ଗୋଠଭଟ୍ଟା ଗ୍ରାମରେ ରାସ୍ତାକୁ ନେଇ ଚିନ୍ତାରେ ଗ୍ରାମବାସୀ

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଭବାନୀପାଟଣା ସହରକୁ ଲାଗିରହିଥିବା ଲଷ୍ମୀପୂର ପଞ୍ଚାୟତ ଅନ୍ତର୍ଗତ ଗୋଠଭଟ୍ଟା ଗ୍ରାମକୁ, ଲଷ୍ମୀପୂର ଠାରୁ ଗୋଠଭଟ୍ଟା ଗ୍ରାମ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ତିଆରି ହେବାକୁ ନେଇ ବର୍ତ୍ତମାନ ଗ୍ରାମବାସୀ ସନ୍ଦେହ ଓ ଚିନ୍ତାରେ ଅଛନ୍ତି। ଏହି ରାସ୍ତା ଉପରେ ଗୋଠଭଟ୍ଟା ସହ ଆଖପାଖର ପ୍ରାୟ ସାତ, ଆଠ ଖଣ୍ଡ ଗ୍ରାମର ଲୋକେ ଦୈନନ୍ଦିନ କାର୍ଯ୍ୟ ପାଇଁ ସମ୍ପୂର୍ଣ ନିର୍ଭରଶୀଳ ଥିବାବେଳେ, ଏହି ରାସ୍ତାଟିର ଚଉଡା ମାତ୍ର ସାତ ରୁ ଆଠ ଫୁଟ ହେବ। ତତସହିତ ଏହି କଚ୍ଚା ରାସ୍ତାଟି ସମ୍ପୂର୍ଣ ଖାଲଖମାର ଓ ବଡ ବଡ ପଥରରେ ପରିପୂର୍ଣ୍ଣ ଥିବାବେଳେ, ରାସ୍ତାର ଦୁଇ କଡ ଯାକ ପ୍ରାୟ ପାଖାପାଖି ପାଞ୍ଚ ଫୁଟ ପର୍ଯ୍ୟନ୍ତ ଗଭୀର ଖାଲ ଅଛି। ଏନେଇ ଗ୍ରାମବାସୀଙ୍କ ତରଫରୁ ବିଭାଗୀୟ କର୍ତୃପକ୍ଷଙ୍କୁ ଅନେକଥର ଲିଖିତ ଓ ମୌଖିକ ଭାବରେ ଜଣାଇବା ପରେ, ସମ୍ପୃକ୍ତ ବିଭାଗ ଦ୍ୱାରା, ଫସଲ କଟା ସାରିବାପରେ ଅତି ଶୀଘ୍ର ଗାର୍ଡୱାଲ ସହିତ ବାଇସ ଫୁଟ ଚଉଡାର ରାସ୍ତା ତିଆରି କରାଯିବା ନେଇ ଗ୍ରାମବାସୀଙ୍କୁ ସୂଚିତ ଏବଂ ଆଶ୍ୱାସିତ କରିଥିଲେ। କିନ୍ତୁ ରାସ୍ତାର ଦୁଇ କଡ଼ରେ ଥିବା ଜମିରୁ ଧାନ କଟା ସରି ଏକ ମାସରୁ ଉର୍ଦ୍ଧ ହେବ ଧାନ ଗୁଡିକ ମଣ୍ଡିରେ ପଡି ରହିଥିବାବେଳେ, ଗୋଠଭଟ୍ଟା ଗ୍ରାମର କିଛି ବୁଦ୍ଧିଯିବି ଜଣାଇଛନ୍ତି ଯେ’,ଏହି ରାସ୍ତା ନିର୍ମାଣ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ବିଭାଗୀୟ କର୍ତୃପକ୍ଷଙ୍କ ତରଫରୁ ଟେଣ୍ଡର ଡକାଯାଇ ନାହିଁ। ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଓ ବିଭାଗୀୟ କର୍ମଚାରିଙ୍କ ଅବହେଳା ଯୋଗୁଁ ଏହି ରାସ୍ତା କାମ ଆରମ୍ଭକୁ ନେଇ ଗ୍ରାମବାସୀ ସନ୍ଦେହ ଓ ଚିନ୍ତାରେ ଥିବାବେଳେ, ପୁଣିଥରେ ଦାବି ଜଣାଇଛନ୍ତି ଯେ’, ଅତି ଶୀଘ୍ର ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଉ।
