ପାହାଡ଼ ଧସେଇ ରାସ୍ତା ଜାମ,ଲୋକେ ହନ୍ତସନ୍ତ

IMG-20251009-WA0062
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଗତ ୩ ତାରିଖ ଦିନ ଭବାନୀପାଟଣା ଠାରୁ ପ୍ରାୟ ୨୫ କି.ମି ଦୂର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କରଲାପାଟ ଅଭୟାରଣ୍ୟ ମଧ୍ୟରେ ଥିବା କିଆପଦର ପଞ୍ଚାୟତସ୍ଥ ଏକ ପାହାଡ଼ ଧସେଇ ଯିବାରୁ ପାହାଡ଼ ତଳେ ଥିବା ରାସ୍ତା ସମ୍ପୂର୍ଣ ଜାମ ହୋଇଯାଇଛି। ଏନେଇ କିଆପଦର ଗ୍ରାମର, କଳାହାଣ୍ଡି ନାଗରିକ ବିକାଶ ସଂଘର କର୍ମକର୍ତ୍ତା ଶ୍ରୀ ଯୋଗେଶ୍ୱର ନାଏକ କହିଛନ୍ତି ଯେ’, ଗତ ୧,୨ ଓ ୩ ତାରିଖରେ ଏହି ଅଞ୍ଚଳରେ ଭୀଷଣରୁ ଅତି ଭୀଷଣ ବର୍ଷା ହେବାଯୋଗୁଁ, ଭବାନୀପାଟଣା ଠାରୁ ଥୁ. ରାମପୁରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରୁ କିଆପଦରକୁ ଯାଇଥିବା ଗ୍ରାମ ପଞ୍ଚାୟତ ରାସ୍ତାକୁ ଲାଗି ରହିଥିବା ଏକ ପାହାଡ଼ରୁ କିଛି କିଛି ଅଂଶ ଧସେଇ ଯିବାରୁ ବଡ ବଡ଼ ପଥର, ମାଟି ଓ ବଡ଼ ବଡ଼ ଗଛ ଗୁଡିକ ପଡି ରାସ୍ତାଟି ସମ୍ପୂର୍ଣ ଜାମ ହୋଇଯାଇଥିବାବେଳେ, ଏହି ରାସ୍ତା ଉପରେ କିଆପଦର ପଞ୍ଚାୟତର ପ୍ରାୟ ୬, ୭ ଖଣ୍ଡ ଗ୍ରାମର ଶହ ଶହ ଲୋକେ ଏହି ରାସ୍ତା ଉପରେ ନିର୍ଭରଶିଳ ଥିବାବେଳେ, ବର୍ତମାନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାଛଡା ଭବାନୀପାଟଣା ଠାରୁ କିଆପଦର ପର୍ଯ୍ୟନ୍ତ ଗୋଟିଏ ମାତ୍ର ବସ କରୁଥିବାବେଳେ, ବର୍ତମାନ ବସ ସେବା ବନ୍ଦ ଅଛି। ଏହାଛଡା ଆମ୍ବୁଲାନ୍ସ ମଧ୍ୟ ଆସିଲେ ମୁଖ୍ୟରାସ୍ତା ଉପରେ ରହୁଥିବାବେଳେ ଆଖ ପାଖର ଗ୍ରାମବାସି ରୋଗୀକୁ ବଡକଷ୍ଟରେ ଜଙ୍ଗଲ ରାସ୍ତାରେ ୭,୮ କି. ମି ବୋହିଆଣି ଆମ୍ବୁଲାନ୍ସ ପାଖକୁ ଆଣୁଛନ୍ତି।ଏହି ବିଷମ ସମସ୍ୟା ନେଇ ପଞ୍ଚାୟତବାସୀ, ରାସ୍ତା ସଫା କରିବା ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଦ୍ୱାରସ୍ତ ହୋଇଥିବାବେଳେ, ଖୋଦ ତହସିଲଦାର, ଆର.ଆଇ, ଆର.ଡି. ଜେ.ଇ ପ୍ରମୁଖ ଏହି ଅଞ୍ଚଳ ପରିଦର୍ଶନ କରି, ପରିସ୍ଥିତି ଅନୁଧ୍ୟାନ କରି ଚାଲି ଯାଇଥିବାବେଳେ, ଆଜିକୁ ୬ ଦିନ ହୋଇଗଲାଣି ରାସ୍ତାର ସଫେଇକରଣ କାର୍ଯ୍ୟ ଆରମ୍ଭ ହୋଇପାନାହିଁ। ପ୍ରକାଶ ଥାଉକି, ଏହି ଅଞ୍ଚଳଟି ଅଭୟାରଣ୍ୟ ଅନ୍ତର୍ଗତ ନିଘଞ୍ଚ ଜଙ୍ଗଲ ମଧ୍ୟରେ ଥିବାରୁ, ବାଘ, ଭାଲୁ ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ହିଂସ୍ର ଜନ୍ତୁ ତଥା ହାତୀଙ୍କ ଗତିବିଧି ପ୍ରାୟ ସମୟରେ ଦେଖିବାକୁ ମିଳିଥାଏ। ଗୋଟେ ପଟେ ଭୁସ୍ଖଳନ ଯୋଗୁଁ ରାସ୍ତା ଜାମ ଥିବାବେଳେ ଅନ୍ୟପଟେ ହିଂସ୍ର ଜନ୍ତୁଙ୍କ ପ୍ରାଦୁର୍ଭାବ ପଞ୍ଚାୟତବାସୀଙ୍କୁ ହଇରାଣ ଓ ଆତଙ୍କିତ କରୁଥିବାବେଳେ, ପଞ୍ଚାୟତବାସୀ ଦାବି ଜଣାଇଛନ୍ତି ଯେ’, ପ୍ରଶାସନ ତତ୍ପରତା ଦେଖାଇ ଯଥାଶୀଘ୍ର ଯୁଦ୍ଧକାଳିନ ଭିତ୍ତିରେ ରାସ୍ତା ଉପରୁ ବଡ ବଡ଼ ପଥର ଓ ମାଟି କାଢି ରାସ୍ତା ସଫା କରୁ।