October 27, 2026

ଉମରକୋଟ ମାଁ ପେଣ୍ଡ୍ରାଣୀ ମନ୍ଦିରରେ ଚୋରି ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍‌ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ…..

IMG-20261027-WA0065
Share

ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲା ଉମରକୋଟ ସହରରେ ଚୋରି ଓ ଅସାମାଜିକ କାର୍ଯ୍ୟକଳାପକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଏବେ ଚୋରଙ୍କ ଟାର୍ଗେଟ୍‌ରେ ରହିଛି ଦେବାଳୟ। ସହରର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ପେଣ୍ଡ୍ରାଣୀଙ୍କ ମନ୍ଦିରରେ ସୋମବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଅଛି। ଦୁର୍ବୃତ୍ତମାନେ ଦାନ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଲୁଟି ନେଇଛନ୍ତି। ଏହି ଘଟଣାକୁ ନେଇ ମନ୍ଦିର କମିଟି, ବୁଦ୍ଧିଜୀବୀ ମହଲ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ପ୍ରତିଦିନ ମାଁ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଏହି ମନ୍ଦିରକୁ ବହୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ। ତେବେ ଗତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍‌ କରିଥିବା ଜଣାପଡ଼ିଛି। ହୁଣ୍ଡିରେ କେତେ ପରିମାଣର ଟଙ୍କା ଥିଲା, ତାହା ସ୍ପଷ୍ଟ ହୋଇନାହିଁ। ମନ୍ଦିରର ମୁଖ୍ୟ ଫାଟକରେ ତାଲା ପଡ଼ିଥିଲେ ମଧ୍ୟ ପାଚେରିର ଅନ୍ୟ ଏକ ପାର୍ଶ୍ୱ ଦେଇ ଦୁର୍ବୃତ୍ତମାନେ ମନ୍ଦିର ପରିସରକୁ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି। ମନ୍ଦିର ପରିସରରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଥିବା ଏବଂ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରାର ବ୍ୟବସ୍ଥା ନଥିବା ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ମନ୍ଦିର କମିଟିର ସୂଚନା ଅନୁଯାୟୀ, ଏହା ପୂର୍ବରୁ ମଧ୍ୟ ମନ୍ଦିରରେ ଦୁଇଥର ଚୋରି ଘଟଣା ଘଟିଥିଲା। ତେବେ ପୂର୍ବ ଘଟଣାଗୁଡ଼ିକରେ ଚୋରି ସାମଗ୍ରୀ ଉଦ୍ଧାର ହୋଇପାରିନଥିବା ଅଭିଯୋଗ ହୋଇଛି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଖବର ପାଇ ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତଙ୍କୁ ଚିହ୍ନଟ କରି ଗିରଫ କରିବା ସହ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି। ମନ୍ଦିରରେ ସିସିଟିଭି କ୍ୟାମେରା ସ୍ଥାପନ ଓ ନିୟମିତ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା କରାଗଲେ ଏଭଳି ଘଟଣାକୁ ରୋକାଯାଇପାରିବ ବୋଲି ଶ୍ରଦ୍ଧାଳୁମାନେ ମତ ପ୍ରକାଶ କରିଛନ୍ତି। ମାଁ ପେଣ୍ଡ୍ରାଣୀଙ୍କ ମନ୍ଦିରରେ ବାରମ୍ବାର ଚୋରି ଘଟଣା ଘଟିବା ଭକ୍ତମାନଙ୍କ ମନରେ ଉଦ୍‌ବେଗ ସୃଷ୍ଟି କରିଛି। ଏହି ଘଟଣାରେ ପୋଲିସ କେବେ ସଫଳତା ହାସଲ କରୁଛି ଏବଂ ମନ୍ଦିରର ସୁରକ୍ଷା ପାଇଁ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।