October 9, 2026

ସାଇପାଲିରେ ‘ସେବା ସଂକଳ୍ପ’ର ସ୍ୱାସ୍ଥ୍ୟ ସେବା ମେଗା ଶିବିର 

IMG-20261007-WA0098
Share

 

ବରପାଲି , ୭/୧୦: (ସୁଦାମ ଦୀପ )ସେବାକୁ ପ୍ରାଥମିକତା ଦେଇ ବିଜେପିର ‘ସେବା ସଂକଳ୍ପ ଅଭିଯାନ’ ସାଇପାଲି ମଣ୍ଡଳ ପକ୍ଷରୁ ଏକ ବୃହତ୍‌ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ବିଜେପୁର ବ୍ଲକ ସାଇପାଲିସ୍ଥିତ ସୁଭଦ୍ରା ଶକ୍ତି ମଣ୍ଡପରେ ହୋଇଥିବା ଏହି ଶିବିରରେ ଅଞ୍ଚଳର ବହୁ ଲୋକ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ସୁବିଧା ନେଇଥିଲେ।ବିଜେପୁର ବିଧାୟକ ସନତ କୁମାର ଗଡ଼ତୀୟାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ବରଗଡ଼ ବିକାଶ ହସ୍ପିଟାଲର ଡାକ୍ତରମାନେ ଉପସ୍ଥିତ ରହି ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ରୋଗ ଅନୁଯାୟୀ ଚିକିତ୍ସା ଓ ପରାମର୍ଶ ଦେଇଥିଲେ। ଶିବିରରେ ୮୦୦ରୁ ଅଧିକ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ଆବଶ୍ୟକତା ଅନୁଯାୟୀ ରୋଗୀଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା।

ଶିବିରରେ ଚକ୍ଷୁ ପରୀକ୍ଷା ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା ହୋଇଥିଲା। ପରୀକ୍ଷା ପରେ ୫୦ ଜଣ ରୋଗୀଙ୍କୁ ଆଖି ଅପରେସନ ପାଇଁ ପଠାଯାଇଥିଲା। ଏହା ଫଳରେ ଦୀର୍ଘଦିନ ଧରି ଚକ୍ଷୁ ସମସ୍ୟାରେ ରହୁଥିବା ଅନେକ ରୋଗୀ ଆଗାମୀ ଚିକିତ୍ସା ପାଇଁ ସୁଯୋଗ ପାଇଛନ୍ତି।ଅନ୍ୟପଟେ, ଏହି ଅବସରରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ଉପସ୍ଥିତ ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ସାଇପାଲି ମଣ୍ଡଳ ସଭାପତି ବୀର ସୁରେନ୍ଦ୍ର ସାହୁଙ୍କ ସମେତ ମଣ୍ଡଳର ସମସ୍ତ ପଦାଧିକାରୀ, ଶକ୍ତିକେନ୍ଦ୍ର ପ୍ରମୁଖ ଓ ବିଭିନ୍ନ ବୁଥର କାର୍ଯ୍ୟକର୍ତ୍ତାମାନେ ସକ୍ରିୟ ସହଯୋଗ କରିଥିଲେ। ରୋଗୀଙ୍କ ପଞ୍ଜୀକରଣଠାରୁ ଆରମ୍ଭ କରି ଡାକ୍ତରଙ୍କ ନିକଟକୁ ନେବା, ଔଷଧ ବଣ୍ଟନ ଓ ଅନ୍ୟାନ୍ୟ ବ୍ୟବସ୍ଥାରେ ସେମାନେ ଦାୟିତ୍ୱ ତୁଲାଇଥିଲେ।

ମାଗଣା ଚିକିତ୍ସା, ଔଷଧ ବଣ୍ଟନ ଓ ଚକ୍ଷୁ ଅପରେସନ ପାଇଁ ରୋଗୀ ଚୟନ ଭଳି ସେବା ମିଳିଥିବାରୁ ଶିବିରଟି ଅଞ୍ଚଳବାସୀଙ୍କ ପାଇଁ ଉପଯୋଗୀ ହୋଇଥିଲା। ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନିଜ ଅଞ୍ଚଳରେ ଚିକିତ୍ସା ସୁବିଧା ମାଧ୍ୟମରେ ସମାଧାନ କରିବା ଦିଗରେ ଏଭଳି ଶିବିର ଏକ ପ୍ରୟାସ ବୋଲି ଆୟୋଜକମାନେ କହିଥିଲେ।