ପଡ଼ିଆବାହାଲରେ ଦୁଇ ଟ୍ରକ୍ ମଧ୍ୟରେ ଧକ୍କା, ଜଣେ ମୃତ; ଦୁଇ ଆହତ କମଳା ବୋଝେଇ ଟ୍ରକ୍ର କ୍ୟାବିନ୍ ଚୂରମାର୍; ଅଗ୍ନିଶମ ବିଭାଗ ଦ୍ୱାରା ମୃତଦେହ ଉଦ୍ଧାର
ସମ୍ବଲପୁର, ୧୪/୧୦: ସମ୍ବଲପୁର ଜିଲ୍ଲା ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ପଡ଼ିଆବାହାଲସ୍ଥିତ ଭାରତ ପେଟ୍ରୋଲ ପମ୍ପ ସମ୍ମୁଖରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସମ୍ବଲପୁର ପଟୁ ଦେବଗଡ଼ ଅଭିମୁଖେ ଯାଉଥିବା ଏକ କମଳା ବୋଝେଇ ଟ୍ରକ୍ ରାସ୍ତାକଡ଼ରେ ଠିଆ ହୋଇଥିବା ସିମେଣ୍ଟ ବୋଝେଇ ଟ୍ରକ୍କୁ ପଛପଟୁ ଧକ୍କା ଦେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ସିମେଣ୍ଟ ବୋଝେଇ ଟ୍ରକ୍ଟି ରାସ୍ତାକଡ଼ରେ ଠିଆ ହୋଇଥିବାବେଳେ ପଛପଟୁ ଆସୁଥିବା କମଳା ବୋଝେଇ ଟ୍ରକ୍ଟି ଏହାକୁ ଜୋର୍ରେ ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ କମଳା ବୋଝେଇ ଟ୍ରକ୍ର ସମ୍ମୁଖ ଭାଗ ଓ ଇଞ୍ଜିନ୍ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଏଥିସହ ଟ୍ରକ୍ର କ୍ୟାବିନ୍ ଭିତରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।ଅନ୍ୟପକ୍ଷରେ, ଧକ୍କାରେ ସିମେଣ୍ଟ ବୋଝେଇ ଟ୍ରକ୍ର ଡାହାଣ ପାର୍ଶ୍ୱର ଡାଲା ଭାଙ୍ଗିଯିବା ସହ କିଛି ସିମେଣ୍ଟ ରାସ୍ତାକୁ ଖସି ପଡ଼ିଥିଲା।
ଦୁର୍ଘଟଣା ପରେ କମଳା ବୋଝେଇ ଟ୍ରକ୍ରେ ଥିବା ଅନ୍ୟ ଦୁଇଜଣଙ୍କୁ ଜାତୀୟ ରାଜପଥ ପ୍ରାଧିକରଣର ୧୦୩୩ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଚିକିତ୍ସା ପାଇଁ ପଠାଯାଇଥିଲା।
ଖବର ପାଇ ଅଗ୍ନିଶମ ବିଭାଗର ଏଏସ୍ଓ ବାସୁଦେବ ସାମଲ ଓ ଏଲ୍ଏଫ୍ଏଫ୍ ଅନିରୁଦ୍ଧଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜାତୀୟ ରାଜପଥ ପ୍ରାଧିକରଣର କ୍ରେନ୍ ସହାୟତାରେ ଟ୍ରକ୍ କ୍ୟାବିନ୍ରୁ ମୃତଦେହକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା।
ଏହି ଦୁର୍ଘଟଣା ପରେ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିବା ସହ ତଦନ୍ତ ଜାରି ରଖିଛି। ମୃତକଙ୍କ ପରିଚୟ ଓ ଦୁର୍ଘଟଣାର ପ୍ରକୃତ କାରଣ ସମ୍ପର୍କରେ ଅଧିକ ତଥ୍ୟ ମିଳିବାକୁ ଅପେକ୍ଷା କରାଯାଇଛି।
