July 1, 2026

ବ୍ୟବସାୟୀଙ୍କ ମୁଖ୍ୟ ସେବା: ସମାଜ ଗଠନର ସଂକଳ୍ପ

IMG-20260701-WA0000
Share

 

 

ଡା. ରାଜାରାମ ଷଡ଼ଙ୍ଗୀ

 

ସଭ୍ୟତାର ଇତିହାସକୁ ଯଦି ଆମେ ପଛକୁ ଫେରି ଦେଖିବା, ତେବେ ଜଣାପଡ଼େ ଯେ ବାଣିଜ୍ୟ ହିଁ ମଣିଷକୁ ମଣିଷ ସହିତ, ଗାଁକୁ ସହର ସହିତ ଏବଂ ଦେଶକୁ ବିଶ୍ୱ ସହିତ ଯୋଡ଼ିଛି। ବ୍ୟବସାୟ କେବଳ ଦ୍ରବ୍ୟର କ୍ରୟ–ବିକ୍ରୟ ନୁହେଁ; ଏହା ବିଶ୍ୱାସର ଆଦାନ–ପ୍ରଦାନ, ପରିଶ୍ରମର ସମ୍ମାନ ଓ ସମାଜର ଆବଶ୍ୟକତା ପୂରଣର ଏକ ମହାନ ସେବା। ସେଥିପାଇଁ ଜଣେ ପ୍ରକୃତ ବ୍ୟବସାୟୀଙ୍କ ପରିଚୟ ତାଙ୍କ ସମ୍ପତ୍ତିରେ ନୁହେଁ, ବରଂ ତାଙ୍କ ସେବାଭାବ, ସତ୍ୟନିଷ୍ଠା ଓ ସାମାଜିକ ଦାୟିତ୍ୱବୋଧରେ ନିହିତ ରହିଥାଏ।

 

ପ୍ରତ୍ୟେକ ସକାଳରେ ଆମ ଘରକୁ ଆସୁଥିବା କ୍ଷୀର, ଶାଗ, ଅନ୍ନ, ଔଷଧ, ପୋଷାକ,ଖବର କାଗଜ,ପୁସ୍ତକ କିମ୍ବା ଜୀବନର ଆବଶ୍ୟକ ସାମଗ୍ରୀ ପଛରେ ରହିଛି ଅସଂଖ୍ୟ ଚାଷୀ, ଶ୍ରମିକ, ଦିନ ମଜୁରିଆ ପ୍ରମୁଖ ବ୍ୟବସାୟୀଙ୍କ ପରିଶ୍ରମ, ସଂଗଠନ ଓ ଦାୟିତ୍ୱବୋଧ। ସେମାନଙ୍କ ନିରବ ପ୍ରୟାସ ବିନା ଜନଜୀବନ ଅଚଳ ହୋଇପଡ଼ିବ। ସେହି କାରଣରୁ ବ୍ୟବସାୟୀ ମାନେ ହେଉଛନ୍ତି ସମାଜର ଅର୍ଥନୈତିକ ଶିରା-ଉପଶିରାରେ ପ୍ରବାହିତ ଜୀବନଶକ୍ତି ସଦୃଶ।ଏପରିକି ସକାଳର ଚା ଦୋକାନୀ ଟି ମଧ୍ୟ ବନ୍ଧୁ ପରିବାରର ସଦସ୍ୟ ଭଳି। ଏଭଳି କ୍ଷେତ୍ରରେ ଜଣେ ବ୍ୟବସାୟୀ ନିଜର ଲାଭ ବା ସ୍ୱାର୍ଥ ନଦେଖି ଯେତେବେଳେ ନିଜ ପାଖକୁ ଆସୁଥିବା ଗରାଖ ବା ଉପଭୋକ୍ତାକୁ ନିଜର ଜଣେ ଆତ୍ମୀୟ ଓ ପରିବାର ସଦସ୍ୟ ହିସାବରେ ଗ୍ରହଣ କରିନିଏ, ସେତେବେଳେ ସେ ହୋଇଯାଆନ୍ତି ସଭିଙ୍କ ପ୍ରିୟ। ନିଜର ବ୍ୟବସାୟକୁ ଏକ ସମୃଦ୍ଧ ଶକ୍ତି ଭାବେ ଗଢି ନିଜର ପ୍ରଦର୍ଶନକୁ ଅନ୍ୟ ପାଖରେ ଜାହିର କରନ୍ତି ଜଣେ ସେବକ ଭାବେ। ସେ ଯେଉଁ ବ୍ୟବସାୟୀ ହୁଅନ୍ତୁନା କାହିଁକି କ୍ରେତା ମନରେ ହସ ଫୁଟାଇଲେ ହସିଥାଏ ନିଜ ଘର-ପରିବାର।

