April 25, 2026

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ – ୨୦୨୪ ଏକ ଯୁଗାନ୍ତକାରୀ ପଦକ୍ଷେପ…

iouo
Share

ମୁନିଗୁଡ଼ା: ତା ୩-୨ ଆଜି ସମଗ୍ର ଓଡ଼ିଆ ଜାତି ଓ ଭାଷାଭାଷୀ ଲୋକଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ।ଆମ ରାଜ୍ୟ ଆଜି ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ପଲ୍ଲୀ ଅଞ୍ଚଳରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପାଳନ କରୁଛି।ଏହି ଅବସରରେ ଆଜି ପ୍ରଭାତରୁ ମୁନିଗୁଡ଼ା ଉତ୍ସବ ମୁଖର।ପୂଜ୍ୟପୂଜାଙ୍କୁ ସମ୍ମାନ ଜଣାଇବା ଅବସରରେ ଆଜି ମୁନିଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡ୍ରୁକା,ବିଡ଼ିଓ ପ୍ରିତମ କୁମାର ତନ୍ତୀ,ରାଜ୍ୟ ସମବାୟ ବ୍ୟାଙ୍କ୍ ନିର୍ଦ୍ଦେଶକ ଜଗନ୍ନାଥ ନୁଣ୍ଡରକା ପ୍ରମୁଖଙ୍କ ନେତୃତ୍ବରେ ଶତାଧିକ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ,ସରକାରୀ କର୍ମଚାରୀ,ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ଜନତା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବିଦ୍ୟାର୍ଥୀ ମାନଙ୍କ ଘୋଷ ବାଦ୍ୟ ଓ ମହାପୁରୁଷ ମାନଙ୍କ ଜୟଧ୍ୱନି ସହିତ ନଗର ପରିକ୍ରମା କରି ସହିଦ ଲକ୍ଷ୍ମଣ ନାୟକଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ପରେ ଗୋଷ୍ଠୀ ସାଧନ କେନ୍ଦ୍ର ପରିସରରେ “ଭାଷା ଅତୀତର ଅସ୍ତିତ୍ବ,ଭାଷାହିଁ ଭବିଷ୍ୟତ”କୁ ନେଇ ଏକ ଆଲୋଚନା ଚକ୍ର,କବିତା ଆବୃତ୍ତି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ନୁଣ୍ଡ୍ରୁକାଙ୍କ ସଭାପତିତ୍ବ ଓ ମୁନିଗୁଡ଼ା ସାହିତ୍ୟ ସଂସଦ ସମ୍ପାଦକ ଉତ୍ତମ କୁମାର ଦାସଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା।ପ୍ରଥମେ ୧୧ଟା ସମୟରେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ,କଳାକାର ସାଧୁ ମେହେରଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା ପରେ ଭୁବନେଶ୍ବର ଜନତା ମଇଦାନରେ ରାଜ୍ୟ ସରକାର ଆୟୋଜିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉଦ୍ଘାଟନକୁ ପରଦା ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା।