April 29, 2026

ଇଟା ଫ୍ୟାକ୍ଟ୍ରିକୁ ବିଦ୍ୟୁତ ସଂଯୋଗ ଦେବା ନିମନ୍ତେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଦ୍ବାରା ଗିରଫ

IMG-20260205-WA0040
Share

୦୫/୦୨/୨୦୨୬ ଇଟା ଫ୍ୟାକ୍ଟ୍ରିକୁ ବିଦ୍ୟୁତ ସଂଯୋଗ ଦେବା ନିମନ୍ତେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ମାଲକାନଗିରି ଟାଟା ପାୱାର ସେକ୍ସନ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ ଓ ଲାଞ୍ଚ ନେଣଦେଣରେ ମଧ୍ୟସ୍ଥି ସାଜିଥିବା ବହି ଦୋକାନୀ ଭଞ୍ଜ କିଶୋର ସ୍ବାଇଁଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି।

ଉଭୟଙ୍କ ଜାମିନ ନିମନ୍ତେ ଆବେଦନ କରାଯାଇଥିବା ବେଳେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦାୟିତ୍ବରେ ଥିବା ଜଜ୍ ଜାମିନର ଶୁଣାଣି ଆସନ୍ତା ୧୭ତାରିଖକୁ ସ୍ଥଗିତ ରଖିବା ସହିତ ଉଭୟଙ୍କୁ ଜେଲ୍ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ନାୟକଙ୍କ ଆୟବର୍ହିଭୁତ ସମ୍ପତ୍ତି ନେଇ ଯାଞ୍ଚ ବେଳେ ବ୍ରହ୍ମପୁରେ ଦୁଇ ମହଲା କୋଠାଘର, ଭୁବନେଶ୍ବର ଓ ବ୍ରହ୍ମପୁରରେ ୫ଟି ଦାମୀ ପ୍ଲଟ୍, ୧୫୯ ଗ୍ରାମ ସୁନା, ଗୋଟିଏ ଚାରି ଚକିଆ ଓ ଦୁଇଟି ଦୁଇଚକିଆ ଯାନ ରହିଥିବା ଜଣାପଡ଼ିଛି। ଅନ୍ୟ ସ୍ଥାନରେ ଶ୍ରୀ ନାୟକଙ୍କ ସମ୍ପତ୍ତି ରହିଥିବା ନେଇ ଯାଞ୍ଚ ଜାରି ରହିଥିବା ଜୟପୁରସ୍ଥିତ କୋରାପୁଟ ଡିଭିଜନ ଭିଜିଲାନ୍ସ ଏସ୍‌ପି ରବିନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି। ଶ୍ରୀ ନାୟକ ୨୦୦୪ ମସିହାରୁ ସାଉଥକୋରେ ୩ ହଜାର ଟଙ୍କାରୁ କାମ ଆରମ୍ଭ କରିଥିଲେ। ସେ ଭଞ୍ଜନଗର, ବୁଗୁଡା ଓ ଆସିକାରେ କାମ କରୁଥିଲେ। ଗତ ୨୦୨୧ ମସିହାରେ କନିଷ୍ଠ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇ ମାଲକାନଗିରି ଜିଲ୍ଲାକୁ ଆସିଥିଲେ।(ଗୁପ୍ତେଶ୍ୱର ରଥ କୋରାପୁଟ)