September 8, 2026

ବେଲଗୁଣ୍ଠାରେ ବର୍ଦ୍ଧିତ ହୋଲଡିଂ ଟାକ୍ସ ବିରୋଧରେ ଗର୍ଜିଲା ବଣିକ ସଙ୍ଘ: ଏନଏସି ସମ୍ମୁଖରେ ଧାରଣା, ସାତ ଦିନର ମହଲତ ମାଗିଲେ ନିର୍ବାହୀ ଅଧିକାରୀ

IMG-20260908-WA0049
Share

 

ବେଲଗୁଣ୍ଠା-୮/୯-: ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପୂର୍ବ ତୁଳନାରେ ବହୁ ଗୁଣରେ ଅପ୍ରତ୍ୟାଶିତ ହୋଲଡିଂ ଟାକ୍ସ ଓ ଦୋକାନ ଘର ଭଡା ବୃଦ୍ଧି ପ୍ରତିବାଦରେ ଆଜି ସହରରେ ଆନ୍ଦୋଳନାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ ବଣିକ ସଂଘ ପକ୍ଷରୁ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଏନଏସି କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ଦିଆଯାଇଥିଲେ ବି ସ୍ଥାନୀୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଆଜି ସକାଳ ୯ ଘଣ୍ଟା ସମୟରୁ ବଣିକ ସଂଘ ଓ ନଗରବାସୀଙ୍କ ମିଳିତ ଆହ୍ୱାନରେ ଏକ ବିଶାଳ ଆନ୍ଦୋଳନ ସହିତ ସହର ବନ୍ଦ ଡାକରା ଦିଆଯାଇଥିଲା।

ଆଜି ସକାଳେ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିର ନିକଟରୁ ଏକ ପ୍ରତିବାଦ ରାଲି ବାହାରି ବାଙ୍କ ବଜାର ଓ ହାଟପଦା ପରିକ୍ରମା କରି ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ବଣିକ ସଂଘ ସଭାପତି ସନ୍ନତ କୁମାର ସୁବୁଦ୍ଧି, ସମ୍ପାଦକ ସୁଦାମ ଚରଣ ତ୍ରିପାଠୀ, ଉପସଭାପତି ପ୍ରଶାନ୍ତ କୁମାର ସରାବ, ସହସମ୍ପାଦକ ସୁରେଶ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଗୁଣ୍ଡିଚା ପ୍ରସାଦ ବେହେରା, ଉପଦେଷ୍ଟା ତଥା ପୁର୍ବତନ ନଗରପାଳ ପ୍ରଶାନ୍ତ କୁମାର ସାହୁ, ପୂର୍ବତନ ସଭାପତି ଲିଙ୍ଗରାଜ ପାତ୍ର ଓ ପୂର୍ବତନ କାଉନସିଲର ଜତିନ ପାତ୍ରଙ୍କ ନେତୃତ୍ୱରେ ସଂଘର ସମସ୍ତ ସଦସ୍ୟ ଏନଏସି ସାମ୍ନାରେ ଧାରଣା ଦେବା ସହ ସ୍ଥାନୀୟ ପ୍ରଶାସନ ତଥା ନୀର୍ବାହୀ ଅଧିକାରୀଙ୍କ ବିରୋଧରେ ଜୋରଦାର ନାରାବାଜି କରିଥିଲେ।ଧାରଣା ସ୍ଥଳରେ ଏନଏସି ନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରା ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ତେବେ ଆନ୍ଦୋଳନ ସମୟରେ ନଗରପାଳ ଫିରୋଜ କୁମାର ସେଠୀ ଓ ସମସ୍ତ କାଉନସିଲର ଅନୁପସ୍ଥିତ ରହିବାକୁ ନେଇ କିଛି ସମୟ ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଥିଲା।ବଣିକ ସଂଘ କର୍ମକର୍ତ୍ତାମାନେ ବର୍ଦ୍ଧିତ ହୋଲଡିଂ ଟାକ୍ସ ଓ ଘର ଭଡା ପ୍ରତ୍ୟାହାର କିମ୍ବା ସହରବାସୀଙ୍କ ଆର୍ଥିକ ମାନଦଣ୍ଡକୁ ଦୃଷ୍ଟି ଦେଇ ବଢ଼ାଇବା

ସହ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ହୋଇଥିବା ଦୁର୍ନୀତି, ପରିମଳ ସମସ୍ୟା ଓ ପ୍ରଶାସନିକ ଅବହେଳା ନେଇ ନିର୍ବାହୀ ଅଧିକାରୀଙ୍କଠାରୁ କୈଫିୟତ ମାଗିଥିଲେ। ସହରର ବିଭିନ୍ନ ୱାର୍ଡ଼ର ଅଧିବାସୀ ମାନଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡା ବୋଲି ଆନ୍ଦୋଳନ କାରୀମାନେ କହିଥିଲେ ।

ପରବର୍ତ୍ତୀ ସମୟରେ ନିର୍ବାହୀ ଅଧିକାରୀ ନିଜ ପ୍ରକୋଷ୍ଠରେ ବଣିକ ସଂଘର କର୍ମକର୍ତ୍ତାଙ୍କ ସହ ବହୁ ସମୟ ଧରି ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ୭ ଦିନର ସମୟ ମାଗିଥିଲେ। ପ୍ରଥମେ ସଂଘ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ବି ପରେ ଲିଖିତ ପ୍ରତିଶ୍ରୁତି ଭିତ୍ତିରେ ୭ ଦିନର ମହଲତ ପ୍ରଦାନ କରିଛି। ଯଦି ସପ୍ତାହକ ମଧ୍ୟରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ନହୁଏ, ତେବେ ବଣିକ ସଂଘ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସଭାପତି ସନତ କୁମାର ସୁବୁଦ୍ଧି ଚେତାବନୀ ଦେଇଛନ୍ତି।ଏହି ଅବସରରେ ସୋରଡ଼ା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ହରିକୃଷ୍ଣ ରଥ ଉପସ୍ଥିତ ହୋଇ ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ବ୍ୟବସାୟୀ କେ. ବୁଲୁ ପାତ୍ର, ଅଶ୍ୱିନୀ କୁମାର ସାହୁ,ସନ୍ତୋଷ କୁମାର ସାହୁ,ବୁଲୁ ବିନ୍ଧାଣୀରା,ସିଏଚ୍.ବାଳକୃଷ୍ଣ ପାତ୍ର, ସୁରେଶ ଚୌଧୁରୀ,ପୁର୍ବତନ କାଉନସିଲର ରାଧାକୃଷ୍ଣ ସ୍ୱାଇଁ ଓ ସୁଶାନ୍ତ କୁମାର ପାଢ଼ୀଙ୍କ ସମେତ ବହୁ ବ୍ୟବସାୟୀ ସାମିଲ ହୋଇଥିଲେ। ଆଜି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବେଲଗୁଣ୍ଠାର ସମସ୍ତ ଦୋକାନ ବଜାର ସହିତ ପରିବା ବ୍ୟବସାୟୀ ସଂଘର ସମର୍ଥନ କ୍ରମେ ସମସ୍ତ ପରିବା ଦୋକାନ ସ୍ଵତଃପ୍ରବୃତ୍ତ ଭାବେ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା।

 

You may have missed