ଆଜି ମୁନିଗୁଡ଼ାରେ ପଞ୍ଚାୟତ ସମିତି ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥଭାବେ ବିଡ଼ିଓ ପ୍ରିତମ କୁମାର ତନ୍ତୀ,ମୁଖ୍ୟବକ୍ତା ସାହିତ୍ୟିକ ଗୌରାଙ୍ଗ ଚରଣ ରାଉତ,ସମ୍ମାନିତ ଅତିଥି ସାହିତ୍ୟ ସଂସଦ ସଭାପତି ହୃଷୀକେଶ ଜାଲି, ସ୍ତମ୍ଭକାର ମନୋରଞ୍ଜନ ଦଳାଇ,ସମ୍ବାଦ ସାହିତ୍ୟ ଘର ସଭାପତି ପି.ସୁଧାକର ପାତ୍ର,ସମ୍ପାଦକ କୃଷ୍ଣଚନ୍ଦ୍ର ମଲ୍ଲିକ,କବୟିତ୍ରୀ ନନ୍ଦିନ ଦାସ,କବି ପ୍ରମୋଦ ଦାସ,ସୁବାସ କୁରା,ଅଜିତ ମହାରଣା ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଏହି ଜାତୀୟତା ଭରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଅତିଥିମାନେ ଓଡ଼ିଶାର ଗୌରବମୟ ଅତତ,ପରିବର୍ତ୍ତନଶୀଳ ବର୍ତ୍ତମାନ ଓ ପ୍ରେରଣାଦାୟୀ ଭବିଷ୍ୟତ ଉପରେ ଆଲୋକପାତ କରିବା ସହ ଓଡ଼ିଆ ଭାଷା ଓ ଲିପିର ଉତ୍ପତ୍ତି,ବିବର୍ତ୍ତନ,ପ୍ରାଚୀନ ପ୍ରସ୍ତର ଅଭିଲେଖ,ତାମ୍ର ଫଳକ,ତାଳପତ୍ର ପୋଥୀ,କଳିଙ୍ଗ ସ୍ଥାପତ୍ୟ,ନୌବାଣିଜ୍ୟ ଆଦିର ପ୍ରମାଣ ଏହାର ପ୍ରାଚୀନତାର ଅନ୍ୟତମ ମୁକ ସାକ୍ଷୀ ବୋଲି ଉଦାହରଣ ଦେଇଥିଲେ।ଏହି ସମ୍ମିଳନୀ ମୁଖ୍ୟତଃ ତିନୋଟି ବିନ୍ଦୁ ପ୍ରାଚୀନ,ମଧ୍ୟଯୁଗୀୟ ଓ ଆଧୁନିକ ଓଡ଼ିଆ ସାହିତ୍ୟର ତ୍ରିବେଣୀ ସଙ୍ଗମ ବୋଲି ମୁଖ୍ୟ ଅତିଥି ବିଡ଼ିଓ ଶ୍ରୀଯୁକ୍ତ ତନ୍ତୀ କହିଥିଲେ।ଶେଷରେ ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିବା ସହିତ ପ୍ରଚାର ପ୍ରସାର କରିଥିବା ସାହିତ୍ୟିକ ଗୌରାଙ୍ଗ ରାଉତ,ଲେଖକ ସୁଧାକର ପାତ୍ର,ସ୍ତମ୍ଭକାର ମନୋରଞ୍ଜନ ଦଳାଇ,କବି ହୃଷୀକେଶ ଜାଲି,ଉତ୍ତମ ଦାସ,ଅଜିତ ମହାରଣା,କୃଷ୍ଣଚନ୍ଦ୍ର ମଲ୍ଲିକ,ପ୍ରମୋଦ ଦାସ,ସୁବାସ କୂରା ଓ କବୟିତ୍ରୀ ନନ୍ଦିନୀ ଦାଶଙ୍କୁ ମାନପତ୍ର,ପୁଷ୍ପଗୁଚ୍ଛ,ଫଳକ ଓ ଅଙ୍ଗବସ୍ତ୍ର ଦେଇ ସମ୍ମାନିତ କରାଯାଇଥିଲା।ସେହିପରି ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାର,ସଙ୍ଗୀତକାର ଓ ଓଡ଼ିଆ ଭାଷା ଉପରେ ବକ୍ତବ୍ୟ ରଖିଥିବା ବିଦ୍ୟାର୍ଥୀଙ୍କୁ ସମ୍ମାନିତ କରାଯାଇଥିଲା।ସମ୍ମିଳନୀ କକ୍ଷରେ ସ୍ଥାନୀୟ ଲେଖକଙ୍କ ପ୍ରକାଶିତ ପୁସ୍ତକକୁ ନେଇ ପୁସ୍ତକ ମେଳା ଆୟୋଜିତ ହୋଇଥିଲା।ଶେଷରେ ଗୋଷ୍ଠୀ କଲ୍ୟାଣ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।ବ୍ଲକ ବଡ଼ବାବୁ ଜିତେନ୍ଦ୍ର ଧର,କିରାଣି ସତ୍ୟାନନ୍ଦ ବେହେରା,କଳ୍ପନା ସାହୁ,ପୁଷ୍ପଲତା ପାଣିଗ୍ରାହୀ,ରୂପବତୀ ନାଲା ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ।ଏହି ସମ୍ମିଳନୀରେ ଅନେକ ବିଜ୍ଞ,ପ୍ରାଜ୍ଞ ବୁଦ୍ଧିଜୀବୀ ପୁରୁଷ ମହିଳା ଏବଂ ବିଦ୍ୟାର୍ଥୀମାନେ ଯୋଗ ଦେଇଥିଲେ।

You may have missed