August 31, 2026

ସମ୍ବଲପୁରରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ବିକଶିତ ଓଡ଼ିଶା’ ‘ବିକଶିତ ଭାରତ’ ଗଠନ କରିବାକୁ ନେଲେ ସଂକଳ୍ପ

IMG-20260831-WA0074
Share

ସମ୍ବଲପୁର, ୩୧. ୦୮:ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡିଶା ସରକାରଙ୍କର ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୌରାଞ୍ଚଳର ଉନ୍ନୟନ ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି।ମନ୍ତ୍ରୀ ଶ୍ରୀ ପୂଜାରୀ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ସହରର ବିକାଶ ହିଁ ରାଜ୍ୟର ବିକାଶର ମୂଳଦୁଆ। ପ୍ରତ୍ୟେକ ନାଗରିକଙ୍କ ସହଯୋଗ ଓ କାଉନସିଲରମାନଙ୍କ କଠିନ ପରିଶ୍ରମ ଦ୍ୱାରା ସହରାଞ୍ଚଳର ବିକାଶ ସମ୍ଭବ। ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ସଫେଇ କର୍ମଚାରୀଙ୍କ ଅବଦାନ ଅତୁଳନୀୟ। ବର୍ଷା ଦିନେ ସହରାଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ପରିସ୍ଥିତି ରୋକିବା ପାଇଁ ଉପଯୁକ୍ତ ଡ୍ରେନେଜ୍ ପ୍ରକଳ୍ପ ପ୍ରସ୍ତୁତ କଲେ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ। ଏହା ସହିତ ସହରାଞ୍ଚଳର ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇବା ପାଇଁ ବହୁମୁଖୀ ଆପାର୍ଟମେଣ୍ଟ/ଆଫୋର୍ଡେବଲ ହାଉସିଂ ସ୍କିମ୍ / ଆବାସ ଯୋଜନା ନିମନ୍ତେ ରାଜସ୍ୱ ବିଭାଗ ପକ୍ଷରୁ ସମସ୍ତ ଆବଶ୍ୟକ ଜମି ଯୋଗାଇ ଦିଆଯିବ। ପୌର ସଂସ୍ଥାଗୁଡ଼ିକୁ ଅଧିକ କ୍ଷମତାସମ୍ପନ୍ନ ଓ ସଶକ୍ତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ସମସ୍ତ ପୌରାଞ୍ଚଳକୁ ବିକଶିତ କରି ‘ବିକଶିତ ଓଡ଼ିଶା’ ତଥା ‘ବିକଶିତ ଭାରତ’ ଗଠନ କରିବାକୁ ସମସ୍ତେ ସଂକଳ୍ପବଦ୍ଧ ହେବା ଉଚିତ ବୋଲି ସେ କହିଥିଲେ।

ଉକ୍ତ କାର୍ଯ୍ୟକର୍ମ ରେ ଜିଲ୍ଲାପାଳ ସମ୍ବଲପୁର ଯୋଗଦେଇ ସହରର ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବିଭିନ୍ନ ସ୍ଥାନରେ ଜଳ ବିଶୋଧନାଗାର ନିର୍ମାଣ କରାଯାଉଛି। ଡ୍ରେନେଜ୍ ସମସ୍ୟାର ସ୍ଥାୟୀ ସମାଧାନ ଲାଗି ସ୍ୱତନ୍ତ୍ର ଡ୍ରେନେଜ୍ ଡିଭିଜନ୍ ଗଠନ କରାଯିବା ପାଇଁ ପ୍ରସ୍ତାବ ସରକାରଙ୍କ ବିଚାର ପାଇଁ ପଠାଯାଇଥିବା ସେ ପ୍ରକାଶ କରିଛନ୍ତି।ସେହିପରି ସହରର ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଘରକୁ ଘର ବୁଲି ଶତପ୍ରତିଶତ ଅଳିଆ ସଂଗ୍ରହ ଉପରେ କଡ଼ା ନଜର ରଖାଯିବ ଏବଂ ସ୍ୱେରେଜ୍ ବ୍ୟବସ୍ଥାର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଉଥିବା ସେ ଜଣାଇଛନ୍ତି। ସହରର ଭିତ୍ତିଭୂମି ବିକାଶ ପ୍ରସଙ୍ଗରେ ସେ ସୂଚନା ଦେଇଛନ୍ତି ଯେ ଆଗାମୀ ଦିନରେ ସମ୍ବଲପୁର ଓ ହୀରାକୁଦ ରିଂ ରୋଡ୍‌ର ଉନ୍ନତୀକରଣ କାର୍ଯ୍ୟ ଟେଣ୍ଡର ମାଧ୍ୟମରେ ଖୁବ୍ ଶୀଘ୍ର ଆରମ୍ଭ ହେବ ଏବଂ ସୁଲଭ ଆବାସ ଯୋଜନାରେ ୧୪୦୦ରୁ ଊର୍ଦ୍ଧ୍ୱ ପରିବାରଙ୍କୁ ବାସଗୃହ ଯୋଗାଇ ଦିଆଯିବ। ପର୍ଯ୍ୟଟନ ଏବଂ କ୍ରୀଡ଼ା କ୍ଷେତ୍ରର ବିକାଶ ପାଇଁ ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟର ନବୀକରଣ, ହୀରାକୁଦ ପର୍ଯ୍ୟଟନର ଉନ୍ନତି ଏବଂ ବୁର୍ଲା ଠାରେ ଇନଡୋର୍ ଷ୍ଟାଡିୟମ୍ ସହ ୨୦୦ ଶଯ୍ୟା ବିଶିଷ୍ଟ କ୍ରୀଡ଼ା ଛାତ୍ରାବାସ ନିର୍ମାଣ ହେବ ବୋଲି ସେ କହିଛନ୍ତି। ଶେଷରେ, ଏକ ସୁନ୍ଦର ତଥା ସୁପରିକଳ୍ପିତ ସମ୍ବଲପୁର ଗଠନ ଦିଗରେ ବେଆଇନ ଜମି ଲେ-ଆଉଟ୍ ବା ପ୍ଲଟିଂରୁ ନିବୃତ୍ତ ରହିବା ସହ ନିୟମିତ ପୌର ଟିକସ ପ୍ରଦାନ କରି ପ୍ରଶାସନକୁ ସହଯୋଗ କରିବାକୁ ଜିଲ୍ଲାପାଳ ସର୍ବସାଧାରଣଙ୍କୁ ନିବେଦନ କରିଛନ୍ତି।

