ଗୋଡଭଗା ପିଏମ ଶ୍ରୀ ବିଦ୍ୟାଳୟ ଶିକ୍ଷୟିତ୍ରୀଙ୍କ ଡେପୁଟେସନ ବାତିଲ ପାଇଁ ବିଧାୟକଙ୍କୁ ଏସଏମସିର ନିବେଦନ
ବରଗଡ , ୧୧/୧୦ (ସୁରେନ୍ଦ୍ର କଠାର): ଗୋଡଭଗା କ୍ୟାମ୍ପ ସ୍ଥିତ ପିଏମ ଶ୍ରୀ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀ ଶ୍ରୀମତୀ ମିଲି ଦାସଙ୍କ ଡେପୁଟେସନ ଆଦେଶ ବାତିଲ କରିବା ପାଇଁ ସ୍କୁଲ ପରିଚାଳନା କମିଟି (SMC) ପକ୍ଷରୁ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କୁ ସାକ୍ଷାତକରି ଲିଖିତ ଅନୁରୋଧ କରାଯାଇଛି। ପ୍ରକାଶ ଯୋଗ୍ୟ ଯେ, ଜିଲ୍ଲା ଶିକ୍ଷା ଅଧିକାରୀ, ବରଗଡଙ୍କ ପତ୍ର ନଂ ୮୪୯୩, ତା ୦୬.୧୦.୨୦୨୬ ଅନୁଯାୟୀ ଶ୍ରୀମତୀ ଦାସଙ୍କୁ ସପ୍ତାହରେ ୩ ଦିନ (ଗୁରୁ, ଶୁକ୍ର, ଶନି) ଲହଣ୍ଡା ହାଇସ୍କୁଲକୁ ଡେପୁଟେସନରେ ପଠାଯିବାକୁ ନିର୍ଦ୍ଦେଶ ରହିଛି।
ଏହି ଆଦେଶ ପରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ କୈଳାସ ମହାରଣା ଓ ସଦସ୍ୟ ନଳିନୀ ସୁନା, ଡଲି ପ୍ରଧାନ, ଅଞ୍ଜଳି ଭୁଏ, ସାବିତ୍ରୀ ବେସନ, ସୌଭାଗିନୀ ପ୍ରଧାନ, ହିମାଦ୍ରୀ ପ୍ରଧାନ, ସନ୍ତୋଷ ନରିଆ ପ୍ରମୁଖ ସ୍ୱାକ୍ଷର କରି ଦାବି କରିଛନ୍ତି ଯେ, ଶ୍ରୀମତୀ ମିଲି ଦାସ ଜଣେ ନିଷ୍ଠାବାନ ଓ ଛାତ୍ରଛାତ୍ରୀପ୍ରିୟ ଶିକ୍ଷୟିତ୍ରୀ ଅଟନ୍ତି। ଦୀର୍ଘଦିନ ଧରି ଏହି ବିଦ୍ୟାଳୟରେ ସେ ସଂସ୍କୃତ ସହ ଅନ୍ୟାନ୍ୟ ବିଷୟ ମଧ୍ୟ ସୂଚାରୁରୂପେ ପଢାଇଆସୁଛନ୍ତି। ସପ୍ତାହରେ ୩ ଦିନ ଅନୁପସ୍ଥିତ ରହିଲେ ପିଏମ ଶ୍ରୀ ଭଳି ପ୍ରତିଷ୍ଠିତ ଅନୁଷ୍ଠାନର ପାଠପଢା ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ବିଦ୍ୟାଳୟ ପରିଚାଳନା କମିଟି ସହ କୌଣସି ଆଲୋଚନା ନକରି ଏପରି ଆଦେଶ ଦିଆଯାଇଥିବାରୁ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେଣୁ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶ୍ରୀମତୀ ଦାସଙ୍କ ଡେପୁଟେସନ ଆଦେଶକୁ ବାତିଲ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମାନ୍ୟବର ବିଧାୟକଙ୍କୁ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ଅନୁରୋଧ କରାଯାଇଛି।
