ତୁର୍କେଲ ସେତୁ ନିର୍ମାଣ ଦାବିରେ କଂଗ୍ରେସ ତରଫରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣା

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ବ୍ଲକ ଅନ୍ତର୍ଗତ ତୁର୍କେଲ ସେତୁ ପୁନଃ ନିର୍ମାଣ ଦାବିରେ ଗତ ୨୭ ତାରିଖରୁ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ତରଫରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଦିବାରାତ୍ର ଗଣଧାରଣାରେ ବସିଛନ୍ତି କଂଗ୍ରେସ କର୍ମୀ। ଭବାନୀପାଟଣା ଠାରୁ ଛତିଶଗଡ଼ର ରାୟପୁର ପର୍ଯ୍ୟନ୍ତ ଏହି ପ୍ରମୁଖ ରାସ୍ତା ମଧ୍ୟରେ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ସୀମାନ୍ତରେ ପଡୁଥିବା ଏହି ପୁରୁଣା ସେତୁଟି ଗତ ସେପ୍ଟେମ୍ବର ମାସରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ, ସେତୁର ଗୋଟିଏ ପଟ ଦାବିଯିବା କାରଣରୁ ପୂର୍ତ୍ତ ବିଭାଗ ତରଫରୁ ଏହି ସେତୁ ଉପରେ ଯାନବାହାନ ସମ୍ପୂର୍ଣ ବନ୍ଦ କରିଦିଆଯାଇଥିଲା। ପ୍ରକାଶ ଥାଉକି, ଏହି ପ୍ରମୁଖ ରାସ୍ତାଟି ଓଡିଶା ଓ ଛତିଶଗଡ଼ ରାଜ୍ୟ ମଧ୍ୟରେ ଚାଲିଥିବା ବାଣିଜିକ କାରବାରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାବେଳେ, ଆଜକୁ ୭ ମାସରୁ ଉର୍ଦ୍ଧ ହେବ ଏହି ତୁର୍କେଲ ସେତୁ ଉପରେ ଯାନବାହାନ ଚଳାଚଳ ନିଷେଧ ପରେ ବାଣୀଜ୍ୟିକ କାରବାର ସମ୍ପୂର୍ଣ ଠପ୍ ହୋଇଯାଇଛି। ଏହାଛଡା କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ପୂର୍ବରୁ ଜିଲ୍ଲା କଂଗ୍ରେସ ପକ୍ଷରୁ ତୁରନ୍ତ ସେତୁ ନିର୍ମାଣ ଦାବିରେ ତୁର୍କେଲ ସେତୁ ନିକଟସ୍ଥ ତୁରେକେଲା ଗ୍ରାମ ଠାରେ ୧୧ ଦିନ ପର୍ଯ୍ୟନ୍ତ ଗଣଧାରଣା ଦିଆଯାଇଥିଲା ଏବଂ ଏନେଇ ପ୍ରଶାସନ ତରଫରୁ ସେତୁଟିର ୭ ଦିନ ମଧ୍ୟରେ ମରାମତି ଓ ଆପ୍ରୋଚ ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ଦେବାପରେ କଂଗ୍ରେସ ଆନ୍ଦୋଳନରୁ ଓହରିଥିଲା। କିନ୍ତୁ ପ୍ରତିଶୃତି ଦେଇ ୭ ମାସରୁ ଉର୍ଦ୍ଧ ହେଲାଣି ପ୍ରଶାସନ ତୁର୍କେଲ ସେତୁ ନିର୍ମାଣରେ ଅବହେଳା କରିଚାଲିଥିବାବେଳେ,କଳାହାଣ୍ଡିର ସାଧାରଣ ଜନତା ତଥା ଭବାନୀପାଟଣା ବିଧାୟକଙ୍କ ବାରମ୍ବାର ଦାବି ସତ୍ତ୍ୱେ ଚଳିତ ସରକାର ତଥା ଜିଲ୍ଲା ପ୍ରଶାସନ କର୍ଣ୍ଣପାତ ନକରିବା ଯୋଗୁଁ ବାଧ୍ୟ ହୋଇ କଂଗ୍ରେସ ତରଫରୁ ପୁଣିଥରେ ଗତ ୨୭ ତାରିଖରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କିଂଗ୍ରେସ ସଭାପତି ଶ୍ରୀ ଜଳନ୍ଧର ନାଏକଙ୍କ ନେତୃତ୍ୱରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣା ଦିଆଯାଇଛି। ଏଥିରେ ପୂର୍ବତନ ସଭାପତି ଶ୍ରୀ ଭାରତ ଭୂଷଣ ବେମାଲ, ସହଦେଵ ନାଏକ, ବରିଷ୍ଠ କଂଗ୍ରେସ ନେତା ଉଛବ ସାହୁ ତଥା ଧନୁର୍ଧର ନାଏକଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି। ଏହି ଗଣଧାରଣାଟି ଆଜି ୪ର୍ଥ ଦିନରେ ପହଞ୍ଚିଥିବା ବେଳେ, ଆଜି ଏଥିରେ ଭବାନୀପାଟଣା ବିଧାୟକ ଶ୍ରୀ ସାଗର ଚରଣ ଦାସ ସାମିଲ ହୋଇଛନ୍ତି ଏବଂ ଗଣମାଧ୍ୟମକୁ ଜଣାଇଛନ୍ତି ଯେ’, ପ୍ରଶାସନ ତୁର୍କେଲ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ନକରିବା ପର୍ଯ୍ୟନ୍ତ ଏହି ଗଣଧାରଣା ଜାରି ରହିବ ଏବଂ ଆଗକୁ ଆନ୍ଦୋଳନାତ୍ମକ ପନ୍ଥା ମଧ୍ୟ ଗ୍ରହଣ କରାଯିବ ବୋଲି ଜଣାଇଛନ୍ତି।
