ମହିଳା ବିଶ୍ବକପ୍: ଭାରତର ବୃହତ୍ତ ବିଜୟ,ପାକିସ୍ତାନକୁ ଲାଗାତାର ୧୨ ଥର ହରାଇଲା ଟିମ୍ ଇଣ୍ଡିଆ..
କଲମ୍ବୋ(ବ୍ୟୁରୋ)ମହିଳା ବିଶ୍ୱକପ ୨୦୨୫ ରେ ଭାରତ ପାକିସ୍ତାନକୁ ୮୮ ରନରେ ପରାସ୍ତ କରିଛି।ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ଦିନିକିଆ କ୍ରିକେଟରେ ପାକିସ୍ତାନ ବିପକ୍ଷରେ ତାର ଅପରାଜିତ ରେକର୍ଡ ବଜାୟ ରଖିଛି।ଭାରତ ଏବଂ ପାକିସ୍ତାନ ୧୨ ଥର ଦିନିକିଆ ମ୍ୟାଚ୍ ଖେଳିଛନ୍ତି ଏବଂ ପ୍ରତ୍ୟେକ ଥର ଭାରତୀୟ ଦଳ ବିଜୟୀ ହୋଇଛି।କଲମ୍ବୋ ରେ ଖେଳା ଯାଇଥିବା ବିଶ୍ୱକପ୍ ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୪୭ ରନ କରିଥିଲା। ଜବାବରେ ପାକିସ୍ତାନୀ ଦଳ ମାତ୍ର ୧୫୯ ରନରେ ଅଲଆଉଟ୍ ହୋଇଯାଇଛି।
କଲମ୍ବୋ ର ଆର.ପ୍ରେମଦାସା ଷ୍ଟାଡିୟମରେ ଖେଳା ଯାଇଥିବା ଏହି ବିଶ୍ୱକପ୍ ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା। କୌଣସି ଭାରତୀୟ ବ୍ୟାଟର ଅର୍ଦ୍ଧଶତ ସ୍କୋର କରିପାରି ନଥିଲେ।ଭାରତ ପକ୍ଷରୁ ହରଲିନ୍ ଦେଓଲ ସର୍ବାଧିକ ୪୬ ରନ କରିଥିଲେ।ପ୍ରତୀକା ରାୱଲ ୩୧ ଏବଂ ଜେମିମା ରୋଡ୍ରିଗିଜ ୩୨ ରନ କରିଥିଲେ।ଶେଷ ଓଭରରେ ରିଚା ଘୋଷ ୨୦ ବଲରେ ୩୫ ରନର ଏକ ଚମତ୍କରୀ ଇନିଂସ ଖେଳି ଭାରତୀୟ ଦଳକୁ ୨୪୭ ରନରେ ପହଞ୍ଚାଇଥିଲେ।
ଜବାବରେ ପାକିସ୍ତାନର ପ୍ରଦର୍ଶନ ଏତେ ଖରାପ ଥିଲା ଯେ ୨୦ ରନ ପୂରଣ ହେବା ପୂର୍ବରୁ ଦଳର ଉଭୟ ଓପନର ପାଭିଲିୟନ୍ ଫେରିଥିଲେ। ଓପନର ମୁନିବା ଅଲିଙ୍କ ଆଉଟ୍ ଖବରରେ ଥିଲା।ସମୀକ୍ଷା କରିବା ପରେ ତୃତୀୟ ଅମ୍ପାୟାର ରନ ଆଉଟ୍ ଘୋଷଣା କରିଥିଲେ।ପ୍ରଥମ ୨୦ ଓଭରରେ ପାକିସ୍ତାନୀ ଦଳର ରନ ରେଟ୍ ୩ ରୁ କମ୍ ଥିଲା।
ସିଦ୍ରା ଅମିନ ଏବଂ ନାତାଲିଆ ପରଭେଜ ୬୯ ରନର ଭାଗୀଦାରି କରି ପାକିସ୍ତାନକୁ ଏକ କଷ୍ଟକର ପରିସ୍ଥିତିରୁ ଉଦ୍ଧାର କରିଥିଲେ। ପରଭେଜ ୩୯ ରନ କରି ଆଉଟ ହୋଇଥିଲେ।ତା’ପରେ ଅଧିନାୟିକା ଫାତିମା ସାନା ମାତ୍ର ୨ ରନ କରି ବିଦାୟ ନେଇଥିଲେ।ପାକିସ୍ତାନ ମାତ୍ର ୧୬ ରନରେ ଶେଷ ୫ଟି ୱିକେଟ ହରାଇଥିଲା।ସିଦ୍ରା ଅମିନଙ୍କ ୮୧ ରନର ଇନିଂସ ପାକିସ୍ତାନକୁ ପରାଜୟରୁ ରକ୍ଷା କରିପାରି ନ ଥିଲା।ସେପଟେ ଭାରତ ପକ୍ଷରୁ କ୍ରାନ୍ତୀ ଗୌଡ ଏବଂ ଦିପ୍ତୀ ଶର୍ମା ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ। ସେହିଭଳି ସ୍ନେହା ରାଣା ୨ଟି ଓ୍ବିକେଟ ନେଇଥିଲେ।ମୁନୀବା ଅଲି ଏବଂ ଡାଏନା ବେଗ୍ ରନ ଆଉଟ୍ ହୋଇଥିଲେ।ତେବେ ବିଶ୍ବକପ୍ରେ ପାକିସ୍ତାନ ପ୍ରଥମେ ବାଂଲାଦେଶ ଏବଂ ଏବେ ଭାରତ ପାଖରୁ ଶୋଚନୀୟ ପରାଜୟ ଭୋଗିଛି।
