ଶିକ୍ଷକ ହେଉଛନ୍ତି ଜାତିର ନିର୍ମାତା,ବାଙ୍କୋଇ ବୀଣାପାଣି ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ଦିବସ ପାଳିତ
ବୋଲଗଡ଼, ୦୫/୦୯ (ଉପାନ୍ତ ଖବର): ଶିକ୍ଷକ ହେଉଛନ୍ତି ଜାତିର ନିର୍ମାତା। ଜଣେ ଭଲ ଶିକ୍ଷକ ହିଁ ଜଣେ ଭଲ ନାଗରିକ ତିଆରି କରିପାରେ। ଆଜିର ଛୋଟ ପିଲା ହିଁ କାଲିର ଭବିଷ୍ୟତ। ଏଭଳି ଆହ୍ୱାନ ଦେଇଛନ୍ତି ବାଙ୍କୋଇ ବୀଣାପାଣି ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଗୁରୁଜୀ। ଶିକ୍ଷକ ଦିବସ ଉପଲକ୍ଷେ ବିଦ୍ୟାଳୟ ପରିସରରେ ଏକ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଦାର୍ଶନିକ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ପରେ ଛାତ୍ରଛାତ୍ରୀମାନେ ନିଜ ପ୍ରିୟ ଗୁରୁଜୀ ଓ ଗୁରୁମାଙ୍କୁ ଫୁଲ ତୋଡ଼ା, ମାଳ ଓ ହାତ ତିଆରି ଉପହାର ଦେଇ ସମ୍ମାନିତ କରିଥିଲେ। ସମସ୍ତେ ଏକ ସ୍ୱରରେ “ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର” ମନ୍ତ୍ର ପାଠ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଗୁରୁଜୀ କହିଥିଲେ, “ପିଲାଙ୍କ ଚରିତ୍ର ଗଠନରେ ଶିକ୍ଷକଙ୍କ ଭୂମିକା ସବୁଠୁ ବଡ଼। ଆମେ କେବଳ ପାଠ ପଢ଼ାଉ ନାହୁଁ, ସଂସ୍କାର ଦେଉଛୁ। ଆଜିର ପିଲାମାନେ ପାଠ ସହ ସଂସ୍କାର ଶିଖିଲେ ହିଁ ଦେଶ ଆଗକୁ ବଢିବ।” ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ, ଗୀତ ଓ ଭାଷଣ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟି, ଅଭିଭାବକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
