June 24, 2026

ଡ଼ିଭାଇଡ଼ର୍ କୁ ଧକ୍କା ଦେଇ ଓଲଟିଲା ବୋଲେରୋ ପିକ୍ଅପ୍ ; ଦୁଇ ଦଣ୍ଡୁଆ ମୃତ, ପନ୍ଦର ଆହତ..

hokl
Share

 

ବେଲଗୁଣ୍ଠା, 06/04, ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ଦହିମୁଣ୍ଡଳୀ ଗ୍ରାମର ଦଣ୍ଡ ଭୂକ୍ତାଙ୍କୁ ନେଇ ଆସୁଥିବା ଏକ ବୋଲେରୋ ପିକ୍ଅପ୍ ହିଞ୍ଜିଳି ଥାନା ୫୯ ନମ୍ବର ଜାତୀୟ ରାଜପଥ ସୋମପୁର ଛକରେ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହେବା ଫଳରେ ଘଟଣା ସ୍ଥଳରେ ଦୁଇଜଣ ଦଣ୍ଡୁଆ ପ୍ରାଣ ହରାଇଥିବା ବେଳେ ପନ୍ଦର ଜଣ ଆହତ ହୋଇଥିବା ସୂଚନା ମିଳିଛି I ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇଜଣ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡା ଗ୍ରାମର ସନ୍ନ୍ୟାସୀ ନାଇକ ଏବଂ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ତାମନାଡ ଗ୍ରାମର ଦୀପକ ନାଇକ I ସୂଚନା ପ୍ରକାରେ ଦହିମୁଣ୍ଡଳୀ ଦଣ୍ଡ ଦଳ ବ୍ରହ୍ମପୁରରୁ ଦଣ୍ଡଯାତ୍ରା ସାରି କ୍ଷତ୍ରିୟବରପୁର ଅଭିମୁଖେ ଦୁଇଟି ବୋଲେରୋ ପିକ୍ଅପ୍ ଗାଡ଼ିରେ ଯାଉଥିବା ବେଳେ ରାତ୍ର ପ୍ରାୟ ସାଢେ 3 ଟା ସମୟରେ ସେଥିରୁ ଗୋଟିଏ ବୋଲେରୋ ପିକଅପ ଡ୍ରାଇଭରଙ୍କ ଆଖିପତା ପଡିଯିବାରୁ ହିଞ୍ଜିଳି ଥାନା ଅନ୍ତର୍ଗତ ସୋମପୁର ଛକ ନିକଟରେ ଡିଭାଇଡରକୁ ପିଟି ହୋଇ ଓଲଟି ଏଭଳି ଦୁର୍ଘଟଣା ଘଟିଥିଲା I ଫଳରେ ଗାଡି ତଳେ ଚାପି ହୋଇ ସନ୍ୟାସୀ ଏବଂ ଦୀପକ ମୃତ୍ୟୁବରଣ କରିଥିବା ବେଳେ ଅନ୍ତର୍ଯ୍ୟାମୀ ନାୟକ, ଭଗବାନ୍ ଗୌଡ଼, ଖଲିଆନା ପ୍ରଧାନ,କୃଷ୍ଣ ବରଡ଼,ବିନୋଦ ରାଊତ, ଗଙ୍ଗାଧର ଗୌଡ଼, ଶିବରାମ ରଣା, କୈଳାସ ଚନ୍ଦ୍ର ଗୌଡ଼, ସିଲୁ ଗୌଡ,କାର୍ତ୍ତିକ ନାୟକ, ଅନୀଲ ନାୟକ, କାହ୍ନୁ ଚରଣ ଜେନା, ଟୁନା ଗୌଡ଼, ଟୁକୁନା ନାୟକ, ପ୍ରମୋଦ ନାୟକ ଏବଂ ଶତ୍ରୁଘ୍ନ ଗୌଡ଼ ଗୁରୁତର ଆହତ ହୋଇଥିଲେ I ଖବର ପାଇ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଂଚି ମୃତାହତଙ୍କୁ ଉଦ୍ଧାର କରି ହିଞ୍ଜିଳି ଏବଂ ବ୍ରହ୍ମପୁର ମେଡିକାଲ୍ କୁ ପଠାଇଥିଲା I ଘଟଣା ସ୍ଥଳରେ ପୋଲିସ୍ ଦୁଇ ଦଣ୍ଡୁଆଙ୍କ ଶବ ଏବଂ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଥିବା ବେଳେ ଘଟଣା ସ୍ଥଳରୁ ଗାଡ଼ି ଚାଳକ ଚମ୍ପଟ୍ ମାରିଥିବା ଜଣା ପଡିଛି I ଏହି ଘଟଣା ସମଗ୍ର ଗଞ୍ଜାମ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ କାଳିଆଗୁଡା ଏବଂ ତାମନାଡ଼ ଗ୍ରାମ କାନ୍ଦବୋବାଳିରେ ଫାଟି ପଡୁଛି I ମୃତ ଦଣ୍ଡୁଆ ଦୁଇଜଣ ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ ଉଭୟଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି ହୋଇଛି I

(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)