October 27, 2026

ବାତ୍ୟା ପୂର୍ବରୁ କାଶୀନଗର ଓ ଗୁମ୍ମାର ପାହାଡ଼ିଆ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ

IMG-20261027-WA0066
Share

 

ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଅବ୍ୟବସ୍ଥା ଦେଖି ଉଦ୍‌ବେଗ, ଶୁଖିଲା ଖାଦ୍ୟ ଓ ପାନୀୟ ଜଳର ଅଭାବ

କାଶୀନଗର, ୨୭ ଅକ୍ଟୋବର: ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଥିବା ବେଳେ ବିପଦପୂର୍ଣ୍ଣ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷାକୁ ନେଇ ପ୍ରସ୍ତୁତି ଚାଲିଛି। ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ଓ ଗୁମ୍ମା ବ୍ଲକର ବିଭିନ୍ନ ପାହାଡ଼ିଆ ତଥା ଭୂସ୍ଖଳନପ୍ରବଣ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ବିଧାୟକ ଉଭୟ ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କରି ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ କେଉଁ କେଉଁ ଅଞ୍ଚଳ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି, ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏଥିସହ ବିଭିନ୍ନ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ବିଷୟରେ ପଚାରି ବୁଝିଥିଲେ।

ତେବେ ଏହି ଗସ୍ତ ସମୟରେ କେତେକ ଆଶ୍ରୟସ୍ଥଳୀରେ ଅବ୍ୟବସ୍ଥା ଥିବା ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ଶୁଖିଲା ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ନଥିବା ବେଳେ ଅନେକ ସ୍ଥାନରେ ବିଶୁଦ୍ଧ ପାନୀୟ ଜଳର ଉପଯୁକ୍ତ ବ୍ୟବସ୍ଥା ନଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଏଭଳି ପରିସ୍ଥିତିରେ ବାତ୍ୟା ଓ ବର୍ଷା ସମୟରେ ଆଶ୍ରୟ ନେଉଥିବା ଲୋକେ କିପରି ନିଜର ମୌଳିକ ଆବଶ୍ୟକତା ପୂରଣ କରିବେ, ତାହାକୁ ନେଇ ପ୍ରଶ୍ନ ଉଠିଛି।

ବିଶେଷକରି ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ପରିବାରଗୁଡ଼ିକ ଭୂସ୍ଖଳନ, ପ୍ରବଳ ବର୍ଷା ଓ ବାତ୍ୟାର ସମ୍ଭାବ୍ୟ ବିପଦକୁ ନେଇ ଚିନ୍ତିତ ଅଛନ୍ତି। ନିଜ ଘରେ ରହିବା ଅସୁରକ୍ଷିତ ହେବାର ଆଶଙ୍କା ଥିବାରୁ ସେମାନେ ସୁରକ୍ଷା ଦୃଷ୍ଟିରୁ ସରକାରୀ କୋଠା ଓ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି। ଏଭଳି ସମୟରେ ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧା ସୁନିଶ୍ଚିତ କରିବା ଜରୁରୀ ହୋଇପଡ଼ିଛି।

ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ସହ ଆଶ୍ରୟସ୍ଥଳୀଗୁଡ଼ିକରେ ଆବଶ୍ୟକ ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ବିଶେଷକରି ଦୁର୍ଗମ ପାହାଡ଼ିଆ ଗ୍ରାମଗୁଡ଼ିକରେ ରହୁଥିବା ଲୋକଙ୍କ ନିକଟରେ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ଏବଂ ଜରୁରୀକାଳୀନ ସ୍ଥିତିରେ ଉଦ୍ଧାର କାର୍ଯ୍ୟକୁ ସୁଗମ କରିବା ଉପରେ ମଧ୍ୟ ଗୁରୁତ୍ୱ ରହିଛି।

ବିଧାୟକଙ୍କ ଏହି ଗସ୍ତ ସମୟରେ କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ସରପଞ୍ଚ ଅଖିଳ ପାତ୍ର, ସରପଞ୍ଚ ମଧୁବାବୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

You may have missed