ଅସମ୍ଭବକୁ ସମ୍ଭବ କଲେ ଲକ୍ଷ୍ମୀ.ଗୋଡ଼ରେ ଲେଖି ମେଟ୍ରିକ୍ ପରୀକ୍ଷାରେ ହେଲେ ଉତ୍ତୀର୍ଣ୍ଣ…

IMG-20260502-WA0060
Share

 

ମାଲକାନଗିରି,୨/୫/୨୬:

 

ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା। ମାଲକାନଗିରି ଜିଲ୍ଲାର ଲକ୍ଷ୍ମୀ ଖିମୁଣ୍ଡୁ ନିଜର ଦୁଇ ହାତ ଅକାମୀ ଥିବା ସତ୍ତ୍ୱେ କେବଳ ଗୋଡ଼ ସାହାଯ୍ୟରେ ପରୀକ୍ଷା ଲେଖି ଆଜି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି। ପି.ଏମ. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ସିନ୍ଧରିମାଲର ଏହି ଛାତ୍ରୀ ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାରେ ଡି ଗ୍ରେଡ୍ ପାଇ କୃତକାର୍ଯ୍ୟ ହୋଇଛନ୍ତି।ଜନ୍ମରୁ ଦୁଇ ହାତ ଅକାମୀ ଥିଲେ ମଧ୍ୟ ସେ ନିଜର ଭାଗ୍ୟକୁ ଆଦରି ବସି ନଥିଲେ। ଗୋଡ଼ରେ ଲେଖିବାର ଅଭ୍ୟାସ ଜାରି ରଖିଥିବା ଲକ୍ଷ୍ମୀଙ୍କୁ ପରୀକ୍ଷା ସମୟରେ ବୋର୍ଡ ପକ୍ଷରୁ ରାଇଟର୍‌ ବା ସହଯୋଗୀଙ୍କ ବ୍ୟବସ୍ଥା ପାଇଁ କୁହାଯାଇଥିଲା, କିନ୍ତୁ ସେ ନିଜେ ହିଁ ଲେଖିବାକୁ ଜିଦ୍ ଧରିଥିଲେ।

 

ଏହି ସଫଳତା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ କହିଛନ୍ତି, ଲକ୍ଷ୍ମୀଙ୍କ ଏହି ସଫଳତା କେବଳ ତାଙ୍କ ପାଇଁ ନୁହେଁ, ବରଂ ସମଗ୍ର ଶିକ୍ଷା ଜଗତ ପାଇଁ ଏକ ବଡ଼ ଗୌରବ। ଶାରୀରିକ ଅକ୍ଷମତା ଯେ ଜଣଙ୍କର ପ୍ରତିଭା ଓ ପାଠପଢ଼ା ଆଗରେ ପ୍ରତିବନ୍ଧକ ସାଜିପାରିବ ନାହିଁ, ତାହା ସେ ଆଜି ପ୍ରମାଣ କରି ଦେଖାଇଛନ୍ତି। ତାଙ୍କର ଏହି ଜିଦ୍ ଓ ନିଷ୍ଠା ଅନ୍ୟ ପିଲାମାନଙ୍କ ପାଇଁ ଏକ ବଡ଼ ଶିକ୍ଷା। ଲକ୍ଷ୍ମୀଙ୍କ ଏହି ବିଜୟ ପରେ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି।