April 28, 2026

ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ..

IMG-20260309-WA0092
Share

 

(ଭୁବନେଶ୍ୱର ରୁ କଟକ କୁ ଉଡ଼ିଲେ ବାର୍ତ୍ତାବାହୀ ପାରା,

ଆଧୁନିକ ଯୋଗା ଯୋଗ ଦୁନିଆରେ ଦେଖିବାକୁ ମିଳିଲା ପୁରାତନ ପରମ୍ପରାର ଝଲକ)

 

ଭୁବନେଶ୍ୱର(ଅଜିତ ଦାଶ)ଭୁବନେଶ୍ୱର ସ୍ଥିତ ୟୁନିଟ୍–୩, ଇଡିକୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି।ଏହି ଅବସରରେ ଭୁବନେଶ୍ୱର ରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି।ଏହି ପାରା ମାନେ ନିଜ ଗୋଡ଼ରେ ବନ୍ଧା ଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି।

ଏହି ବେଲଜିୟମ ହୋମର ପାରାମାନଙ୍କର ଶାରୀରିକ ଗଠନ ସ୍ୱତନ୍ତ୍ର।ସେମାନଙ୍କ ଥଣ୍ଟରେ ଥିବା ଏକ ପ୍ରାକୃତିକ ଲୌହ ସଂରଚନା ଥାଏ।ଯାହା ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ ଏବଂ ପ୍ରାକୃତିକ ଦିଗବାରେଣୀ ଯନ୍ତ୍ର ଭଳି କାମ କରେ।ଏହି ଭଳି ସ୍ଵତନ୍ତ୍ର ଶାରୀରିକ ଗଠନ କାରଣରୁ ପାରା ମାନେ ମାଇଲ ମାଇଲ ଦୂରରୁ ମଧ୍ୟ ସେମାନଙ୍କ ଲକ୍ଷ୍ୟସ୍ଥଳ ସଠିକ ଭାବେ ଖୋଜି ପାଇଥାନ୍ତି।

ଓଡ଼ିଶା ପୋଲିସ ଏହି ପରମ୍ପରାକୁ ୧୯୪୬ ମସିହାରେ ଆରମ୍ଭ କରିଥିଲେ।ଆମେରିକୀୟ ସେନାଙ୍କ ଠାରୁ ୨୦୦ ଟି ପାରା ଗ୍ରହଣ କରି ଆରମ୍ଭ କରିଥିଲେ।ପ୍ରଥମେ କୋରାପୁଟ ଜିଲ୍ଲାର ପାର୍ବତ୍ୟାଞ୍ଚଳରେ ପରୀକ୍ଷା ମୂଳକ ଭାବେ ଏହି ଯୋଗା ଯୋଗ ଆରମ୍ଭ ହୋଇଥିଲା,ଯାହା ପରବର୍ତ୍ତୀ ସମୟରେ ୭୦୦ ରୁ ଅଧିକ ପାରାଙ୍କୁ ନେଇ ଏକ ବଡ଼ ନେଟୱାର୍କରେ ପରିଣତ ହୋଇଥିଲା।୧୯୮୨ ର ବାଙ୍କୀ ବନ୍ୟା ଏବଂ ୧୯୯୯ ର ମହାବାତ୍ୟା ସମୟରେ ଯେତେବେଳେ ଆଧୁନିକ ରେଡିଓ ଓ ଟେଲିଫୋନ୍ ସେବା ବିଚ୍ଛିନ୍ନ ହୋଇଯାଇଥିଲା,ସେତେବେଳେ ଏହି ‘ପାରା ଡାକ’ ହିଁ ବାହ୍ୟ ଜଗତ ସହ ଯୋଗାଯୋଗର ଏକମାତ୍ର ମାଧ୍ୟମ ସାଜିଥିଲା।

ପ୍ରଦର୍ଶନୀରୁ ଜଣାଯାଇଛି ଯେ, ୧୯୪୮ ମସିହା ଏପ୍ରିଲରେ ପଣ୍ଡିତ ଜବାହରଲାଲ ନେହେରୁ ସମ୍ବଲପୁର ରୁ କଟକକୁ ଏକ ଚିଠି ପଠାଇଥିଲେ।ନେହେରୁଙ୍କ କାର କଟକ ପହଞ୍ଚିବାକୁ ୭ ଘଣ୍ଟା ଲାଗିଥିବା ବେଳେ ଏହି ଡେଣାଧାରୀ ଦୂତ ମାତ୍ର ୫ ଘଣ୍ଟାରେ ବାର୍ତ୍ତା ପହଞ୍ଚାଇ ଦେଇଥିଲେ।ଏହି ପାରାମାନେ ଘଣ୍ଟାପ୍ରତି ପ୍ରାୟ ୫୫ କିଲୋମିଟର ବେଗରେ ଉଡ଼ିପାରନ୍ତି।

ଆଜିର ଇ-ମେଲ୍ ଯୁଗରେ ମଧ୍ୟ ଓଡ଼ିଶା ସରକାର ଏହି ୭୦ ବର୍ଷର ପରମ୍ପରାକୁ ଏକ ମଧୁର ପୁରାତନ ସ୍ମୃତି ଭାବେ ବଞ୍ଚାଇ ରଖିଛନ୍ତି। ବର୍ତ୍ତମାନ କଟକ ଏବଂ ଅନୁଗୁଳ ପୋଲିସ ପ୍ରଶିକ୍ଷଣ କେନ୍ଦ୍ରରେ ଏହି ପାରା ମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି।ଷ୍ଟାଟିକ (ଏକମୁଖୀ), ବୁମେରାଙ୍ଗ(ଦୁଇମୁଖୀ)ଏବଂ ମୋବାଇଲ୍ ସେବା ଭଳି ତିନୋଟି ଶ୍ରେଣୀରେ ଏହି ସେବା କାର୍ଯ୍ୟ କରୁଛି।ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ସାହସିକତା ପାଇଁ ପଦକ ପାଇଥିବା ୩୨ଟି ପାରା ଏବଂ ଓଡ଼ିଶାର ବିପତ୍ତି ସମୟରେ ସହାୟକ ହୋଇଥିବା ହଜାର ହଜାର ପାରାଙ୍କ ପ୍ରତି ଏହା ଓଡ଼ିଶା ପୋଲିସ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।