June 16, 2026
IMG-20240809-WA0045
Share

ଗଜପତି:-

ଆଜି ବିଶ୍ଵ ଆଦିବାସୀ ଦିବସ ଅବସରରେ ଗୁମ୍ମା ବ୍ଲକ ତରଙ୍ଗଡା ପଞ୍ଚାୟତର ପାରଶମ୍ଵା ଠାରେ ଅଖିଳ ଭାରତ ଆଦିବାସୀ ମଞ୍ଚ ଓ ଅଖିଳ ଭାରତ କିଶାନ୍ ମଜଦୂର ସଭା ପକ୍ଷରୁ ମିଳିତ ଭାବେ ସମାବେଶର ଆୟୋଜନ କରା ଯାଇଥିଲା।

ସଙ୍ଗଠନ’ର ଜିଲ୍ଲା କମିଟି ସଭ୍ୟ ତଥା ବରିଷ୍ଠ ଆଦିବାସୀ ନେତା କାଡୁକା ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସମାବେଶରେ ଅଖିଳ ଭାରତ ଆଦିବାସୀ ସଭାର ଆବାହକ ଶ୍ରୀ କେଦାର ଶବର ମୁଖ୍ୟବକ୍ତା ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାର’ଙ୍କ ଆଦିବାସୀ ବିରୋଧି ନୀତି ଯୋଗୁଁ ଆଦିବାସୀ ମାନେ ନିଜର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ବୋଲି କହିଥିଲେ । ସରକାର ଜମି , ଜଙ୍ଗଲ ଓ ପ୍ରାକୃତିକ ସମ୍ପଦ ଉପରେ ଆଦିବାସୀ’ଙ୍କୁ ଅଧିକାର ଦେବା ବଦଳରେ ବଡ ବଡ କମ୍ପାନୀଙ୍କ ସ୍ଵାର୍ଥରେ ସେ ସବୁକୁ ଛଡେଇ ନେବାରେ ଲାଗିଛନ୍ତି ବୋଲି କହିଥିଲେ । ବିକାଶ ନାଁ’ରେ ଆଦିବାସୀଙ୍କ ଜମି , ଜଙ୍ଗଲ , ପରିବେଶ ଓ ଜୀବିକାକୁ ଛଡେଇ ନେବାକୁ ପ୍ରତିରୋଧ କରାଯିବ ବୋଲି ଚେତାବନୀ ଦେଇଥିଲେ ।

ଓଡ଼ିଶାର ପ୍ରାୟ ଏକ ଚତୁର୍ଥାଂଶ ଜନସଂଖ୍ୟା ଆଦିବାସୀ ହୋଇଥିଲେ ବି ସରକାର ସେମାନଙ୍କ ଭାଷା , ଲିପି ଓ ସଂସ୍କୃତିର ବିକାଶ ଦିଗରେ କୌଣସି ଉଦ୍ୟମ ନ କରିବା ଫଳରେ ଅନେକ ଆଦିବାସୀ ସମ୍ପ୍ରଦାୟ ଓ ସେମାନଙ୍କ ଭାଷା ନିଶ୍ଚିହ୍ନ ହେବାକୁ ବସିଛି ବୋଲି କହିଥିଲେ । ଅତଏବ , ଆଦିବାସୀ ମାନେ ନିଜର ଜମି , ଜଙ୍ଗଲ ଓ ଜୀବିକାର ସୁରକ୍ଷା ସହ ଭାଷା ଓ ସଂସ୍କୃତିର ସୁରକ୍ଷା କରିବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଆଦିବାସୀ ନେତା ସୁମ୍ବାରା ଶବର , ସୁଙ୍କା ଶବର , ଗଣେଶ୍ବରୀ ଶବର ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।

———————————————-

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି – ପିଟିସି)

———————————————–