୭SVF ଓଡ଼ିଶା ପକ୍ଷରୁ ପୁରୀ ସ୍ୱାମୀନାରାୟଣ ମନ୍ଦିରରେ ତିନି ଦିନିଆ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଆୟୋଜିତ
ପୁରୀ, ସେଭେନ ସ୍ପୋକ୍ସ ଭର୍ଡ୍ୟୁର ଫାଉଣ୍ଡେସନ (୭SVF) ଓଡ଼ିଶା ପକ୍ଷରୁ ସ୍ୱାମୀନାରାୟଣ ମନ୍ଦିର, ପୁରୀ ଠାରେ ଗୁଜରାଟରୁ ଆସି ସାତ ଦିନ ପାଇଁ ମନ୍ଦିରରେ ରହୁଥିବା ଭକ୍ତ ଏବଂ ପର୍ଯ୍ୟଟକ ମାନଙ୍କ ପାଇଁ ଅକ୍ଟୋବର ଏକ ତିନି ଦିନିଆ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ରକ୍ତ ଭଣ୍ଡାର ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା, ଯେଉଁଥିରେ ୧୨ ଜଣ ସନ୍ଥଙ୍କ ସମେତ ମୋଟ ୬୨ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା। ଏହି ମହତ ଅବଦାନ ପାଇଁ ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ଏବଂ ଟି-ସାର୍ଟ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।
ଆୟୋଜିତ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ବିପି (ରକ୍ତଚାପ), ରାଣ୍ଡମ୍ ବ୍ଲଡ୍ ସୁଗାର (RBS) ଏବଂ ବୋନ୍ ମିନେରାଲ୍ ଡେନସିଟି (BMD) ପରୀକ୍ଷା, ଫିଜିଓଥେରାପି ପରାମର୍ଶ ଓ ଚିକିତ୍ସା, ଆୟୁର୍ବେଦିକ ପରାମର୍ଶ ଏବଂ ମାଗଣା ଔଷଧ ବିତରଣ କରାଯାଇଥିଲା। ଏହି ଦୁଇ ଦିନିଆ ସ୍ୱାସ୍ଥ୍ୟ ସେବା ଶିବିର ଦ୍ୱାରା ୩୫୦ ରୁ ଅଧିକ ଲୋକ ଉପକୃତ ହୋଇଛନ୍ତି।
ଏହି ସବୁ ସେବା ୭SVF ର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ତଥା ବରିଷ୍ଠ ଫିଜିଓଥେରାପିଷ୍ଟ ଡାକ୍ତର ସିଦ୍ଧାର୍ଥ ଶେଖର ପାତ୍ର, କେନ୍ଦ୍ରାପଡ଼ାର ବରିଷ୍ଠ ଫିଜିଓଥେରାପିଷ୍ଟ ଡାକ୍ତର ପ୍ରିୟବ୍ରତ କାଳିକିଙ୍କର ଓଝା ଏବଂ କଟକ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଆୟୁର୍ବେଦିକ ଚିକିତ୍ସକ ଡାକ୍ତର ରାଜେଶ ମହାରଣାଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପ୍ରତିଷେଧକ ସ୍ୱାସ୍ଥ୍ୟ ସେବା, ଶାରୀରିକ ସୁସ୍ଥତା, ମାଂସପେଶୀ ଏବଂ ହାଡ଼ ଜନିତ ସମସ୍ୟାର ପ୍ରତିରୋଧ ଏବଂ ବୃଦ୍ଧବୃଦ୍ଧାମାନଙ୍କ ଯତ୍ନ ନେବା।
ସ୍ଵାମୀ ନାରାୟଣ ମନ୍ଦିର ର ପ୍ରମୁଖ ଗୁରୁଜୀ ସ୍ୱାମୀ ଶ୍ରୀ ନିତ୍ୟସ୍ୱରୂପ ଦାସଜୀ ୭SVF ଓଡ଼ିଶାର ଏହି ପ୍ରୟାସକୁ ବେଶ୍ ପ୍ରଶଂସା କରିଛନ୍ତି। ଏଭଳି କାର୍ଯ୍ୟକ୍ରମ ପାଇଁ ଅନୁମତି ଓ ସହଯୋଗ ଯୋଗାଇ ଦେଇଥିବାରୁ ମନ୍ଦିର ପ୍ରଶାସନ ପ୍ରତି ଫାଉଣ୍ଡେସନ ଆନ୍ତରିକ କୃତଜ୍ଞତା ଜଣାଇବା ସହ ଏହାର ସମସ୍ତ ସ୍ୱେଚ୍ଛାସେବୀ ଓ କର୍ମଚାରୀମାନଙ୍କୁ ବିଶେଷ ଧନ୍ୟବାଦ ଅର୍ପଣ କରିଛି।
ସମାଜ ମଙ୍ଗଳ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ ସେବା ପ୍ରତି ୭SVF ଓଡ଼ିଶାର ପ୍ରତିବଦ୍ଧତାକୁ ଦୋହରାଇ, ଏହି କାର୍ଯ୍ୟକ୍ରମଟି ପ୍ରତିଷ୍ଠାତା ଡାକ୍ତର ସିଦ୍ଧାର୍ଥ ଶେଖର ପାତ୍ର ଏବଂ ନିର୍ଦ୍ଦେଶିକା ଶ୍ରୀମତୀ ଅପର୍ଣ୍ଣା ମହାନ୍ତିଙ୍କ ନେତୃତ୍ୱରେ ସଫଳତାର ସହ ପରିଚାଳିତ ହୋଇଥିଲା। ଏହି ସ୍ୱାସ୍ଥ୍ୟ ସେବା କାର୍ଯ୍ୟ ରେ IMT, Puri ର ଛାତ୍ରଛାତ୍ରୀମାନେ 7SVFର ସ୍ୱେଚ୍ଛାସେବକ ଭାବେ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସହଯୋଗ କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
