡିକାଲ ପରିସର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ନିର୍ଭୟା ସଦନ’ ଯୋଜନାରେ ୪ଟି ଆଶ୍ରୟ ତଥା ସହାୟତା କେନ୍ଦ୍ର ସ୍ଥାପନ କରାଯିବ। ଜରୁରୀ ସମୟରେ ସହାୟତା ଆବଶ୍ୟକ କରୁଥିବା ମହିଳାଙ୍କ ପାଇଁ ଏହି କେନ୍ଦ୍ରଗୁଡ଼ିକ ଉପଯୋଗୀ ହେବ।
ସାର୍ବଜନୀନ ସ୍ଥାନରେ ମହିଳାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ‘ସାଥୀ’ ଯୋଜନାରେ ୬ଟି ଆଧୁନିକ ଶୌଚାଳୟ ଓ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ପାଇଁ ସ୍ୱତନ୍ତ୍ର କକ୍ଷ ନିର୍ମାଣ କରାଯିବ। ଏହା ଦ୍ୱାରା ମା’ମାନଙ୍କ ସମେତ ସାଧାରଣ ମହିଳାଙ୍କୁ ସାର୍ବଜନୀନ ସ୍ଥାନରେ ଅଧିକ ସୁବିଧା ମିଳିବ।ବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନକୁ ଯାତାୟାତ କରୁଥିବା ଛାତ୍ରୀଙ୍କ ସୁରକ୍ଷା ଉପରେ ମଧ୍ୟ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି। ‘ଯାତ୍ରା’ ଯୋଜନାରେ ୫୦ଟି ଶିକ୍ଷାନୁଷ୍ଠାନର ବସ୍ରେ ତତ୍କ୍ଷଣାତ୍ ଅବସ୍ଥିତି ଜାଣିବା ପାଇଁ ଜିପିଏସ୍ ଆଧାରିତ ନିରୀକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ। ଏହା ଦ୍ୱାରା ବସ୍ଗୁଡ଼ିକର ଅବସ୍ଥିତି ସମ୍ପର୍କରେ ସୂଚନା ମିଳିବା ସହ ଛାତ୍ରୀଙ୍କ ଯାତାୟାତକୁ ଅଧିକ ସୁରକ୍ଷିତ କରିବାରେ ସହାୟତା ମିଳିବ।
ଏଥିସହ ‘ସଚେତନା’ ଯୋଜନାରେ ଆତ୍ମରକ୍ଷା ପ୍ରଶିକ୍ଷଣ, ସ୍ୱାସ୍ଥ୍ୟ ଶିକ୍ଷା ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ମହିଳା ଓ ବାଳିକାଙ୍କୁ ନିଜର ଅଧିକାର, ସୁରକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରିବା ସହ ଆତ୍ମବିଶ୍ୱାସ ବୃଦ୍ଧି ଉପରେ ଏହି ଯୋଜନାରେ ଗୁରୁତ୍ୱ ଦିଆଯିବ।
ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ ଯେ, ମହିଳାଙ୍କ ସୁରକ୍ଷା କେବଳ ପୋଲିସ ବ୍ୟବସ୍ଥାକୁ ସୁଦୃଢ଼ କରିଦେଲେ ସମ୍ଭବ ନୁହେଁ। ଏଥିପାଇଁ ସାମାଜିକ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ। ବିଶେଷକରି କିଶୋର ବାଳକମାନଙ୍କୁ ସାମିଲ କରି ଲିଙ୍ଗଗତ ସମ୍ବେଦନଶୀଳତା, ମହିଳାଙ୍କ ପ୍ରତି ସମ୍ମାନଜନକ ଆଚରଣ ଓ ସମାନତାର ମୂଲ୍ୟବୋଧ ସମ୍ପର୍କରେ ସଚେତନ କରିବା ଦରକାର।ଯୋଜନାଗୁଡ଼ିକର ସଫଳ ରୂପାୟନ ପାଇଁ ପୋଲିସ, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିରେ ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍, ଗଣଶିକ୍ଷା ସଚିବ ଡା. ଏନ୍. ତିରୁମାଲା ନାଏକ ଓ ମହିଳା ଓ ଶିଶୁ ବିକାଶ ସଚିବ ଡ. ମୃଣାଳିନୀ ଦର୍ସୱାଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।
ସମ୍ବଲପୁର ସହରରେ ଏହି ଯୋଜନାଗୁଡ଼ିକର ସଫଳ ରୂପାୟନ ହେଲେ ମହିଳା ଓ ବାଳିକାଙ୍କ ପାଇଁ ଅଧିକ ସୁରକ୍ଷିତ ପରିବେଶ ସୃଷ୍ଟି ହେବା ସହ ସାର୍ବଜନୀନ ସ୍ଥାନରେ ସେମାନଙ୍କ ନିରାପଦ ଯାତାୟାତ, ସହାୟତା ପ୍ରାପ୍ତି ଓ ମୁକ୍ତ ଭାବେ ଚଳପ୍ରଚଳ କରିବାର ସୁଯୋଗ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏବେ ଏହି ଯୋଜନାଗୁଡ଼ିକର ସମୟୋଚିତ କାର୍ଯ୍ୟକାରିତା ଓ ତୃଣମୂଳ ସ୍ତରରେ ପ୍ରଭାବୀ ରୂପାୟନ ହିଁ ମୁଖ୍ୟ ଗୁରୁତ୍ୱ ବହନ କରୁଛି।
