ମହାଳୟାରେ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ ସକାଳ ୫ଟାରୁ ରାତି ୧୦.୩୦ ପର୍ଯ୍ୟନ୍ତ ଦର୍ଶନ, ଭିଡ଼ ଦୃଷ୍ଟିରୁ ବୟସ୍କ, ଗର୍ଭବତୀ ଓ ଶିଶୁଙ୍କୁ ୧୧ ତାରିଖରେ ଦର୍ଶନ ପାଇଁ ପରାମର୍ଶ
ସମ୍ବଲପୁର, ୮/୧୦: ପବିତ୍ର ମହାଳୟା ତିଥି ଅବସରରେ ଆସନ୍ତା ୧୦ ତାରିଖ ଶନିବାର ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ ଅନୁଷ୍ଠିତ ହେବ। ଏହି ଅବସରରେ ଭକ୍ତଙ୍କ ଦର୍ଶନ ପାଇଁ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ସମୟସୂଚୀ ଜାରି କରାଯାଇଛି।ମା’ଙ୍କ ମଙ୍ଗଳ ଆଳତି ପରେ ସକାଳ ୫ଟାରେ ମନ୍ଦିର ଦ୍ୱାର ଖୋଲାଯାଇ ଦର୍ଶନ ଆରମ୍ଭ ହେବ। ପୂର୍ବାହ୍ନ ୧୧.୪୫ ପର୍ଯ୍ୟନ୍ତ ଦର୍ଶନ ଚାଲିବ। ଏହାପରେ ମା’ଙ୍କ ଅନ୍ନ ଭୋଗ ପାଇଁ ୧୧.୪୫ରୁ ୧୨.୩୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ପୁନର୍ବାର ୧୨.୩୦ରୁ ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିପାରିବେ।
ସନ୍ଧ୍ୟାରେ ମହାଆଳତି ପାଇଁ ସନ୍ଧ୍ୟା ୭.୩୦ରୁ ରାତି ୮.୩୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ପରେ ରାତି ୮.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଦର୍ଶନ ଜାରି ରହିବ। ରାତି ୧୦.୩୦ରେ ପୂଜାର୍ଚ୍ଚନା ପରେ ପହଡ଼ ନୀତି ଅନୁଷ୍ଠିତ ହୋଇ ଦର୍ଶନ ବନ୍ଦ ହେବ।
ଭକ୍ତମାନଙ୍କ ପ୍ରବେଶ ପାଇଁ କେବଳ ୪ ନମ୍ବର ଦ୍ୱାର (ଗୋପାଳଜୀ ମଠ ପାର୍ଶ୍ୱ) ଖୋଲା ରହିବ। ଏହି ଦିନ ମନ୍ଦିରରେ ଜୋତା ଷ୍ଟାଣ୍ଡ ସେବା ବନ୍ଦ ରହିବ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।ମା’ ସମଲେଶ୍ୱରୀ ଧବଳମୁଖୀ ବେଶରେ ପ୍ରାୟ ଅଢ଼େଇ ଦିନ ଧରି ଭକ୍ତମାନଙ୍କୁ ଦର୍ଶନ ଦେଉଥିବାରୁ ୧୦ ତାରିଖରେ ପ୍ରବଳ ଭିଡ଼ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ଦିବ୍ୟାଙ୍ଗ ଓ ଶିଶୁମାନେ ୧୦ ତାରିଖ ପରିବର୍ତ୍ତେ ୧୧ ତାରିଖରେ ମା’ଙ୍କ ଦର୍ଶନ କରିବାକୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଅନୁରୋଧ କରି ପରାମର୍ଶ ଦିଆଯାଇଛି।ଭକ୍ତମାନେ ଶାନ୍ତି, ଶୃଙ୍ଖଳା ଓ ସୁରୁଖୁରୁରେ ମା’ଙ୍କ ଦର୍ଶନ କରିପାରିବେ, ସେଥିପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଇଥିବା ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି।