ଏସଏମସି କମିଶନର ଶ୍ରୀ ରେହାନ ଖତ୍ରୀ ଯୋଗଦେଇ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। କମିଶନର ନିଜ ବକ୍ତବ୍ୟରେ ଜଣାଇଛନ୍ତି ଯେ ପୁରାତନ ଏହି ସଂସ୍ଥାରେ ବର୍ତ୍ତମାନ ଭିତ୍ତିଭୂମି ବିକାଶକୁ ଅଧିକ ତ୍ୱରାନ୍ୱିତ କରାଯାଉଛି, କମିଶନର କହିଥିଲେ ଯେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୁଶାସନ ପ୍ରଦାନ କରିବା ନିଗମର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶା ସରକାର ସହରାଞ୍ଚଳ ସ୍ଥାନୀୟ ପ୍ରଶାସନକୁ ରାସ୍ତା ନିର୍ମାଣ, ଆଲୋକୀକରଣ, ସାର୍ବଜନୀନ ଶୌଚାଳୟ, ଶ୍ମଶାନ ଏବଂ ପାର୍କ ରକ୍ଷଣାବେକ୍ଷଣ ଭଳି ଅନେକ ଦାୟିତ୍ୱ ତଥା ଆର୍ଥିକ ଅନୁଦାନ ହସ୍ତାନ୍ତର କରିଛନ୍ତି। ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ଏକ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ ହୋଇଥିଲେ ମଧ୍ୟ ସମସ୍ତଙ୍କ ସହଯୋଗରେ ସମ୍ବଲପୁରକୁ ଏକ ସ୍ୱଚ୍ଛ ଓ ସୁନ୍ଦର ସହରରେ ପରିଣତ କରିବା ନେଇ ସେ ଆଶାବ୍ୟକ୍ତ କରିଥିଲେ। ଜନକଲ୍ୟାଣକାରୀ ଯୋଜନା ବିଷୟରେ କମିଶନର ସୂଚନା ଦେଇଥିଲେ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨.୦ ଅନ୍ତର୍ଗତ ବିଗତ ଦେଢ଼ ବର୍ଷ ମଧ୍ୟରେ ପ୍ରାୟ ୧୫୦୦ ରୁ ଊର୍ଦ୍ଧ୍ୱ ଗୃହ ମଞ୍ଜୁର ହୋଇଛି ଏବଂ ଆଜି ପ୍ରାୟ ୬୬ ଜଣ ହିତାଧିକାରୀଙ୍କୁ ନୂତନ କାର୍ଯ୍ୟାଦେଶ ପ୍ରଦାନ ସହ ଘର ନିର୍ମାଣ ସାରିଥିବା ଲୋକଙ୍କର ଗୃହ ପ୍ରବେଶ କରାଯିବ। ପ୍ରତି ଘର ପାଇଁ ପ୍ରାୟ ୨.୫ ଲକ୍ଷ ଟଙ୍କାର ସରକାରୀ ସହାୟତା ପ୍ରଦାନ କରାଯାଉଛି। ଏହା ସହିତ ସାମାଜିକ ସୁରକ୍ଷା ଯୋଜନାରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ବାବଦକୁ ପ୍ରତି ମାସରେ ପ୍ରାୟ ୧ କୋଟି ୬୫ ଲକ୍ଷ ଟଙ୍କା ବଣ୍ଟନ କରାଯାଉଛି। ଦିବ୍ୟାଙ୍ଗମାନଙ୍କ ସୁବିଧା ପାଇଁ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ଥିବା ବ୍ୟକ୍ତିବିଶେଷଙ୍କୁ ଇଲେକ୍ଟ୍ରିକ୍ ହୁଇଲଚେୟାର ବିତରଣ କରାଯାଇଛି, ଯାହାକି ସେମାନଙ୍କର ଶିକ୍ଷା, ନିଯୁକ୍ତି ଏବଂ ଗମନାଗମନରେ ଉନ୍ନତି ଆଣିବ।

