ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଦୁର୍ଗମ ଅଞ୍ଚଳ ଗସ୍ତ


ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କରଲାପାଟ ଅଭୟାରଣ୍ୟ ମଧ୍ୟରେ ଥିବା ସିନ୍ଧିପଦର ପଞ୍ଚାୟତର ଅତ୍ୟନ୍ତ ଦୁର୍ଗମ ଅଞ୍ଚଳର ଗ୍ରାମ ଗୁଡିକୁ ଗସ୍ତ କରିଛନ୍ତି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଆଇଏଏସ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ।ଶ୍ରୀ ପ୍ରଧାନ ଅତ୍ୟନ୍ତ ଦୁର୍ଗମ ପର୍ବତ ଉପରେ ଅବସ୍ଥିତ ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ସିନ୍ଧିପଦର,ବେଲାଟି, କେନ୍ଦୁଗୁଡା ତଥା କନ୍ଦାଗୁଡା ପ୍ରଭୃତି ଗ୍ରାମ ଗୁଡିକୁ ସଦଳବଳେ ପାହାଡିଆ ପାଦଚଲା ରାସ୍ତା ଦେଇ ଚାଲି ଚାଲି ଗସ୍ତ କରିଥିବା ବେଳେ ଗ୍ରାମବାସୀଙ୍କ ସହ ସେମାନଙ୍କ ବିଭିନ୍ନ ସମସ୍ୟା ଗୁଡିକ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ଏଥି ସହ କେନ୍ଦୁଗୁଡା ଗ୍ରାମ ଠାରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ କରିବା ପାଇଁ ତୁରନ୍ତ ନିର୍ଦ୍ଧେଶ ଦେଇଥିବା ବେଳେ କେନ୍ଦୁଗୁଡା ଗ୍ରାମର ସମସ୍ତ ପାରିବାରକୁ ଅନ୍ତୋଦୟ ଯୋଜନାରେ ସାମିଲ କରି ଗୃହ ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରିଙ୍କୁ ପରାମର୍ଶ ଦେଇଥିଲେ। ଏଥି ସହ ପାହାଡ଼ ଶିଖରରେ ବସବାସ କରୁଥିବା ବିଲାଟି ଗ୍ରାମର ମୋଟ ବାରଟି ପରିବାରକୁ ପାହାଡ଼ ଉପରେ ନରହି ଯଦି ପାହାଡ଼ ତଳକୁ ଆସିବେ ତେବେ ସମସ୍ତ ପାରିବାରଙ୍କୁ କ୍ଲଷ୍ଟର ଘର ଯୋଗାଇ ଦିଆଯିବ ବୋଲି ଆଲୋଚନାରେ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ ଏବଂ ବୁଝାଇଥିଲେ।ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଏପରି ଦୁର୍ଗମ ଅଞ୍ଚଳ ଗସ୍ତ ଜିଲ୍ଲାରେ ପ୍ରଥମଥର ହୋଇଥିବା ନେଇ ବର୍ତ୍ତମାନ ଜିଲ୍ଲା ସାରା ଚର୍ଚ୍ଚା ହେଉଛି।ଏହି ଗସ୍ତରେ ଆଇଏଏସ ଶ୍ରୀ ପ୍ରଧାନଙ୍କ ସହ ଏପିଡ଼ି ଶ୍ରୀ ଅମୁଲ୍ୟ ବାଉଲ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ସାଲୁକୁ ହେମ୍ବ୍ରମ,କନିଷ୍ଠ ଯନ୍ତ୍ରୀ ଶ୍ରୀ ପ୍ରତାପ ସାହୁ,ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ଶ୍ରୀ ବଶିଷ୍ଠ ଶବର ଏବଂ ଜିଆରଏସ ଶ୍ରୀ ବୈକୁଣ୍ଠ ଦିଶାରି ପ୍ରମୁଖ ଅଧିକାରୀ ମାନଙ୍କ ଗସ୍ତ ସମୟରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।
