October 8, 2026

ଶିଶୁ ପ୍ରତିଭାର ରଙ୍ଗରେ ରଙ୍ଗିଲା ଖଜୁରଟିକ୍ରା ବିଦ୍ୟାଳୟ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’ରେ ୧୩ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଯୋଗଦାନ

IMG-20261008-WA0003
Share

 

ବରପାଲି : ( ସୁଦାମ ଦୀପ ) ପିଲାଙ୍କ ଭିତରେ ଲୁଚିଥିବା ପ୍ରତିଭାକୁ ମଞ୍ଚ ଦେବା ସହ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ପ୍ରତି ଆଗ୍ରହ ବଢ଼ାଇବା ଲକ୍ଷ୍ୟରେ ବରଗଡ଼ ବ୍ଲକ ଅଧୀନ ଖଜୁରଟିକ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ସଂଯୋଜିକା ରେବତୀ ରାଉତିଆଙ୍କ ତତ୍ତ୍ୱାବଧାନରେ ଆୟୋଜିତ ମହୋତ୍ସବକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଭାବନା ସାହୁ ଉଦ୍‌ଘାଟନ କରିଥିଲେ।

ଚଳିତ ବର୍ଷ ‘ସମୃଦ୍ଧ ଭାଷା : ସମୃଦ୍ଧ ଓଡ଼ିଶା’ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ମହୋତ୍ସବରେ ସାଧନକେନ୍ଦ୍ର ଅଧୀନ ୧୩ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ନିଜ ନିଜ ପ୍ରତିଭାର ପରିଚୟ ଦେଇଥିଲେ। ସୃଜନଶୀଳ ଲିଖନଠାରୁ ଆରମ୍ଭ କରି ବକ୍ତୃତା, ଗୀତ, ବିତର୍କ, ପ୍ରବନ୍ଧ, ହସ୍ତାକ୍ଷର, ଶ୍ରୁତିଲିଖନ, ଚିତ୍ରାଙ୍କନ ଓ ଶିଳ୍ପକଳା ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ପିଲାମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା।

ଏଥିସହ ପିଏମ୍ ପୋଷଣ ଚିତ୍ରକଳା, ସାଂସ୍କୃତିକ ନୃତ୍ୟ ଆଦି ପ୍ରତିଯୋଗିତା ମଧ୍ୟ ହୋଇଥିଲା। ପ୍ରଥମରୁ ତୃତୀୟ ଶ୍ରେଣୀର କୁନି କୁନି ପ୍ରତିଭାଙ୍କ ପାଇଁ ଚିତ୍ରାଙ୍କନ, ଗଳ୍ପକଥନ, ଗଣିତ କୁଇଜ୍ ଓ ଗଣିତ ଦୌଡ଼ ଭଳି ସ୍ୱତନ୍ତ୍ର ପ୍ରତିଯୋଗିତା ରହିଥିଲା। ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ମଧ୍ୟ ଚିତ୍ରାଙ୍କନ ଓ ଗୀତ ପ୍ରତିଯୋଗିତାରେ ସାମିଲ ହୋଇ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ।

ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବେ ନାଟ୍ୟଗୁରୁ ନକୁଳ ବାଦୀ, ସୁଗ୍ରୀବ ବିଶି, ସଙ୍ଗୀତଜ୍ଞ ଗୋପାଳ ମିଶ୍ର, କୁମୁଦିନୀ ପାଣିଗ୍ରାହୀ, ବୀରେନ୍ଦ୍ର କୁମାର ମହାପାତ୍ର, ପ୍ରଦୀପ ପଣ୍ଡା, ତେଜରାଜ ହୋତା, ସୁପ୍ରଭା ସାମଲ, ଅରୁଣା ସାହୁ, ନୀଳାମ୍ବର ମେହେର, ରମେଶ ପାଣ୍ଡେ ଓ ମନୋଜ ଜେନା ପ୍ରମୁଖ ଯୋଗଦେଇଥିଲେ।

ଉଦ୍‌ଯାପନୀ ସଭାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସାଂସ୍କୃତିକ ପ୍ରତିଯୋଗିତାରେ ଖଜୁରଟିକ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଥମ, ପିଏମ୍ ଶ୍ରୀ ଜର୍ଜ ହାଇସ୍କୁଲ ଦ୍ୱିତୀୟ ଏବଂ କେନାଲ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ହାସଲ କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅକ୍ଷୟ କୁମାର ସାହୁ ସଂଯୋଜନା କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁବାସିନୀ ସୁନାଙ୍କ ନେତୃତ୍ୱରେ ବିଦ୍ୟାଳୟ ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା। ଭକ୍ତ ଭୋଇ, ନବୀନ କୁମାର ସାବତ, ମନୋଜ ଦାଶ, ଅରବିନ୍ଦ ଗୁପ୍ତା, ଅଚ୍ୟୁତାନନ୍ଦ ଦାଶ, ଅନିତା ସାହୁଙ୍କ ସମେତ ବହୁ ଶିକ୍ଷକ-ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ହାସଲ କରିଥିବା କୃତୀ ଛାତ୍ରଛାତ୍ରୀମାନେ ଆଗାମୀ ବ୍ଲକସ୍ତରୀୟ ‘ସୁରଭି’ ପ୍ରତିଯୋଗିତାରେ ନିଜ ପ୍ରତିଭା ପ୍ରଦର୍ଶନ କରିବେ ବୋଲି ସିଆରସିସି ସୂଚନା ଦେଇଥିଲେ। ଶେଷରେ ଶିବ ପ୍ରସାଦ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।