ଆଗାମୀ ବିକାଶମୂଳକ ଯୋଜନା ବିଷୟରେ କମିଶନର ଜଣାଇଥିଲେ ଯେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ସମ୍ବଲପୁର ତୃତୀୟ ସର୍ବାଧିକ ଅନୁଦାନ ପାଇଛି ଏବଂ ଏହି ଅବସରରେ ପ୍ରାୟ ୧୩ କୋଟି ଟଙ୍କାର ପ୍ରକଳ୍ପ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲୋକାର୍ପିତ ହେବ। କେନ୍ଦ୍ର ସରକାରଙ୍କ ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ ଅଧୀନରେ ବର୍ଷାଜଳ ନିଷ୍କାସନ ନିମନ୍ତେ ୧,୦୮୫ କୋଟି ଟଙ୍କାର ଏକ ବିରାଟ ଡ୍ରେନେଜ୍ ମାଷ୍ଟର ପ୍ଲାନ୍‌କୁ ନୀତିଗତ ଅନୁମୋଦନ ମିଳିଛି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପ୍ରାୟ ୧୫୦ କୋଟି ଟଙ୍କା ବ୍ୟୟରେ ଏକ ସିବିଜି ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହାକି ବର୍ଜ୍ୟରୁ ମିଥେନ୍ ଗ୍ୟାସ୍ ଏବଂ ଶକ୍ତି ଉତ୍ପାଦନ କରିବ। ଏଥିସହ ସମ୍ବଲପୁରରେ ମଧ୍ୟ ଭୁବନେଶ୍ୱର ଓ ରାଉରକେଲା ଭଳି ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ସ୍ଥାପନ କରାଯିବ, ଯେଉଁଥିରେ ସିସିଟିଭି ମନିଟରିଂ, ମହିଳା ସୁରକ୍ଷା, ଟ୍ରାଫିକ୍ ପରିଚାଳନା ଏବଂ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଭଳି ସୁବିଧା ରହିବ। ଶେଷରେ ସେ ସୂଚନା ଦେଇଥିଲେ ଯେ ସହରର ବିଭିନ୍ନ ପାର୍କ, ଆହାର କେନ୍ଦ୍ର, ସହରୀ ଗୃହହୀନ ଆଶ୍ରୟସ୍ଥଳୀ, ଦୁର୍ଗାପାଲି ୱାଟରଫ୍ରଣ୍ଟ, ଅଟଳ ପାର୍କ ଏବଂ ଗୋଲଗୁଣ୍ଡା ପୋଖରୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ତଥା ଗୋଶାଳା ନିର୍ମାଣ ଓ ବୁଲା କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି ।

