April 30, 2026

ଛତ୍ରପୁରରେ ମାଁ ଘାଟଗାଁ ତାରିଣୀଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ସମ୍ପନ୍ନ

IMG-20260201-WA0027
Share

 

ଛତ୍ରପୁର ତା ୧/୨/୨୬(ଅରୁଣ କୁମାର ପଣ୍ଡା) ଛତ୍ରପୁର ସହର ପାଇଁ ଆଜି ଏକ ଅତ୍ୟନ୍ତ ପୁଣ୍ୟମୟ ଓ ସ୍ମରଣୀୟ ଦିନ ଭାବେ ପରିଚିତ ହୋଇଛି। ମାଁ ଘାଟଗାଁ ତାରିଣୀଙ୍କ ନୂତନ ମନ୍ଦିର ନିର୍ମାଣ ନିମିତ୍ତେ ଛତ୍ରପୁର ନୂତନ ବସ୍‌ଷ୍ଟାଣ୍ଡ ନିକଟରେ ଭବ୍ୟ ଭୂମି ପୂଜା କାର୍ଯ୍ୟକ୍ରମ ସମସ୍ତଙ୍କ ସହଯୋଗରେ ସଫଳତାର ସହିତ ସମ୍ପନ୍ନ ହୋଇଛି।

ଏହି ପବିତ୍ର କାର୍ଯ୍ୟକ୍ରମରେ ଅଞ୍ଚଳର ପ୍ରିୟ ଓ ସମ୍ମାନନୀୟ ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ବିଶେଷ ଭାବରେ ଉପସ୍ଥିତ ରହି ମାଁଙ୍କ ଆଶୀର୍ବାଦ କାମନା କରିଥିଲେ। ତାଙ୍କ ସହ ନଗରର ବହୁ ସମ୍ମାନନୀୟ ବ୍ୟକ୍ତିବିଶେଷ, ସ୍ଥାନୀୟ ନଗରବାସୀ ଓ ଅଗଣିତ ଭକ୍ତଗଣ ଉପସ୍ଥିତ ରହି ଏହି ପୁଣ୍ୟ କାର୍ଯ୍ୟକୁ ସାର୍ଥକ କରିଥିଲେ।

ଭୂମି ପୂଜା ଅବସରରେ ସମଗ୍ର ପରିସର ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଥିଲା। ସମସ୍ତ ଭକ୍ତଗଣଙ୍କ ଦ୍ୱାରା ଭଜନ ଓ କୀର୍ତ୍ତନର ମଧୁର ଧ୍ୱନି, ଶଙ୍ଖ ଓ ଘଣ୍ଟାନାଦ ସହ ମାଁ ତାରିଣୀଙ୍କ ନାମସ୍ମରଣ କରାଯାଇ ସମଗ୍ର ପରିବେଶକୁ ଆଧ୍ୟାତ୍ମିକ ଭାବେ ପବିତ୍ର କରାଯାଇଥିଲା। ଭକ୍ତମାନଙ୍କ ମତରେ, ଏହି ଭଜନ–କୀର୍ତ୍ତନ ମାଧ୍ୟମରେ ମନ୍ଦିର ନିର୍ମାଣ ସ୍ଥଳ ଶୁଦ୍ଧ ଓ ପବିତ୍ର ହୋଇଥିଲା।

ନୂତନ ମନ୍ଦିର ନିର୍ମାଣ ସ୍ଥଳର ଏକ ବିଶେଷ ଆକର୍ଷଣ ହେଉଛି ସେଠାରେ ଅବସ୍ଥିତ ପ୍ରାଚୀନ ବଟବୃକ୍ଷ। ଭକ୍ତମାନଙ୍କର ଗଭୀର ବିଶ୍ୱାସ ଯେ, ଏହି ବଟବୃକ୍ଷ ମାଁ ଘାଟଗାଁ ତାରିଣୀଙ୍କ ଆଶୀର୍ବାଦର ପ୍ରତୀକ ଓ ଏହା ମନ୍ଦିର ପରିସରକୁ ଅଧିକ ପବିତ୍ରତା ପ୍ରଦାନ କରୁଛି।

ଉଲ୍ଲେଖଯୋଗ୍ୟ ଯେ, କିଛି ବର୍ଷ ପୂର୍ବେ ଛତ୍ରପୁର ଲୋୱର ବସ୍‌ଷ୍ଟାଣ୍ଡ ଅଞ୍ଚଳରେ ଅବସ୍ଥିତ ମାଁ ଘାଟଗାଁ ତାରିଣୀଙ୍କ ପୁରାତନ ମନ୍ଦିରକୁ ବିକାଶ କାର୍ଯ୍ୟର ନାମରେ ଭଙ୍ଗ କରାଯାଇଥିଲା। ସେହି ସ୍ଥାନରେ ବିଶାଳ ଅଞ୍ଚଳରେ ମହାନ ନେତା ବିଜୁ ପଟ୍ଟନାୟକଙ୍କ ପ୍ରତିମା ସ୍ଥାପନ କରାଯାଇଥିଲେ ମଧ୍ୟ ସେହି ସମୟରେ ମନ୍ଦିର ପାଇଁ କୌଣସି ସ୍ୱତନ୍ତ୍ର ସ୍ଥାୟୀ ଜାଗା ନିର୍ଦ୍ଧାରଣ ହୋଇନଥିଲା। ଏହାକୁ ନେଇ ସାଧାରଣ ଜନତା ଓ ଭକ୍ତଗଣଙ୍କ ମଧ୍ୟରେ ଅସନ୍ତୋଷର ପରିସ୍ଥିତି ଦେଖାଦେଇଥିଲା।

ପରେ ସ୍ଥାନୀୟ ନଗରବାସୀ ଓ ମାଁଙ୍କ ଭକ୍ତଗଣଙ୍କ ସହମତିରେ ଛତ୍ରପୁର ନୂତନ ବସ୍‌ଷ୍ଟାଣ୍ଡ ନିକଟରେ ଏହି ନୂତନ ସ୍ଥାନକୁ ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଧାରଣ କରାଯାଇଥିଲା।

ସମସ୍ତ ନଗରବାସୀଙ୍କ ଆଶା ଯେ, ମାଁ ଘାଟଗାଁ ତାରିଣୀଙ୍କ ଏହି ନୂତନ ମନ୍ଦିର ଭବିଷ୍ୟତରେ ଛତ୍ରପୁରର ଧାର୍ମିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭୟ ହେବ।

You may have missed