ପ୍ରଗତି ପଥେ ଓ୍ବାର୍ଡ ନଂ-୭ , ବସଷ୍ଟପ୍ ପ୍ରତୀକ୍ଷାଳୟ ଓ ଆଲୋକୀକରଣ ବ୍ଯବସ୍ଥା ଉଦଘାଟିତ, ଘରଟିଏ-ଗଛଟିଏ କାର୍ଯ୍ୟକ୍ରମ
ପ୍ରଗତି ପଥେ ଓ୍ବାର୍ଡ ନଂ-୭ , ବସଷ୍ଟପ୍ ପ୍ରତୀକ୍ଷାଳୟ ଓ ଆଲୋକୀକରଣ ବ୍ଯବସ୍ଥା ଉଦଘାଟିତ, ଘରଟିଏ-ଗଛଟିଏ କାର୍ଯ୍ୟକ୍ରମ
ବୁଗୁଡ଼ା : ତା ୧୦/୦୮/୨୩ : ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ ନଂ-୭ ଅନ୍ତର୍ଗତ ଟୁଣୁଟୁଣିଆ ସାହିକୁ ସ୍ମାର୍ଟ ଷ୍ଟ୍ରିଟରେ ପରିଣତ କରିବା ପରିକଳ୍ପନାକୁ ଆଧାର କରି ସାହି ଛକରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଉପକୃତାର୍ଥେ ନିର୍ମିତ ବସଷ୍ଟପ୍ ପ୍ରତୀକ୍ଷାଳୟ ଏବଂ ସୋଲାର ଆଲୋକୀକରଣ ବ୍ଯବସ୍ଥାକୁ ଉଦଘାଟନ ସହ ବୃକ୍ଷ ରୋପଣ ମାଧ୍ୟମରେ ଘରଟିଏ-ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ମୁକ୍ତା ଯୋଜନାର ସଫଳ ରୂପାୟନ ନିମନ୍ତେ ଉଦ୍ୟମରତ ଯୁବ କାଉନସିଲର ଆଶୁତୋଷ ବଢେଇଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ବସଷ୍ଟପ୍ ପ୍ରତୀକ୍ଷାଳୟ ଏବଂ ଆଲୋକୀକରଣ ବ୍ଯବସ୍ଥାକୁ ଉଦଘାଟନ କରିବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ , କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାସ, ସାହି ସଭାପତି ସନ୍ତୋଷ କୁମାର ପଣ୍ଡା, ବିଜେଡି ନଗର ସଭାପତି କେ.ତ୍ରିଲୋଚନ ଦୋରା ଓ ଜିଲ୍ଲା ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ,ସମ୍ପାଦକ ମନୋରଞ୍ଜନ ଦାଶ ଏବଂ ବିଭିନ୍ନ ଓ୍ବାର୍ଡର କାଉନସିଲରମାନେ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟରେ ଅଂଶ ଗ୍ରହଣ କରିଥିବା ବେଳେ ସାହିବାସିନ୍ଦା ମଧ୍ୟ ଏଥିରେ ସାମିଲ୍ ରହିଥିଲେ । ପ୍ରକାଶ ଯୋଗ୍ୟ ଯେ , ପୂର୍ବରୁ ଓ୍ବାର୍ଡ ନଂ-୭ ଅନ୍ତର୍ଗତ ମୁଖ୍ୟ ସଡକ କଡରେ ବୁଗୁଡ଼ା ସହରର ପ୍ରଥମ ସ୍ମାର୍ଟ ପରିସ୍ରାଗାର ପ୍ରତିଷ୍ଠା କରି ଚର୍ଚ୍ଚିତ ହୋଇଥିବା ସମ୍ପୃକ୍ତ କାଉନସିଲରଙ୍କ ଉଦ୍ଯମ କ୍ରମେ ଏବେ ପୁଣି ସ୍ମାର୍ଟ ଷ୍ଟ୍ରିଟ୍ ପରିକଳ୍ପନାକୁ ସାକାର କରିବାକୁ ଯାଇ ବସଷ୍ଟପ୍ ପ୍ରତୀକ୍ଷାଳୟ ସ୍ଥାପନ ସାଙ୍ଗକୁ ସୋଲାର ଆଲୋକୀକରଣ ବ୍ଯବସ୍ଥା ଏବଂ ଘରଟିଏ-ଗଛଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ଯେକ ଘର ସମ୍ମୁଖରେ ବୃକ୍ଷ ରୋପଣ ଭଳି ମହତ କର୍ମକୁ ପ୍ରାଧାନ୍ୟ ଦେଇ ନିଜ ଓ୍ବାର୍ଡର ପ୍ରଗତି ପଥକୁ ପ୍ରଶସ୍ତ କରି ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସିତ ହୋଇଥିବା ବେଳେ ଏହା ଅନ୍ୟ ଜନପ୍ରତିନିଧିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ବୋଲି ସାଧାରଣରେ ଆଲୋଚନା ହେଉଛି । ତେବେ ସେହି ୭ ନମ୍ବର ଓ୍ବାର୍ଡର ଅନ୍ଧାରିଆ ସାହି , ସୋମନାଥ ନଗର, ନୂଆଁ ସାହି , ଇରିଗେସନ କଲୋନୀ, ମଦନ ମୋହନ ଛକଠାରୁ ବ୍ଲକ ଛକର ଦକ୍ଷିଣ ପାର୍ଶ୍ଵ ଓ ପୋଲସରା ରୋଡ ସାହିରେ ମଧ୍ୟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଇ ସ୍ମାର୍ଟ ଓ୍ବାର୍ଡର ପରିଚୟ ସୃଷ୍ଟି କରାଯିବାର ଯୋଜନା ରହିଛି ବୋଲି ସମ୍ପୃକ୍ତ ଓ୍ବାର୍ଡର କାଉନସିଲରଙ୍କଠାରୁ ପ୍ରକାଶ ପାଇଛି ।