 

ବ୍ୟବସାୟୀଙ୍କ ସର୍ବପ୍ରଥମ ସେବା ହେଉଛି ଲୋକଙ୍କ ବିଶ୍ୱାସକୁ ଅକ୍ଷୁଣ୍ଣ ରଖିବା। ମାପ ଓ ଓଜନରେ ସଚ୍ଚୋଟତା, ମାନସମ୍ପନ୍ନ ସାମଗ୍ରୀ, ଯଥାର୍ଥ ମୂଲ୍ୟ ଏବଂ ଗ୍ରାହକ ପ୍ରତି ସମ୍ମାନ—ଏହି ଚାରିଟି ସ୍ତମ୍ଭ ଉପରେ ହିଁ ସୁସ୍ଥ ବ୍ୟବସାୟ ଗଢ଼ିଉଠେ। ଯେଉଁଠାରେ ବିଶ୍ୱାସ ଥାଏ, ସେଠାରେ ବଜାର କେବଳ ବାଣିଜ୍ୟର କେନ୍ଦ୍ର ନୁହେଁ; ତାହା ସାମାଜିକ ସମ୍ପର୍କର ମଧ୍ୟ ଏକ ଦୃଢ଼ ଭିତ୍ତି ହୋଇଯାଏ।ରୋଜଗାର ସୃଷ୍ଟି ବ୍ୟବସାୟୀଙ୍କ ଅନ୍ୟତମ ଶ୍ରେଷ୍ଠ ସେବା। ଜଣେ ସଫଳ ବ୍ୟବସାୟୀ ନିଜେ ଆଗକୁ ବଢ଼ିବା ସହିତ ଅନେକ ପରିବାରର ଜୀବନରେ ଆଶାର ଆଲୋକ ଜଳାଇଥାନ୍ତି। ତାଙ୍କ ପ୍ରତିଷ୍ଠାନରେ କାମ କରୁଥିବା ପ୍ରତ୍ୟେକ କର୍ମଚାରୀଙ୍କ ସ୍ୱପ୍ନ, ସନ୍ତାନଙ୍କ ଶିକ୍ଷା ଓ ପରିବାରର ଭବିଷ୍ୟତ ଏହି ରୋଜଗାର ସହ ଜଡ଼ିତ। ଏହି ଦୃଷ୍ଟିରୁ ବ୍ୟବସାୟୀ କେବଳ ନିଯୁକ୍ତିଦାତା ନୁହେଁ, ସମାଜର ସ୍ୱାବଲମ୍ବନର ନିର୍ମାତା।

 

ରାଷ୍ଟ୍ରର ବିକାଶରେ ମଧ୍ୟ ବ୍ୟବସାୟୀଙ୍କ ଭୂମିକା ଅପରିହାର୍ଯ୍ୟ। କର ପ୍ରଦାନ ମାଧ୍ୟମରେ ସେମାନେ ସରକାରଙ୍କ ବିକାଶ ଯାତ୍ରାକୁ ଶକ୍ତି ଯୋଗାଇ ଥାନ୍ତି। ସେହି ରାଜସ୍ୱରେ ଗଢ଼ିଉଠେ ବିଦ୍ୟାଳୟ, ହସ୍ପିଟାଲ, ରାସ୍ତା, ସେତୁ ଓ ଅନ୍ୟାନ୍ୟ ଜନକଲ୍ୟାଣମୂଳକ ପ୍ରକଳ୍ପ। ତେଣୁ ପ୍ରତ୍ୟେକ ସଚ୍ଚୋଟ ବ୍ୟବସାୟୀ ରାଷ୍ଟ୍ର ନିର୍ମାଣର ଜଣେ ନୀରବ ସହଯୋଦ୍ଧା।

