June 26, 2026

ଜିଲ୍ଲାର ୩,୧୨୪ଟି ମତଦାନ କେନ୍ଦ୍ରରେ ଡିଜିଟାଇଜେସନ କାର୍ଯ୍ୟ ସମ୍ପୂର୍ଣ୍ଣ  ୨,୫୦୩ଟି ମତଦାନ କେନ୍ଦ୍ରରେ ବିଏଲଓ-ବିଏଲଏ ବୈଠକ ସମ୍ପନ୍ନ

IMG-20260626-WA0001
Share

 

 

ଛତ୍ରପୁର, ତା ୨୫ /୦୬/୨୦୨୬(ଅରୁଣ କୁମାର ପଣ୍ଡା )ଗଞ୍ଜାମ ଜିଲ୍ଲା ଏକ ଜନବହୁଳ ଜିଲ୍ଲା ହୋଇଥିବା ସତ୍ତ୍ୱେ ଜିଲ୍ଲାର ବିଏଲଓମାନଙ୍କ ନିଷ୍ଠାପର ଉଦ୍ୟମ ଫଳରେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଜିଲ୍ଲାର ୩,୧୨୪ଟି ମତଦାନ କେନ୍ଦ୍ରରେ ପ୍ରାୟତଃ ଡିଜିଟାଇଜେସନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଜିଲ୍ଲାର ସମସ୍ତ ବିଏଲଓମାନଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି ।

 

ଜିଲ୍ଲାର ବିଭିନ୍ନ ମତଦାନ କେନ୍ଦ୍ରରେ ବୁଥ୍ ସ୍ତରୀୟ ଅଧିକାରୀ ଓ ବୁଥ୍ ସ୍ତରୀୟ ଏଜେଣ୍ଟମାନଙ୍କ ବୈଠକ ଜାରି ରହିଛି। ଅଦ୍ୟାବଧି ଜିଲ୍ଲାର ମୋଟ ୩,୧୨୪ଟି ମତଦାନ କେନ୍ଦ୍ର ମଧ୍ୟରୁ ୨,୫୦୩ଟି ବୁଥ୍‌ରେ ବୈଠକ ସମ୍ପନ୍ନ ହୋଇଛି, ଯାହା ମୋଟ ବୁଥ୍‌ର ପ୍ରାୟ ୮୦ ପ୍ରତିଶତ। ୨୪ ଜୁନରେ ୧,୩୮୩ଟି ଏବଂ ୨୫ ଜୁନରେ ୧,୧୨୦ଟି ବୁଥ୍‌ରେ ବୈଠକ ଆୟୋଜିତ ହୋଇଛି। ବଳକା ୬୨୧ଟି ବୁଥ୍‌ରେ ଯଥାଶୀଘ୍ର ବୈଠକ ଆୟୋଜନ କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଭାସନ ନିର୍ଦ୍ଦେଶ ଦେଇଛନ୍ତି ।

 

ଦିଗପହଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀ ଜିଲ୍ଲାରେ ସର୍ବପ୍ରଥମେ ଶତପ୍ରତିଶତ ସଫଳତା ହାସଲ କରିଛି। ସେଠାରେ ଥିବା ସମସ୍ତ ୨୫୮ଟି ବୁଥ୍‌ରେ ବୈଠକ ସମ୍ପୂର୍ଣ୍ଣ ହୋଇଛି। ସେହିପରି ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ୨୩୨ଟି ବୁଥ୍‌ ମଧ୍ୟରୁ ୨୩୦ଟି ବୁଥ୍‌ରେ ବୈଠକ ଶେଷ ହୋଇଥିବା ବେଳେ ମାତ୍ର ୨ଟି ବୁଥ୍‌ ବାକି ରହିଛି। ପୋଲସରା, ସୋରଡା ଏବଂ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରେ ମଧ୍ୟ ବୈଠକ କାର୍ଯ୍ୟକ୍ରମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପକ୍ଷରେ ସାନଖେମୁଣ୍ଡି, ଖଲ୍ଲିକୋଟ, ଭଞ୍ଜନଗର ଏବଂ ବ୍ରହ୍ମପୁର ନିର୍ବାଚନମଣ୍ଡଳୀରେ ଅବଶିଷ୍ଟ ବୁଥ୍‌ଗୁଡ଼ିକରେ ଯଥାଶୀଘ୍ର ବୈଠକ ସମ୍ପନ୍ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

 

ଏହି ବୈଠକଗୁଡ଼ିକରେ ମତଦାତା ତାଲିକାରେ ମୃତ, ସ୍ଥାନାନ୍ତରିତ ଏବଂ ଏକାଧିକ ସ୍ଥାନରେ ଥିବା ନାମ ବିଲୋପନ ସହ ଅନ୍ୟାନ୍ୟ ନିର୍ବାଚନ ସମ୍ବନ୍ଧୀୟ ବିଷୟ ଉପରେ ଆଲୋଚନା କରାଯାଉଛି।

 

ଯଦି କୌଣସି ଭୋଟର କୌଣସି କାରଣବଶତଃ ଭୋଟର ତାଲିକାରୁ ବାଦ ପଡ଼ିଯାଇଥାନ୍ତି ତେବେ ତୁରନ୍ତ ନିଜ ଅଞ୍ଚଳର ବିଏଲଓଙ୍କ ସହ ଯୋଗାଯୋଗ କରନ୍ତୁ। ଏହାସହିତ ଇସିଆଇନେଟ୍ ଆପ୍ ଏବଂ ଟୋଲ୍‌-ଫ୍ରି ନମ୍ବର ୧୯୫୦ର ସହାୟତା ମଧ୍ୟ ନିଆଯାଇପାରିବ।

 

୨୮ ଜୁନ ୨୦୨୬ ସୁଦ୍ଧା ବିଏଲଓଙ୍କୁ ପରିଗଣନା ଫର୍ମ ପ୍ରଦାନ କଲେ ସମ୍ପୃକ୍ତ ମତଦାତାଙ୍କ ନାମ ଖସଡ଼ା ଭୋଟର ତାଲିକାରେ ସ୍ଥାନ ପାଇବ ।

 

ସୂଚନାଯୋଗ୍ୟ ଯେ, ଖସଡ଼ା ଭୋଟର ତାଲିକା ୦୫ ଜୁଲାଇ ୨୦୨୬ରେ ପ୍ରକାଶ ପାଇବ। ୦୫ ଜୁଲାଇରୁ ୦୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ଏହାର ନିଷ୍ପତ୍ତି ୦୨ ସେପ୍ଟେମ୍ବର ୨୦୨୬ ସୁଦ୍ଧା କରାଯିବ ଏବଂ ୦୬ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।

 

ସେହିପରି, ୦୧ ଜୁଲାଇ ୨୦୨୭ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରୁଥିବା ଯୁବକ ଓ ଯୁବତୀମାନେ ନୂତନ ଭୋଟର ଭାବେ ପଞ୍ଜୀକରଣ ପାଇଁ ଫର୍ମ-୬ ମାଧ୍ୟମରେ ୦୪ ଅଗଷ୍ଟ ୨୦୨୬ ସୁଦ୍ଧା ଆବେଦନ କରିପାରିବେ।

You may have missed