ଆମପାଣି ଦଶରା ପୂର୍ବରୁ ଅବକାରୀ ବିଭାଗର ଚଢ଼ାଉ, ଦୁଇ ଅଭିଯୁକ୍ତ ଗିରଫ
(ଧର୍ମଗଡ ଉପଖଣ୍ଡ ରୁ ପ୍ରଦିପ ଭରାସଗରିଆ ଙ୍କ ରିପୋର୍ଟ୍): ପ୍ରସିଦ୍ଧ ଆମପାଣି ଦଶରାକୁ ଦୃଷ୍ଟିରେ ରଖି ଚୋରା ମଦ କାରବାର ଉପରେ କଡ଼ା ନଜର ରଖିଛି କୋକସରା ଅବକାରୀ ବିଭାଗ। ଆମପାଣି ଥାନା ଅଞ୍ଚଳରେ ଚୋରା ମଦ ବିକ୍ରି ସହ ହାତରନ୍ଧା ଦେଶୀ ମଦ କାରବାର ଚାଲିଥିବା ଖବର ମିଳିବା ପରେ ବିଭାଗ ପକ୍ଷରୁ ଚଢ଼ାଉ ଜୋରଦାର କରାଯାଇଛି।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କୋକସରା ଅବକାରୀ ଥାନାର ଓଆଇସି ଗୁପ୍ତେଶ୍ୱର ପଟେଲଙ୍କ ନେତୃତ୍ୱରେ ଆମପାଣି ଥାନା ଅଧୀନରେ ଥିବା ପୃଥକ ପୃଥକ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋକସରା ଜେଏମଏଫସି ଅଦାଲତକୁ ପଠାଯାଇଛି।ଗିରଫ ଅଭିଯୁକ୍ତମାନେ ହେଲେ କନ୍ଦାଗଡ଼ ଗ୍ରାମର ଲକ୍ଷ୍ମୀକାନ୍ତ ମାଝୀ। ତାଙ୍କଠାରୁ ୧୫ ଲିଟର ହାତରନ୍ଧା ଦେଶୀ ମଦ (IDL) ଜବତ କରାଯାଇଛି। ସେହିପରି ବଡ଼ପୋଡ଼ାଗୁଡ଼ା ଗ୍ରାମର ଦାମୋଦର ପୂଜାରୀଙ୍କଠାରୁ ୮ ଲିଟର ଦେଶୀ ମଦ (OSL) ଜବତ କରାଯାଇଛି।
ଏହି ଚଢ଼ାଉରେ ଅବକାରୀ ବିଭାଗର କନଷ୍ଟେବଳ ଖୁସିଦେବ କଟା, ମହାଦେବ ମାଝୀ, ରବି ବାଗ, ଅରୁଣାକ୍ଷ୍ୟ ଧାଙ୍ଗଡ଼ା ମାଝୀ ଓ ପ୍ରିୟମ୍ବଦା ଜେନା ପ୍ରମୁଖ ସାମିଲ ଥିଲେ।ଆମପାଣି ଦଶରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ସହ ଅଞ୍ଚଳରେ ବେଆଇନ ମଦ କାରବାର ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଏଭଳି ଚଢ଼ାଉ ଜାରି ରହିଛି।
