ବୃଦ୍ଧାଙ୍କ ବେକରୁ ଖାସୁଲୁ ମାଳି ଝାମ୍ପିନେଲେ ଦୁର୍ବୃତ୍ତ,
ବେଲଗୁଣ୍ଠା , ୮/୯: ଜଣେ ବୃଦ୍ଧାଙ୍କ ବେକରୁ ଖାସୁଲୁ ମାଳି ଝାମ୍ପିନେଇ ଦୁଇ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଗାଙ୍ଗପୁର ଥାନା ଅନ୍ତର୍ଗତ ମରେଇପାଟ ଗ୍ରାମରେ ଘଟିଛି। ଏଥିରେ ଗ୍ରାମର ସ୍ବର୍ଗତ ପାଣ ଗୌଡ଼ଙ୍କ ପତ୍ନୀ କୁମାରୀ ଗୌଡ଼ ଆହତ ହୋଇଛନ୍ତି।
ସୂଚନାନୁସାରେ, ମରେଇପାଟ ଗ୍ରାମ ପୋଖରୀ ନିକଟରେ କୁମାରୀ ଗୌଡ଼ ଥିବା ସମୟରେ ଏକ ମୋଟରସାଇକେଲରେ ଦୁଇଜଣ ହେଲମେଟଧାରୀ ଯୁବକ ତାଙ୍କ ନିକଟକୁ ଆସିଥିଲେ। ସେମାନେ ତାଙ୍କ ଗ୍ରାମର ଜଣେ ଝିଅ ମରେଇପାଟରେ ବିବାହ କରିଥିବା ନେଇ ପଚାରିଥିଲେ। ତେବେ ଏ ସମ୍ପର୍କରେ ସେ ଜାଣି ନଥିବା କହିଥିଲେ। ଏହାପରେ ଦୁର୍ବୃତ୍ତଦ୍ୱୟ ଗାଁ ଭିତରକୁ ଯାଇ କିଛି ସମୟ ଧରି ଗ୍ରାମବାସୀଙ୍କ ଗତିବିଧି ନିରୀକ୍ଷଣ କରିଥିବା ଜଣାପଡ଼ିଛି। ପରେ ଦୁହେଁ ଫେରୁଥିବା ବେଳେ ନିକଟସ୍ଥ ଠାକୁରାଣୀ ମନ୍ଦିରରୁ ପୂଜା ସାରି କୁମାରୀ ଘରକୁ ଫେରୁଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କ ବେକରୁ ଖାସୁଲୁ ମାଳି ଝାମ୍ପିନେବାକୁ ଉଦ୍ୟମ କରିଥିଲେ। ବୃଦ୍ଧା ଏହାକୁ ପ୍ରତିରୋଧ କରିବାରୁ ତାଙ୍କ ହାତରେ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ମାଳିର ୭ଟି ଲକେଟ୍ ଝାମ୍ପିନେଇଥିବା ବେଳେ ବୃଦ୍ଧା ଅନ୍ୟ ୫ଟି ଲକେଟ୍କୁ ହାତରେ ଜୋରରେ ଧରି ରଖିଥିଲେ। ବୃଦ୍ଧା ଚିତ୍କାର କରିବାରୁ ଲୋକେ ଆସିଯିବାର ଭୟ କରି ଦୃବୁର୍ତ୍ତ ମାନେ ଚାଲିଯାଇ ଥିଲେ। ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ବିଭିନ୍ନ ଛକରେ ବ୍ଲକିଂ ଓ ଚେକିଂ କରାଯାଇଥିଲେ ମଧ୍ୟ ଦୁର୍ବୃତ୍ତଦ୍ୱୟ ନିକଟସ୍ଥ ଜଙ୍ଗଲ ରାସ୍ତା ଦେଇ ଖସିଯିବାରେ ସଫଳ ହୋଇଥିଲେ। ଆହତ ବୃଦ୍ଧାଙ୍କୁ ଗୋବରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଛି।
