‘ଅର୍ଣ୍ଣବ’ର ପ୍ରଭାବରେ ବାଘୁଆ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି, ୨ଟି ଗେଟରେ ବନ୍ୟାଜଳ ନିଷ୍କାସନ କଲା ଜଳସେଚନ ବିଭାଗ

ବୁଗୁଡ଼ା : ତା ୨୯/୧୦/୨୬ :(ହର ପ୍ରସାଦ ପାଢ଼ୀ)ସ୍ଥାନୀୟ ବାଘୁଆ ଜଳଭଣ୍ଡାରର ସୁରକ୍ଷିତ ଓ ଜଳସ୍ତରର ବିପଦକୁ ଦୃଷ୍ଟିରେ ରଖି ଜଳସେଚନ ବିଭାଗ ପକ୍ଷରୁ ୨୯ ତାରିଖ ଦିନ ସକାଳୁ ଜଳଭଣ୍ଡାରର ୨ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରି ବାଘୁଆ ନଦୀରେ ଛଡାଯାଇଥିବା ଜଣାଯାଇଛି। ବାଘୁଆ ଜଳଭଣ୍ଡାରର ଜଳଧାରଣ କ୍ଷମତା ୧୧୩.୮୫ ମିଟର ଥିବାବେଳେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଫଳରେ ଜଳଭଣ୍ଡାରର ଜଳସ୍ତର ବିପଦ ସଙ୍କେତ ନିକଟରେ ପହଞ୍ଚିଥିଲା। ଏହାକୁ ଦୃଷ୍ଟିରେ ରଖି ରଖି ବିପଦଜ୍ଜନକ ସ୍ଥିତିକୁ ଏଡ଼ାଇବା ପାଇଁ ଭଞ୍ଜନଗର ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ସକାଳୁ ବାଘୁଆ ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱଜୀବନ ମହାପାତ୍ରଙ୍କ ଉପସ୍ଥିତିରେ ବାଘୁଆ ଜଳଭଣ୍ଡାରର ୨ଟି ସ୍ଟିଲ୍ ୱେ ଗେଟ୍ ଖୋଲାଯାଇ ଅତିରିକ୍ତ ବନ୍ୟାଜଳକୁ ନିଷ୍କାସନ କରାଯାଇଥିଲା । ସମ୍ପ୍ରତି ବାଘୁଆ ଜଳଭଣ୍ଡାରର ଜଳସ୍ତର ଉଚ୍ଚତା ୧୧୩.୧୫ ମିଟର ଥିବାବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧୦୪ ଘନ ମିଟର ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ୨ଟି ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୭୬ ଘନ ମିଟର ଜଳ ନିଷ୍କାସିତ ହେଉଛି। ପ୍ରକାଶ ଯେ, ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରି ବାଘୁଆ ନଦୀରେ ଛଡାଯିବା ପାଇଁ ପୂର୍ବରୁ ବିଭାଗୀୟ ପ୍ରଶାସନ ପକ୍ଷରୁ ମାଇକ୍ ଯୋଗେ ନଦୀକୁ କେହି ନଯିବା ସହ ଗୃହପାଳିତ ପଶୁମାନଙ୍କୁ ନଦୀକୁ ନଛାଡିବା ସକାଶେ ସତର୍କ ସୂଚନା କରାଯାଇଥିଲା ।
