ହାଟଡିହି ତହସିଲରୁ ୧୫୫ ବଣ୍ଡଲ ପଲିଥିନ ଗାଏବ ଘଟଣାର ୪୮ ଘଣ୍ଟା ପରେ ଥାନାରେ ଅଭିଯୋଗ, ଫୋରେନସିକ୍ ଟିମ୍ର ତଦନ୍ତ ଆରମ୍ଭ ..
ହାଟଡିହି ତା ୨୯/୧୦(ମନମୋହନ ନାୟକ) : କେନ୍ଦୁଝର ଜିଲ୍ଲାର ହାଟଡିହି ତହସିଲ କାର୍ଯ୍ୟାଳୟର ଷ୍ଟୋର ରୁମ୍ରେ ବନ୍ୟା, ବାତ୍ୟା କିମ୍ବା ଅଗ୍ନି ବିପନ୍ନ ବଣ୍ଟା ଯିବାପାଇଁ ରଖାଯାଇଥିବା ୧୫୫ ବଣ୍ଡଲ ପଲିଥିନ ଗାଏବ ହୋଇଯାଇଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି। ଘଟଣାର ପ୍ରାୟ ୪୮ ଘଣ୍ଟା ପରେ ଅଭିଯୋଗ ହୋଇଥିବାରୁ ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାସ୍ଥଳରେ ଫୋରେନସିକ୍ ଟିମ୍ ପହଞ୍ଚି ଅନୁଧ୍ୟାନ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୨୬ ତାରିଖରେ ତହସିଲ କାର୍ଯ୍ୟାଳୟର ଷ୍ଟୋର ରୁମ୍ରୁ ପଲିଥିନ ଚୋରି ହୋଇଥିବା ନେଇ ଜଣାପଡ଼ିଥିଲା। ତେବେ ଅକ୍ଟୋବର ୨୮ ତାରିଖ ରାତିରେ ନନ୍ଦିପଦା ଥାନାରେ ଏନେଇ ଅଭିଯୋଗ କରାଯାଇଥିଲା। ପୁଲିସ ମାମଲା ନଂ ୩୯୨/୨୦୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତହସିଲ ପକ୍ଷରୁ ମୋଟ ୧୫୫ ବଣ୍ଡଲ ପଲିଥିନ ଚୋରି ହୋଇଥିବା କୁହାଯାଉଛି। ଏତେ ପରିମାଣର ପଲିଥିନ ନେବା ପାଇଁ ପିକ୍ଅପ୍ ଭ୍ୟାନ୍ କିମ୍ବା ଟ୍ରାକ୍ଟର ଭଳି ଯାନର ଆବଶ୍ୟକତା ପଡ଼ିପାରେ। ଏଥିସହ ତହସିଲ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସାଧାରଣତଃ ରାତିରେ ବନ୍ଦ ରହୁଥିବାରୁ ଏତେ ପରିମାଣର ସାମଗ୍ରୀ କିପରି ବାହାରକୁ ନିଆଗଲା, ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଘଟଣାରେ କାର୍ଯ୍ୟାଳୟର କାହାରି ସମ୍ପୃକ୍ତି ରହିଛି କି ନାହିଁ, ତାହା ମଧ୍ୟ ତଦନ୍ତସାପେକ୍ଷ। ଏପରିକି ପଲିଥିନ ପୂର୍ବରୁ ଅନ୍ୟତ୍ର ବିକ୍ରି କରାଯାଇଥିବା ଏବଂ ପରେ ତାହାକୁ ଚୋରି ଦର୍ଶାଇ ଅଭିଯୋଗ କରାଯାଇଥିବା ନେଇ ମଧ୍ୟ ଆଲୋଚନା ହେଉଛି। ତେବେ ଏହି ଅଭିଯୋଗଗୁଡ଼ିକର ସତ୍ୟତା ପୁଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଘଟଣାକୁ ନେଇ ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି ଯେ, ତହସିଲର ନାଜିର ଘଟଣା ଘଟିବାର ପ୍ରାୟ ୪୮ ଘଣ୍ଟା ପରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଷ୍ଟୋର ରୁମ୍ର ତାଲା ଭଙ୍ଗାଯାଇନଥିଲା। ତେବେ ଜଞ୍ଜିର ଢିଲା ଥିବାର ସୁଯୋଗ ନେଇ ପଲିଥିନ ଚୋରି ହୋଇଥିବା କୁହାଯାଇଛି। ଏହି ଦିଗକୁ ନେଇ ମଧ୍ୟ ତଦନ୍ତ କରାଯାଉଛି।
ଅନ୍ୟପକ୍ଷରେ ହାଟଡିହି ତହସିଲଦାର ସଞ୍ଜୟ ସାମନ୍ତରାୟ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏକ ସରକାରୀ କାର୍ଯ୍ୟରେ ସେ ଗତ ଦୁଇ ଦିନ ଧରି ବାହାରେ ଥିଲେ। ଏହି ସମୟରେ ପଲିଥିନ ଚୋରି ସମ୍ପର୍କରେ କୌଣସି କର୍ମଚାରୀ ତାଙ୍କୁ ଅବଗତ କରାଇନଥିଲେ। ବୁଧବାର କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ତୁରନ୍ତ ନାଜିରଙ୍କୁ ଥାନାରେ ଅଭିଯୋଗ କରିବାକୁ କହିବା ସହ ଆନନ୍ଦପୁର ଏସ୍ଡିପିଓ କମଳ କୁମାର ପଣ୍ଡାଙ୍କୁ ମଧ୍ୟ ଅବଗତ କରାଇଥିଲେ। ଏଥିସହ ବିଭାଗୀୟ ତଦନ୍ତ ପାଇଁ ଏକ ଟିମ୍ ଗଠନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଆଜି ମଧ୍ୟାହ୍ନରେ ନନ୍ଦିପଦା ଥାନା ଇନ୍ସପେକ୍ଟର ବଳିଆ ବାରିକଙ୍କ ନେତୃତ୍ୱରେ କେନ୍ଦୁଝରରୁ ଫୋରେନସିକ୍ ଟିମ୍କୁ ଡକାଯାଇ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରାଯାଇଛି। ଷ୍ଟୋର ରୁମ୍ର ସୁରକ୍ଷା ବ୍ୟବସ୍ଥା, ଜଞ୍ଜିରର ସ୍ଥିତି ଏବଂ ଅନ୍ୟାନ୍ୟ ଦିଗକୁ ଯାଞ୍ଚ କରାଯାଉଛି। କେଉଁଠି କେଉଁଠି ସି ସି କ୍ୟାମେରା ଲାଗିଛି ତାହାକୁ ମଧ୍ୟ ଅନୁଧ୍ୟାନ କରା ଯାଉଛି। ତେବେ ତହସିଲ କାର୍ଯ୍ୟାଳୟରୁ ତାଲା ଭଙ୍ଗା ନଯାଇ ଏତେ ପରିମାଣର ପଲିଥିନ କିପରି ଗାଏବ ହେଲା, ଅଭିଯୋଗ କରିବାରେ ବିଳମ୍ବ କାହିଁକି ହେଲା ଏବଂ ଏହି ଘଟଣା ପଛରେ କାହାରି ସମ୍ପୃକ୍ତି ରହିଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଏବେ ପୁଲିସ ତଦନ୍ତର ଫଳାଫଳକୁ ଅପେକ୍ଷା କରାଯାଇଛି।
