ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ

ସମ୍ବଲପୁର, ୩୧/୮: ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ଆଇଆଇଟି କାନପୁରର ମିଳିତ ସହଯୋଗରେ ପରିଚାଳିତ ସାଥି ପକ୍ଷରୁ ସମ୍ବଲପୁର ଜିଏମ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରସ୍ଥିତ ସାଥି କେନ୍ଦ୍ରରେ ‘ପ୍ରଗତି ୨୦୨୬’ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଦୁଇ ଘଣ୍ଟିଆ ଏହି କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରର ବରିଷ୍ଠ ବୃତ୍ତିଜୀବୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମରେ ଓଏଚପିସି ର ଗେଟ (ଇଆଇ) ମନୋଜ କୁମାର ମହାରଣା, ଯୁବ ରେଡ୍କ୍ରସ୍ ସମ୍ବଲପୁରର କନଭେନର ସେକ୍ରେଟାରୀ ପବିତ୍ର ମୋହନ ବେହେରା, ଆକାଶବାଣୀ ସମ୍ବଲପୁରର ପ୍ରୋଗ୍ରାମ୍ ଏକ୍ଜିକ୍ୟୁଟିଭ୍ ସୌଭାଗ୍ୟ କୁମାର ରଥ ଏବଂ ବୌଦ୍ଧ ପଞ୍ଚାୟତ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଡ. ପ୍ରବୀର କୁମାର ଦାସ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ।ପାରମ୍ପରିକ ଦୀପ ପ୍ରଜ୍ଜ୍ୱଳନରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପରେ ଜିଏମ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟପ୍ରକାଶ ପ୍ରଧାନ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଅଧିବେଶନରେ ଷ୍ଟେମ ଶିକ୍ଷା, ନାଗରିକ ଦାୟିତ୍ୱ, ସରକାରୀ ସେବାରେ କ୍ୟାରିୟର ସୁଯୋଗ, ଗଣମାଧ୍ୟମ ଓ ସୃଜନଶୀଳ ଯୋଗାଯୋଗ ସହିତ ବିଭିନ୍ନ କ୍ଷେତ୍ରରେ ଉପଲବ୍ଧ ଭବିଷ୍ୟତ ସୁଯୋଗ ସମ୍ପର୍କରେ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ।
ଆକାଶବାଣୀର ପ୍ରୋଗ୍ରାମ୍ ଏକ୍ଜିକ୍ୟୁଟିଭ୍ ସୌଭାଗ୍ୟ କୁମାର ରଥ ଗଣମାଧ୍ୟମ, ଯୋଗାଯୋଗ ଏବଂ ପ୍ରସାରଣ କ୍ଷେତ୍ରରେ ବୈଷୟିକ ପରିବର୍ତ୍ତନ ସହ ଖାପ ଖୁଆଇବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ମନୋଜ କୁମାର ମହାରଣା ଓ ଡ. ପ୍ରବୀର କୁମାର ଦାସ ଛାତ୍ରଛାତ୍ରୀଙ୍କୁ ବୈଜ୍ଞାନିକ ଚିନ୍ତାଧାରା ବିକଶିତ କରିବା, ବୈଷୟିକ ଓ ବିଜ୍ଞାନଭିତ୍ତିକ କ୍ୟାରିୟର ସୁଯୋଗ ଅନ୍ୱେଷଣ କରିବା ଏବଂ ଶିକ୍ଷା କ୍ଷେତ୍ରରେ ନିରନ୍ତର ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ।ସେହିପରି ପବିତ୍ର ମୋହନ ବେହେରା ନିଜ ଜୀବନଯାତ୍ରାର ଅନୁଭୂତି ବାଣ୍ଟିବା ସହ ଯୁବ ନେତୃତ୍ୱ, ସମାଜସେବା ଓ ବ୍ୟକ୍ତିଗତ ଶୃଙ୍ଖଳାର ଗୁରୁତ୍ୱ ବୁଝାଇଥିଲେ।ପରେ ଅନୁଷ୍ଠିତ ମୁକ୍ତ ପ୍ରଶ୍ନୋତ୍ତର ଅଧିବେଶନରେ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି, କ୍ୟାରିୟର ଚୟନ ଓ ନୂତନ ବୈଷୟିକ ଧାରା ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଅତିଥିମାନେ ସେଗୁଡ଼ିକର ଉତ୍ତର ଦେଇ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ଦିଗଦର୍ଶନ ଦେଇଥିଲେ।ଜିଏମ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟପ୍ରକାଶ ପ୍ରଧାନ କହିଥିଲେ, “ପ୍ରଗତି ୨୦୨୬ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଦ୍ୟାଳୟ ଶିକ୍ଷା ପରେ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ବିଭିନ୍ନ କ୍ୟାରିୟର ବିକଳ୍ପ ସମ୍ପର୍କରେ ସ୍ପଷ୍ଟତା ଆଣିବା। ବିଭିନ୍ନ କ୍ଷେତ୍ରର ବୃତ୍ତିଜୀବୀଙ୍କ ସହ ସିଧାସଳଖ ଆଲୋଚନା ଛାତ୍ରଛାତ୍ରୀଙ୍କୁ ନିଜ ଭବିଷ୍ୟତ ସମ୍ପର୍କରେ ସଚେତନ ଓ ସଠିକ୍ ନିଷ୍ପତ୍ତି ନେବାରେ ସହାୟକ ହେବ।”କାର୍ଯ୍ୟକ୍ରମ ଶେଷରେ ସାଥି ମିତ୍ର ମନୋଜ ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ଏକ କ୍ୟାରିୟର ସଚେତନତା କାର୍ଯ୍ୟକ୍ରମ। ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କ୍ଷେତ୍ରର ସୁଯୋଗ, ପ୍ରତ୍ୟକ୍ଷ ମାର୍ଗଦର୍ଶନ ଓ ସଠିକ୍ ନିଷ୍ପତ୍ତି ନେବାର ଦକ୍ଷତା ପ୍ରଦାନ କରିବା ଏହାର ମୁଖ୍ୟ ଲକ୍ଷ୍ୟ।ସେହିପରି ସାଥି ଶିକ୍ଷା ମନ୍ତ୍ରଣାଳୟ ଓ ଆଇଆଇଟି କାନପୁରର ମିଳିତ ପ୍ରୟାସରେ ବିକଶିତ ସାଥି ଦେଶର ପ୍ରତିଯୋଗିତାମୂଳକ ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଉଚ୍ଚମାନର ଶିକ୍ଷଣ ସାମଗ୍ରୀ, ବିଶେଷଜ୍ଞଙ୍କ ଅଧ୍ୟାପନ ଓ ମକ୍ ଟେଷ୍ଟ ସୁବିଧା ପ୍ରଦାନ କରିଥାଏ। ସାଥି କେନ୍ଦ୍ରଗୁଡ଼ିକ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନୀୟ ସ୍ତରରେ ଭୌତିକ ଶିକ୍ଷା ଓ ସମ୍ବଳ କେନ୍ଦ୍ର ଭାବେ କାର୍ଯ୍ୟ କରୁଥିବା କୁହାଯାଇଥିଲା।