 ଏହି ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କୁ ସହାୟତା ବଣ୍ଟନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଦେବକୀ ଚାନ୍ଦ, ବୁଇ ସାହୁ, ଅତୁଲ୍ୟ ବାଗ, ପଦ୍ମା କଲେତ ଏବଂ କରୁଣା କଲେତଙ୍କୁ ୱାର୍କ ଅର୍ଡର ପ୍ରଦାନ କରାଯାଇଥିବା ବେଳେ ସବିତା ଓରାମ, ଦ୍ରୌପଦୀ ଓରାମ, ଲକ୍ଷ୍ମୀ ଓରାମ, ସୁବନ୍ତୀ ଓରାମ ଏବଂ ମିନତି ବାଗଙ୍କର ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଧୁବାବୁ ପେନସନ୍ ଯୋଜନାରେ ଲକ୍ଷ୍ମୀ ଭୋଇ, ଗୋଦାବରୀ ଓରାମ, ନଫିସ୍ କୁରେସୀ, ରାଧା ଦେବୀ ଏବଂ ସୁବାସିନୀ ଦେହୁରୀଙ୍କୁ ପେନସନ୍ କାର୍ଡ ବଣ୍ଟନ କରାଯାଇଥିଲା। ସେହିପରି ଦିବ୍ୟାଙ୍ଗ ହିତାଧିକାରୀ ମନୁ ଯାଦବ, ଗୀତା ମେହେର, ବିପିନ ହରିପାଳ, ତାରିଣୀ ଚରଣ ମିଶ୍ର ଏବଂ ରାମା ସେଠୀଙ୍କୁ ଇଲେକ୍ଟ୍ରିକ୍ ମୋଟରାଇଜ୍ଡ ହ୍ୱିଲ୍‌ଚେୟାର ପ୍ରଦାନ କରାଯାଇଥିଲା। ଏହାବ୍ୟତୀତ ପିଏମ୍ ସ୍ୱନିଧି ଯୋଜନାରେ ଉଠାଦୋକାନୀ ଲବ କୁମାର ବେହେରା, ସ୍ମିତାରାଣୀ ସାହୁ, ସୁଶୀଲ କୁମାର ମହାନମା ଏବଂ ଲଳିତ ବନଛୁରଙ୍କୁ ୧୫,୦୦୦ ଟଙ୍କା ଲେଖାଏଁ ପ୍ରଥମ ପର୍ଯ୍ୟାୟ ଋଣ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଆୟୋଜିତ ପ୍ରବନ୍ଧ, ସ୍ଲୋଗାନ ଏବଂ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ, ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରେଷ୍ଠ ସ୍ୱଚ୍ଛ ସାଥୀ ଭାବେ ଲକ୍ଷ୍ମୀ ସେନାପତି, ଶ୍ରେଷ୍ଠ ସ୍ୱଚ୍ଛ ସୁପରଭାଇଜର ପିଙ୍କି ସିଂହ, ଶ୍ରେଷ୍ଠ ସାନିଟାରୀ ଇନ୍ସପେକ୍ଟର ବିଶ୍ୱନାଥ ଦେବତା ଏବଂ ସାନିଟେସନ୍ ଏକ୍ସପର୍ଟ ସୁମିତ ତାଣ୍ଡିଆଙ୍କ ସମେତ ଶ୍ରେଷ୍ଠ ଘରକୁ-ଘର ବର୍ଜ୍ୟବସ୍ତୁ ସଂଗ୍ରହକାରୀ ଦଳ – ଡ୍ରାଇଭର ରେ ରାଜକୁମାର ସୁନା, ଶ୍ରେଷ୍ଠ ଘରକୁ-ଘର ବର୍ଜ୍ୟବସ୍ତୁ ସଂଗ୍ରହକାରୀ ଦଳ – ଲୋଡର୍ ମଣିକର ଗଣ୍ଡା, ଶ୍ରେଷ୍ଠ ଟ୍ରାକ୍ଟର ଭିତ୍ତିକ ବର୍ଜ୍ୟବସ୍ତୁ ସଂଗ୍ରହକାରୀ ଗାଡ଼ି ଦଳ – ଡ୍ରାଇଭର ରାଜାରାମ ବର୍ମା, ଶ୍ରେଷ୍ଠ ଟ୍ରାକ୍ଟର ଭିତ୍ତିକ ବର୍ଜ୍ୟବସ୍ତୁ ସଂଗ୍ରହକାରୀ ଦଳ – ଲୋଡର୍ ସାଗର ମୁଖୀ, ବନ୍ୟା ତଥା ଜରୁରୀକାଳୀନ ପରିସ୍ଥିତିରେ ଶ୍ରେଷ୍ଠ କର୍ମଚାରୀ ସଞ୍ଜୟ ହାତୀ ଓ ସନାମୁଳା ଅନସାରୀଙ୍କୁ ଉତ୍ସର୍ଗୀକୃତ ସଫେଇ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବଲପୁର ଜିଲ୍ଲାପାଳ ତଥା ପୌର ପ୍ରଶାସକ ସିଦ୍ଧେଶ୍ୱର ବଳିରାମ ବୋନ୍ଦର(ଭା.ପ୍ର.ସେ), ସମ୍ବଲପୁର ମହାନଗର ନିଗମ କମିଶନର ରେହାନ ଖତ୍ରୀ(ଭା.ପ୍ର.ସେ), ପୂର୍ବତନ ବିଧାୟକ ନାଉରୀ ନାୟକ, ପୂର୍ବତନ ନଗରପାଳ ଓ କାଉନସିଲରବୃନ୍ଦ ଏବଂ ଅଧିକାରୀମାନେ ଉପସ୍ଥିତ ରହି ଭୁବନେଶ୍ବର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ ।

You may have missed