ମାଲକାନଗିରିରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ: ବାତ୍ୟା ପରବର୍ତ୍ତୀ ସ୍ଥିତି ଓ ବିକାଶମୂଳକ କାର୍ଯ୍ୟର ତଦାରଖ.
*ମାଲକାନଗିରି
ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଉଚ୍ଚସ୍ତରୀୟ ବୈଠକରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଏବଂ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ୍ ଏଚ୍.ଙ୍କ ସମେତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ , ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ସ୍ଥିତି ଏବଂ ଜିଲ୍ଲାର ପ୍ରଶାସନିକ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ପ୍ରଶାସନର ସଠିକ୍ ପୂର୍ବ ପ୍ରସ୍ତୁତି ଓ ସତର୍କତା ଯୋଗୁଁ ଜିଲ୍ଲାରେ ବାତ୍ୟା ଦ୍ୱାରା କୌଣସି ଧନଜୀବନ ହାନି ହୋଇନଥିବା ମନ୍ତ୍ରୀ ପ୍ରକାଶ କରିବା ସହ ସ୍ଥାନୀୟ ସମସ୍ୟାଗୁଡ଼ିକର ଜରୁରୀକାଳୀନ ଭିତ୍ତିରେ ତ୍ୱରିତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ସମୀକ୍ଷା ସମୟରେ ମନ୍ତ୍ରୀ ଶ୍ରୀ ଗଣ୍ଡ ସାମାଜିକ ସୁରକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ ପେନସନ ଯୋଜନା ଏବଂଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ପାଇଁ ବିଶେଷ ସଚେତନତା ଶିବିର ଆୟୋଜନ କରିବାକୁ ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ପରାମର୍ଶ ଦେଇଛନ୍ତି। ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅନୁସୂଚିତ ଜାତି/ଜନଜାତି ହଷ୍ଟେଲଗୁଡ଼ିକର ସୁଚାରୁ ପରିଚାଳନା କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳାଫଳ ଯେପରି ଉତ୍ତମ ହେବ ଏବଂ ଶିକ୍ଷାଦାନରେ କୌଣସି ପ୍ରକାର ବ୍ୟାଘାତ ସୃଷ୍ଟି ନ ହେବ, ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମାଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ସହ ମିଳିତ ଭାବେ କାର୍ଯ୍ୟ କରି ସ୍କୁଲର ସୌନ୍ଦର୍ଯ୍ୟକରଣ, ପ୍ରାଚୀର ନିର୍ମାଣ ଓ ମରାମତି ଏବଂ ରୋଷେଇ ଗୃହର ନବୀକରଣ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି ନିଷ୍ଠାର ସହ କାର୍ଯ୍ୟ କରିବାକୁ ମନ୍ତ୍ରୀ ଏହି ସମୀକ୍ଷା ବୈଠକରେ ସମସ୍ତ ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି।
