କୃଷକ ମଞ୍ଚ ଦ୍ୱାରା ୧୯ ରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ନେଇ ଚେତାବନି ଦିଆଯାଇଛି।

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା,ଧର୍ମଗଡ଼ ଉପଖଣ୍ଡର ଧର୍ମଗଡ଼, କୋକସରା ଓ ଜୟପାଟଣା ବ୍ଲକର ମୋଟ ୫୬,୬୪O ଜଣ ଚାଷୀ ରବି ଧାନ ଚାଷ କରିଥିବାବେଳେ, ସେଥିମଧ୍ୟରୁ ଇନ୍ଦ୍ରାବତୀ ମେଗାଲିଫ୍ଟ ଜରିଆରେ ଜଳ ସେଚନ ଦ୍ୱାରା ଉକ୍ତ ୩ ଟି ବ୍ଲକର ୭୬ ଟି ଗାଁର ୧୮,୮୫୫ ହେକ୍ଟର ଜମିରେ ମୋଟ ୧୫OOO ଜଣ ଚାଷୀ ରବି ଧାନ ଚାଷ କରିଛନ୍ତି। ଏହି ରବି ଧାନ ବିକ୍ରି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପି -ପାସ ପଞ୍ଜିକରଣ ପାଇଁ ମାର୍ଚ୍ଚ ୧O ରୁ ୨୫ ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହି ଅବଧି ମଧ୍ୟରେ ୩ ଟି ବ୍ଲକର ୧୫OOO ମେଗାଲିଫ୍ଟ ଚାଷୀଙ୍କ ଧାନ ବିକ୍ରି ପାଇଁ ପଞ୍ଜିକରଣ ହୋଇପାରିନାହିଁ। ତେଣୁ ଏହି ସମସ୍ୟାର ସମାଧାନ ନେଇ ଜିଲ୍ଲାର ଜନ ପ୍ରତିନିଧି ଏବଂ ଚାଷୀ ପ୍ରତିନିଧିଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ, ରାଜ୍ୟ ଡେପୁଟି ସଚିବ ତଥା ଜିଲ୍ଲା ପ୍ରଶାସନଙ୍କୁ ଦାବି ପତ୍ର ପ୍ରଦାନ ସତ୍ତ୍ୱେ, ପ୍ରଶାସନର ନିରବତା ନେଇ ଚାଷୀଭାଇ ଅସନ୍ତୋଷ ଥିବାବେଳେ, ସୂଚନା ଅନୁଯାୟୀ, ଲାଞ୍ଜିଗଡ଼ ବିଧାୟକ, ରାଜ୍ୟ ସରକାରଙ୍କୁ ଦେଇଥିବା ଦାବି ପତ୍ରର ପ୍ରତିଉତ୍ତରରେ ରାଜ୍ୟ ଡେପୁଟି ସଚିବଙ୍କ କାର୍ଯ୍ୟାଳୟରୁ ଆସିଥିବା ପତ୍ର ଅନୁଯାୟୀ, ମେଗାଲିଫ୍ଟ ଚାଷୀଙ୍କର ଅନଲାଇନରେ କୌଣସି ତଥ୍ୟ ନଥିବା ଯୋଗୁଁ, ସେମାନେ ପଞ୍ଜିକରଣରୁ ବାଦ ପଡିଛନ୍ତି। ଏହି ଖବର ଜଣାପଡିବା ପରେ ମେଗାଲିଫ୍ଟ ଅଞ୍ଚଳର ଚାଷୀ ପ୍ରବଳ ଅସନ୍ତୋଷ ହେବାସହ ଏହାର ପ୍ରତିବାଦରେ କୃଷକ ମଞ୍ଚ ସଭାପତି ଶ୍ରୀ ପୁରୁଷୋତ୍ତମ ଗୁପ୍ତା ଓ ଆବାହକ ଶ୍ରୀ ରାଜିବ ଅଗ୍ରୱାଲଙ୍କ ନେତୃତ୍ୱରେ ଗତ ସାତ ତାରିଖ ଦିନ କୋକସରା ଠାରେ ଜାତୀୟ ରାଜପଥ ଅବରୋଧ କରିଥିଲେ ଏବଂ ଏହାପରେ ପଞ୍ଜିକରଣ ଦାବିନେଇ ଗଣଧାରଣାରେ ବସିଥିଲେ। ଏହି ଗଣଧାରଣାରେ ଡ଼ାଲଗୁମା ସରପଞ୍ଚ ଯୋଗେନ୍ଦ୍ର ପଟ୍ଟନାୟକ, ମୂଷାପାଲି ସରପଞ୍ଚ ଅକ୍ଷୟ ନାଏକ, ଚାଷୀନେତା ସୁନୀଲ ଚନ୍ଦ୍ର ଦୁରିଆ, ବିଜେଡି ନେତା ଧବଳେଶ୍ୱର ନାଗ, ମାନସରଞ୍ଜନ ବାଗ, କଂଗ୍ରେସ ନେତା ନିମାଇଁ ଚରଣ ଧଙ୍ଗଡ଼ାମାଝୀ, ମଣିଜର ପୋଢ଼, ତ୍ରିଭୁବନ ନାଏକ, ଦେବେନ୍ଦ୍ର ପଣ୍ଡା, ଅନୁପ ପଣ୍ଡା ପ୍ରମୁଖ ତଥା ଶତାଧିକ ଚାଷୀ ଭାଇ ମାନେ ସାମିଲ ହୋଇଥିବାବେଳେ, ଏହି ଆନ୍ଦୋଳନର ଚତୁର୍ଥ ଦିନ ଆନ୍ଦୋଳନକୁ ସମର୍ଥନ ଯୋଗାଇ ପୂର୍ବତନ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, କୋରାପୁଟ ଜିଲ୍ଲା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ତଥା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଏହି ଆନ୍ଦୋଳନରେ ସାମିଲ ହେବାସହ, ଚାଷୀ ଓ ଜନ ପ୍ରତିନିଧିଙ୍କ ବାରମ୍ବାର ଦାବି କରିବା ଓ ଗଣଧାରଣାରେ ବସିବା ପରେ ମଧ୍ୟ ଯଦି ସରକାର ଆସନ୍ତା ୧୮ ତାରିଖ ସୁଦ୍ଧା ଦୃଢ଼ ପଦକ୍ଷେପ ନେଇ ଏହି ସମସ୍ୟାର ସମାଧାନ ନକରନ୍ତି, ତାହାହେଲେ ୧୯ ତାରିଖରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ୟାଳୟ ଘେରାଉ କରାଯିବା ନେଇ କୃଷକ ମଞ୍ଚ ତରଫରୁ ଚେତାବନି ଦିଆଯାଇଛି।
