April 23, 2026

ପାତ୍ରପୁର ରେ ବସଷ୍ଟାଣ୍ଡ ବାଟବଣା ..

IMG-20260406-WA0001
Share

 ପାତ୍ରପୁର(ସୁଭଶ୍ରୀ ପ୍ରଧାନ)

ବ୍ଲକ ଯେଉଁଠି ସେଠି ହିଁ ନାହିଁ ବସଷ୍ଟାଣ୍ଡ।ଭାଗ୍ୟକୁ ଆଦରି ରାସ୍ତା କଡ଼ରେ ଜଗି ବସୁଛନ୍ତି ଯାତ୍ରୀ।ପ୍ରତି ମୂହୁର୍ତ୍ତରେ ସତେ ଯେପରି ହାତ ଠାରି ଡାକୁଛି ବିପଦ।ସାଧାରଣ ବସଷ୍ଟାଣ୍ଡ ବି କେମିତି ରାଜନୀତି ଭିତରେ ପେଶି ହୋଇଯାଏ ଆଉ ତା’ର ଫଳ ଭୋଗନ୍ତି ସାଧାରଣ ଜନତା।ବଡ଼ ବ୍ଲକରେ ନାହିଁ ବସଷ୍ଟାଣ୍ଡ,ସାହାରା ସାଜିଛି ରୋଡ଼ସାଇଡ଼।ହୀନସ୍ତା ହେଉଛନ୍ତି ଲୋକେ,ବେଫିକର ପ୍ରଶାସନ

ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ। ବ୍ଲକ ସହିତ ଅନ୍ୟାନ୍ୟ ପ୍ରମୁଖ ସରକାରୀ ଅଫିସ ଥିବାରୁ ସବୁ ବେଳେ ପ୍ରବଳ ଭିଡ଼ ଥାଏ ଏହି ବଜାରରେ।ଏଠାରେ ତହସିଲ ଅଫିସ,କୋର୍ଟ,ମେଡ଼ିକାଲ ଆଉ ଅନ୍ୟାନ୍ୟ ମୁଖ୍ୟ ସରକାରୀ ଅଫିସ ଅଛି।ଗ୍ରାମାଞ୍ଜଳରୁ ଲୋକେ ପ୍ରତିଦିନ ଏହି ବଜାରକୁ ଆସିଥାନ୍ତି। ନିଜର ଜମିବାଡ଼ି କାମ ହେଉ କି ରୋଗୀଙ୍କୁ ଦେଖାଇବା ପାଇଁ ହେଉ, ପ୍ରତି ଦିନ ହଜାର ହଜାର ଲୋକଙ୍କ ଏଠାକୁ ସୁଅ ଛୁଟିଥାଏ।ବସ୍ ରେ ଆସିଥାନ୍ତି ଲୋକେ,କିନ୍ତୁ ଓହ୍ଲାଇବା ପରେ ବସଷ୍ଟାଣ୍ଡ ମିଳିନଥାଏ ସେମାନଙ୍କୁ।ଦୂର ଦୂରାନ୍ତରରୁ ଆସିଥିବା ବୟସ୍କ ବ୍ୟକ୍ତି,ରୋଗୀ, ଛୁଆ,ମହିଳା ସମସ୍ତେ ବହୁତ ହଇରାଣ ହୋଇଥାନ୍ତି।ଗାଡ଼ିକୁ ଅପେକ୍ଷା କରି ବସୁଥିବା ଯାତ୍ରୀଙ୍କ ଅବସ୍ଥା କହିଲେ ନସରେ।ସବୁଠାରୁ ବଡ଼ କଥାହେଲା ରାସ୍ତାକଡ଼ ହିଁ ଏମାନଙ୍କ ପାଇଁ ସାଜିଥାଏ ବସଷ୍ଟାଣ୍ଡ।ଏଠାରେ କିଛି ପ୍ରଶ୍ନ ଉଠୁଛି କି ସତରେ କଣ ବସଷ୍ଟାଣ୍ଡ ଲୋକଙ୍କ ଅଧିକାର ଭିତରେ ଆସୁନି କି।ରାସ୍ତା କଡ଼ରେ ଅପେକ୍ଷା କରିଥିବା ଲୋକଙ୍କ ଦୁର୍ଘଟଣା ହେଲେ କିଏ ହେବ ଉତ୍ତର ଦାୟୀ।

ଯେଉଁଠି ସମସ୍ତ ସରକାରୀ ଅଫିସ, ସେଠି ଲୋକେ ହଇରାଣ ହେବ କାହିଁକି।ଏନେଇ ପୂର୍ବରୁ ଲୋକେ ବାରମ୍ବାର ଅଭିଯୋଗ କରି ଆସିଛନ୍ତି।ପୁର୍ବରୁ ଥିବା ବିଜେଡ଼ି ସରକାରରେ ମଧ୍ୟ ବାରମ୍ବାର ଦାବୀ ଉଠାଇ ଥିଲେ ସ୍ଥାନୀୟ ଲୋକେ କିନ୍ତୁ କିଛି ଫଳ ମିଳିନଥିଲା। ପାତ୍ରପୁର ବ୍ଲକରେ ଥିବା ୨୩ ପଞ୍ଚାୟତରୁ ୬ ଟି ସଂପୂର୍ଣ୍ଣ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ। ସରକାରୀ ଯୋଜନାରେ ଥିବା କାମ ଗୁଡ଼ିକ କରିବା ପାଇଁ ସେମାନେ ପାତ୍ରପୁର ବଜାର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ।କିନ୍ତୁ ଏଠାରେ ବସଷ୍ଟାଣ୍ଡ ଟିଏ ନଥିବାରୁ ଭୀଷଣ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି।ଯେଉଁଠି ବସଷ୍ଟାଣ୍ଡ ନାହିଁ ସେଠାରେ ଶୌଚାଳୟ କଥା ପଚାରେ କିଏ।ଏମିତି ପରିସ୍ଥିତି ଯେ,ଲୋକେ ବସ୍ କୁ ଅପେକ୍ଷା କରିବାକୁ ଡରୁଛନ୍ତି।କାରଣ ରାସ୍ତା କଡ଼ରେ ଅପେକ୍ଷା କରିବାକୁ ପଡ଼ିବ।ଜନ ଗହଳି ପୂର୍ଣ୍ଣ ରାସ୍ତା କଡ଼ରେ ବସ୍ କୁ ଅପେକ୍ଷା କରି ରହିବା କେତେ ବିପଦପୂର୍ଣ୍ଣ ସେକଥା ଅନୁଭବୀ ଲୋକେ ହିଁ ଜାଣିପାରିବେ।ତେଣୁ ବାରମ୍ବାର ଅସନ୍ତୋଷ ପ୍ରକାଶ କରୁଛନ୍ତି ସ୍ଥାନୀୟ ଲୋକେ।ବାରମ୍ବାର ନିଜ ଦାବୀ ବି ଜଣାଉଛନ୍ତି କିନ୍ତୁ ଫଳ ଶୂନ।ଖବର ପ୍ରସାରଣର ଭଲ ପ୍ରଭାବ ପଡ଼ୁ,ତୁରନ୍ତ ପାତ୍ରପୁର ବାସିନ୍ଦାଙ୍କୁ ମିଳୁ ଏକ ଭଲ ବସଷ୍ଟାଣ୍ଡ।ଫଳରେ ଉପକୃତ ହୋଇ ପାରିବେ ଲୋକେ ଆଉ ବିପଦରେ ପଡ଼ିବନି ନୀରିହ ଜୀବନ।

You may have missed