 

ଆଜିର ଦିନରେ ସମାଜ ବ୍ୟବସାୟୀଙ୍କଠାରୁ କେବଳ ଭଲ ସାମଗ୍ରୀ ନୁହେଁ, ଉତ୍ତମ ମୂଲ୍ୟବୋଧ ମଧ୍ୟ ଆଶା କରେ। ପରିବେଶ ସୁରକ୍ଷା, ଯୁବପିଢ଼ିଙ୍କୁ କୌଶଳ ବିକାଶରେ ସହାୟତା, ଗରିବଙ୍କ ଶିକ୍ଷା, ରୋଗୀଙ୍କ ଚିକିତ୍ସା, ଦୁର୍ଯ୍ୟୋଗ ସମୟରେ ସହଯୋଗ, କଳା, ସାହିତ୍ୟ, ପରମ୍ପରାକୁ ପୁନଃର୍ଜିବିତ କରିବା ଭଳି ବିଭିନ୍ନ କ୍ଷେତ୍ରରେ ବ୍ୟବସାୟୀଙ୍କ ସକ୍ରିୟ ଅଂଶଗ୍ରହଣ ସମାଜକୁ ଅଧିକ ମାନବିକତା ର ସ୍ଥାନ ଦେଇଥାଏ। ଲାଭ ଯେତେବେଳେ ଲୋକକଲ୍ୟାଣ ସହିତ ଯୋଡ଼ି ହୁଏ, ସେତେବେଳେ ବ୍ୟବସାୟ ପ୍ରକୃତ ଅର୍ଥରେ ସେବାରେ ପରିଣତ ହୁଏ।

 

ଆଜି ବିଶ୍ୱ ବଜାରରେ ପ୍ରତିଯୋଗିତା ତୀବ୍ର। କିନ୍ତୁ ସଫଳତାର ପ୍ରକୃତ ମାପକାଠି କେବଳ ଲାଭର ପରିମାଣ ନୁହେଁ; ବରଂ ସମାଜରେ ଅର୍ଜିତ ସମ୍ମାନ ଓ ବିଶ୍ୱାସ। ଯେଉଁ ବ୍ୟବସାୟୀ ନିଜ ସ୍ୱାର୍ଥ ସହିତ ସମାଜର ସ୍ୱାର୍ଥକୁ ମଧ୍ୟ ସମାନ ଗୁରୁତ୍ୱ ଦିଅନ୍ତି, ଇତିହାସ ସେମାନଙ୍କୁ ହିଁ ସ୍ମରଣ କରି ଆଗକୁ ନେଇଥାଏ ।

 

ପରିଶେଷରେ, ବ୍ୟବସାୟୀଙ୍କ ମୁଖ୍ୟ ସେବା ହେଉଛି ଲୋକଙ୍କ ଜୀବନକୁ ସହଜ, ସୁରକ୍ଷିତ ଓ ସମୃଦ୍ଧ କରିବା। ଜଣେ ଆଦର୍ଶ ବ୍ୟବସାୟୀ କେବଳ ବଜାରର ନୁହେଁ, ସମାଜର ମଧ୍ୟ ନେତୃତ୍ୱ ନିଅନ୍ତି। ତେଣୁ ଲାଭ ସହିତ ଲୋକସେବାର ସଂକଳ୍ପକୁ ହୃଦୟରେ ଧାରଣ କରି ଆଗକୁ ବଢ଼ୁଥିବା ବ୍ୟବସାୟୀମାନେ ହିଁ ଆଗାମୀ ଭାରତର ସମୃଦ୍ଧି, ସ୍ୱାବଲମ୍ବନ ଓ ସାମାଜିକ ନ୍ୟାୟର ପ୍ରକୃତ ବାହକ।

 

ପଡିଆବାହାଲ, ସମ୍ବଲପୁର

ଫୋନ :୯୪୩୭୪ ୦୫୪୫୫