ବୁଗୁଡ଼ା ଏନଏସିରେ ଗୃହ ଗଣନା ଓ ତାଲିକା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ 

IMG-20260507-WA0045
Share

ବୁଗୁଡ଼ା : ୦୭/୦୫/୨୬ : ୨୦୨୭ ଜନଗଣନା କ୍ରମରେ ଏପ୍ରିଲ ୧୬ ତାରିଖରୁ ସାରା ଦେଶ ସମେତ ଗଞ୍ଜାମ ଜିଲ୍ଲାରେ ଗୃହ ଗଣନା ଓ ଗୃହ ତାଲିକା ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଗଣନା ଏପ୍ରିଲ ୧୬ରୁ ଆରମ୍ଭ ହୋଇ ମଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧ ରୁ ୧୫ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସ୍ୱ-ଗଣନା ଅବଧି ରହିଥିଲା ଏବଂ ଏବେ ଦ୍ୱିତୀୟ ପର୍ଯ୍ୟାୟରେ କ୍ଷେତ୍ରୀୟ ସ୍ତରରେ ଗୃହ ଗଣନା କରାଯାଉଛି ।ଏହି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଗଣନା ପାଇଁ ଆସୁଥିବା କର୍ମଚାରୀଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଉଛି । ଏହି ପର୍ଯ୍ୟାୟରେ ଲୋକମାନଙ୍କୁ ମୋଟ୍ ୩୩ଟି ପ୍ରଶ୍ନ ପଚରାଯାଉଛି । ଏଥ‌ିରେ ଘରର ଅବସ୍ଥା, ଗୃହର ମାଲିକାନା, ପରିବାରରେ ରହୁଥ‌ିବା ସଦସ୍ୟଙ୍କ ସଂଖ୍ୟା, ପାଣି ଓ ବିଦ୍ୟୁତ ସୁବିଧା, ଶୌଚାଳୟ ,ଇଣ୍ଟରନେଟ୍ ସୁବିଧା, ଯାନବାହନ, ମୋବାଇଲ୍ ଓ ଅନ୍ୟାନ୍ୟ ସୁବିଧା ସମ୍ବନ୍ଧୀୟ ୩୩ଟି ପ୍ରଶ୍ନ ଆଧାରରେ ତଥ୍ୟ ସଂଗ୍ରହ ହେଉଛି । ଏହି ଜନଗଣନା ଏବଂ ଗୃହଗଣନା ତଥ୍ୟ ଆଧାରରେ ହିଁ ସରକାର ଆଗାମୀ ଦିନରେ ଲୋକହିତକର ଏବଂ ବିକାଶମୂଳକ ଯୋଜନାର ରୂପରେଖ ପ୍ରସ୍ତୁତ କରିବେ ବୋଲି ଜଣାଯାଇଛି । ଏ ପରିପ୍ରେକ୍ଷୀରେ ବୁଗୁଡା ଏନ୍ଏସିର ୧୩ଟି ଓ୍ବାର୍ଡ ପାଇଁ ୬ ଜଣ ସୁପରଭାଇଜରଙ୍କ ସମେତ ୩୩ ଜଣ ଜନଗଣନାକାରୀ ନିୟୋଜିତ ରହିଛନ୍ତି।ତେବେ ୩୦ ଜଣ ଜନଗଣନାକାରୀ ସେମାନଙ୍କ ଗଣନା କାର୍ଯ୍ୟ ସମାପ୍ତ କରିଥିବା ବେଳେ ଅନ୍ୟ ୩ ଜଣଙ୍କ ଗଣନା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କଠାରୁ ପ୍ରକାଶ ପାଇଛି।