March 10, 2026

୨୦୮ କେଜି ଗଞ୍ଜେଇ ଜବତ,୪ ଜଣଙ୍କୁ ଗିରଫ କଲା ମୋହନା ପୋଲିସ ——-

e47f81c1-9572-4cf7-af9b-663a9eff2d23
Share

ଗଞ୍ଜେଇ ର ଭୂସ୍ବର୍ଗ କୁହାଯାଉଥିବା ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ୍ ଯେତେ ପରିମାଣ ର ଗଞ୍ଜେଇ ଜବତ କରୁଛି ।କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷକୁ କାଟି ଜାଳିପୋଡି ପାଉଂଶ କରୁଛି ।ତଥାପି ଗଞ୍ଜେଇ ଚୋରାଚାଲାଣ ଉପରେ ଲାଗିପାରୁନି ରୋକ୍ ।ଯାହା ଫଳରେ ପୁଣି ମୋହନା ପୋଲିସ୍ କୁ ମିଳିଛି ବଡ଼ ସଫଳତା ।ମୋହନା ପୋଲିସ୍ ଚନ୍ଦ୍ରଗିରି ଓ ଅନ୍ତରବା ରାସ୍ତା ମଧ୍ୟରେ ପେଟ୍ରୋଲିଂ କରୁଥିବା ସମୟରେ ପୋଲିସ୍ ଜାଲରେ ପଡିଛନ୍ତି ୪ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ।ସେମାନେ ହେଲେ କେରଳ ରାଜ୍ୟ ପାଲକଡ୍ ଜିଲ୍ଲା ପାଲକଡ୍ ଥାନା ଭେନାକର ଗ୍ରାମର ଅନୁପ୍ ସେଖରନ୍,ଟାଉନ୍ ସାଉଥ୍ ପୋଲିସ୍ ଥାନା କ୍ରିଙ୍ଗାରପଲ୍ଲୀ ଗ୍ରାମର ମିଥୁନ କୁମାର ଆର୍ ଏବଂ କରାଇକଡ୍ ଗ୍ରାମର ରାଜୁ ଏସ୍ ।ଏବଂ ମନର୍କଡ୍ ଥାନା କୋଚୁ ପାରାମ୍ବଲି ଗାଁ ର ସାଜୁ ଆବ୍ରାହମ୍ ।ସୂଚନା ପ୍ରକାରେ ଏମାନେ ମହିନ୍ଦ୍ରା କାର୍ ଯୋଗେ ବାଲିପଙ୍କ ଗାଁ ରୁ ଗଞ୍ଜେଇ କିଣି ଆଣିବା ପରେ ଚନ୍ଦ୍ରଗିରି ଅନ୍ତରବା ରାସ୍ତା ମଧ୍ୟରେ ଗୋଟିଏ କଣ୍ଟେନର୍ ଲୋଡ୍ କରି ଚେନ୍ନାଇ ନେବାପାଇଁ ବ୍ୟବସ୍ଥା କରୁଥିଲେ ।ଏହି ସମୟରେ ପୋଲିସ୍ ସେମାନଙ୍କୁ ସନ୍ଦେହ କରି ତଲାସୀ କରିବାରେ ୨୦୮ କେଜି ଗଞ୍ଜେଇ ଜବତ କରିଥିଲା ।ତା ସହ ତାଙ୍କ ନିକଟରୁ ନଗଦ ୧ ଲକ୍ଷ ୫ ହଜାର ଟଙ୍କା,୬ ଟି ମୋବାଇଲ,୬ ଟି ଏ.ଟି.ଏମ.କାର୍ଡ,୨ ଟି ୱାକି ଟକି ସହ ସ୍ଥାନୀୟ ଅଞ୍ଚଳର ଗୋଟିଏ ବାଇକ୍ କୁ ମଧ୍ୟ ଜବତ କରିଛି ପୋଲିସ୍ ।ଏନେଇ ଆଜି ମୋହନା ଥାନାରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଗଜପତି ଜିଲ୍ଲା ଅତିରିକ୍ତ ଏସ.ପି.ସୁନିଲ୍ କୁମାର ମହାନ୍ତି ।