October 11, 2026

ବାଲ୍ୟବିବାହକୁ ‘ନା’ କହିବା ସହ ବାଳିକାଙ୍କ ଅଧିକାର ପାଇଁ ଶପଥ ଆନ୍ତର୍ଜାତୀୟ ବାଳିକା ଦିବସରେ ସମ୍ବଲପୁରରେ ସଚେତନତା ରାଲି ଓ ସଭା

IMG-20261011-WA0022
Share

 

 

ସମ୍ବଲପୁର, ୧୧।୧୦: ଆନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ‘ବାଲ୍ୟବିବାହର ଅନ୍ତ ଓ ବାଳିକାଙ୍କ ଅଧିକାରରେ ବିନିଯୋଗ’ ବାର୍ତ୍ତା ନେଇ ରବିବାର ସମ୍ବଲପୁରରେ ଏକ ସଚେତନତା ରାଲି ଓ ସଭା ଅନୁଷ୍ଠିତ ହୋଇଥିଲା। ଜୁଭେନାଇଲ ଜଷ୍ଟିସ୍ ଆଉଟ୍‌ରିଚ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ସମ୍ବଲପୁର ପୁଲିସ ପକ୍ଷରୁ ତପସ୍ୱିନୀ ହଲ୍‌ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଳିକାଙ୍କ ଅଧିକାର ସୁରକ୍ଷା, ବାଲ୍ୟବିବାହ ନିରାକରଣ ଓ ସମାଜରେ ବାଳକମାନଙ୍କ ଦାୟିତ୍ୱ ଉପରେ ଗୁରୁତ୍ୱ ଦିଆଯାଇଥିଲା।

 

ସକାଳ ୯ଟା ୩୦ରେ ରିଜର୍ଭ ପୁଲିସ ପଡ଼ିଆରୁ ଏକ ସଚେତନତା ରାଲି ବାହାରି ଫେୟାର ଷ୍ଟେସନ, ଲକ୍ଷ୍ମୀ ଟକିଜ୍, ଜିଲ୍ଲା ସ୍କୁଲ ରୋଡ୍, ପବ୍ଲିକ୍ ଲାଇବ୍ରେରୀ ଓ ପାନ୍ଥନିବାସ ଦେଇ ତପସ୍ୱିନୀ ହଲ୍‌ରେ ପହଞ୍ଚିଥିଲା। ରାଲିରେ ବାଲ୍ୟବିବାହ ବିରୋଧୀ ଓ ବାଳିକାଙ୍କ ଅଧିକାର ସପକ୍ଷରେ ସଚେତନତା ବାର୍ତ୍ତା ଦିଆଯାଇଥିଲା।

 

ସଭାରେ ଡିଏସ୍‌ପି ତାରାବତୀ ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଶିଶୁ ମଙ୍ଗଳ ସମିତିର ସଦସ୍ୟ ଡା. ରାଜାରାମ ଷଡ଼ଙ୍ଗୀ ବାଳିକାଙ୍କ ପ୍ରତି ବାଳକମାନଙ୍କ ସାମାଜିକ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ବାଳିକାଙ୍କୁ ସମ୍ମାନ ଦେବା, ସେମାନଙ୍କ ସ୍ୱାଧୀନତା ଓ ଅଧିକାରକୁ ସ୍ୱୀକୃତି ଦେବା ସହ ଲିଙ୍ଗଗତ ଭେଦଭାବ ଦୂର କରିବାରେ ବାଳକମାନେ ସକାରାତ୍ମକ ଭୂମିକା ନିର୍ବାହ କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।

 

ଏଡ୍‌ଏଟ୍‌ ଆକ୍ସନ ଓ ୟୁନିସେଫ୍‌ର ଜିଲ୍ଲା ସଂଯୋଜିକା ସୁନିତା ତ୍ରିପାଠୀ ବାଳକମାନଙ୍କ ସହଯୋଗରେ ବାଳିକାଙ୍କ ଅଧିକାର ସୁନିଶ୍ଚିତ କରିବା ଉପରେ ମତ ରଖିଥିଲେ। ନଗର ସିଡିପିଓ ମିନତୀ ପାଣିଗ୍ରାହୀ ବାଲ୍ୟବିବାହକୁ ନା କହିବା ସହ ଏହାର ନିରାକରଣ ପାଇଁ ରହିଥିବା ଆଇନଗତ ବ୍ୟବସ୍ଥା ସମ୍ପର୍କରେ ବୁଝାଇଥିଲେ। ସମଗ୍ର ଶିକ୍ଷାର ବାଳିକା ଶିକ୍ଷା ସଂଯୋଜକ ଅବିନାଶ ସାହୁ ଆନ୍ତର୍ଜାତୀୟ ବାଳିକା ଦିବସର ଗୁରୁତ୍ୱ ଓ ବାଳିକା ଶିକ୍ଷାର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ।

 

ସମ୍ବଲପୁରର ଅଦ୍ୱିକା ଲିଡର ହରିଓମ ମାଝୀ ନିଜ ଅଭିଜ୍ଞତା ବାଣ୍ଟିବା ସହ ପ୍ରତ୍ୟେକ ବାଳିକାଙ୍କ ପ୍ରତି ନିଜ ଭଉଣୀ ପରି ସମ୍ମାନ ଓ ସମ୍ବେଦନଶୀଳତାର ଭାବ ରଖିବାକୁ ବାଳକମାନଙ୍କୁ ଆହ୍ୱାନ ଦେଇଥିଲେ।

 

ସଭା ଶେଷରେ ଉପସ୍ଥିତ ସମସ୍ତେ ବାଲ୍ୟବିବାହ ରୋକିବା, ବାଳିକାଙ୍କ ଶିକ୍ଷା ଓ ଅଧିକାରର ସୁରକ୍ଷା କରିବା ଏବଂ ସମାନତାଭିତ୍ତିକ ସମାଜ ଗଠନ ପାଇଁ ଶପଥ ନେଇଥିଲେ। ଶେଷରେ ଡିଏସ୍‌ପି ତାରାବତୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

You may have missed