September 8, 2026

ସରକାରୀ ଚାକିରୀ କରିବୁ, ପ୍ରାଇଭେଟ୍ ଉପରେ ଭରସା – କାହିଁକି ଏ ଦ୍ୱୈତ ନୀତି ?

IMG-20260907-WA0059
Share

 

 

 

ବୋଲଗଡ଼,୦୬/୦୯(ଉପାନ୍ତ ଖବର): ଗୋଟିଏ ଚିତ୍ର ଆପଣ ପ୍ରାୟ ଅନୁଭବ କରିଥିବେ କିମ୍ବା ସବୁ ଗାଁ ଠାରୁ ସହର ରେ ଦେଖିଥିବେ। ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସକାଳେ ସରକାରୀ ସ୍କୁଲରେ ହାଜିରା ଦେଇ, ବେଳ ୩ ଟାରେ ନିଜ ପିଲାକୁ ପ୍ରାଇଭେଟ୍ ସ୍କୁଲ ବସ୍ ରୁ ଓହ୍ଲାଇ ଆଣୁଛନ୍ତି। ସରକାରୀ ଡାକ୍ତରଖାନାର ଡାକ୍ତର ସରକାରୀ ଡ୍ୟୁଟି ସାରି ନିଜ ମା’ର ହେଉ ଅବା ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ପ୍ରାଇଭେଟ୍ ହସ୍ପିଟାଲରେ ଲାଇନରେ ଛିଡା ହେଉଛନ୍ତି।

ପ୍ରଶ୍ନ ଉଠୁଛି – ଯେଉଁ ବ୍ୟବସ୍ଥାରେ ଆମେ ଚାକିରୀ କରୁଛୁ, ସେଇ ବ୍ୟବସ୍ଥା ଉପରେ ଆମର ଭରସା ନାହିଁ କାହିଁକି ? ଏହାର ଅନେକ କାରଣ ଥିଲେ ମଧ୍ୟ ମୁଖ୍ୟ କାରଣ ଦୁଇଟି ହେଉଛି ଗୁଣବତ୍ତା ଓ ଉତ୍ତରଦାୟିତ୍ୱର ଅଭାବ।

ସରକାରୀ ସ୍କୁଲରେ ଆଜି ଭଲ ବିଲଡିଂ, ୫ଟି ସ୍ମାର୍ଟ ବୋର୍ଡ, ମଧ୍ୟାହ୍ନ ଭୋଜନ, ମାଗଣା ଡ୍ରେସ ସବୁ ଅଛି। ହେଲେ ନାହିଁ କଣ ? ଶିକ୍ଷକ ସମୟରେ ଆସିବେ କି ନାହିଁ ତାର ଗ୍ୟାରେଣ୍ଟି ନାହିଁ, ପିଲା ପାଠ ପଢ଼ିଲା କି ନାହିଁ ତାକୁ କେହି ପଚାରୁ ନାହାନ୍ତି। ପ୍ରାଇଭେଟ୍ ସ୍କୁଲରେ ମାସକୁ ୨ ହଜାର ଟଙ୍କା ଫିସ୍ ନେଉଥିବାରୁ ଅଭିଭାବକ ପ୍ରଶ୍ନ କରିପାରୁଛି। ସେଠି ଉତ୍ତରଦାୟିତ୍ୱ ଅଛି। ସରକାରୀ ମେଡିକାଲରେ ବି ସମାନ କଥା। ଡାକ୍ତର ଅଛନ୍ତି, ଔଷଧ ଅଛି, ହେଲେ ରୋଗୀକୁ ଭଲ ବ୍ୟବହାର ମିଳୁନି, ଘଣ୍ଟା ଘଣ୍ଟା ଧାଡ଼ି, ମେସିନ୍ ଖରାପ। ପ୍ରାଇଭେଟରେ ୫୦୦ ଟଙ୍କା ଫିସ୍ ଦେଲେ ସଙ୍ଗେ ସଙ୍ଗେ ଡାକ୍ତର ଦେଖୁଛନ୍ତି, ତେଣୁ ଲୋକ ସେଠାକୁ ଯାଉଛି। ଏହାର ଆଉ ଗୋଟେ କାରଣ ସାମାଜିକ ପ୍ରତିଷ୍ଠାର ମୋହ। ଆଜି ଗାଁରେ ପିଲା ସରକାରୀ ସ୍କୁଲରେ ପଢ଼ିଲେ ଲୋକେ କହୁଛନ୍ତି “ଗରିବ ଲୋକର ପିଲା”। ପ୍ରାଇଭେଟ୍ ସ୍କୁଲରେ ଟାଇ, ବେଲ୍ଟ, AC ବସ୍ ଅଛି ବୋଲି ସମ୍ମାନ ବଢୁଛି ବୋଲି ଭାବନା। ଏହି ମାନସିକତା ସରକାରୀ କର୍ମଚାରୀଙ୍କ ମଧ୍ୟରେ ଅଧିକ। ଏହି ଦ୍ୱୈତ ନୀତି ଯୋଗୁଁ ସରକାରୀ ସ୍କୁଲ ଓ ମେଡିକାଲ ଦିନକୁ ଦିନ ଖାଲି ହେଉଛି। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଲଡିଂ ବନାଉଛନ୍ତି, ହେଲେ ଭିତରେ ପିଲା ନାହାନ୍ତି, ରୋଗୀ ନାହାନ୍ତି। ଶେଷରେ କ୍ଷତି ସହୁଛି ଗରିବ ଲୋକ, ଯାହା ପାଖରେ ପ୍ରାଇଭେଟକୁ ଯିବାକୁ ପଇସା ନାହିଁ। ସରକାର ଯଦି ନିୟମ କରନ୍ତି ଯେ ସମସ୍ତ ସରକାରୀ ଶିକ୍ଷକ, ଡାକ୍ତର, ବିଡିଓ, ତହସିଲଦାରଙ୍କ ପିଲା ସରକାରୀ ସ୍କୁଲରେ ପଢ଼ିବେ ବାଧ୍ୟତାମୂଳକ, ଏବଂ ସେମାନଙ୍କ ପରିବାରର ଚିକିତ୍ସା ପ୍ରଥମେ ସରକାରୀ ମେଡିକାଲରେ ହେବ, ତେବେ ଗୋଟିଏ ବର୍ଷରେ ସବୁ ସୁଧୁରିଯିବ। ନିଜ ପିଲା ସେଠି ଥିଲେ ଶିକ୍ଷକ ମନ ଦେଇ ପଢ଼ାଇବେ, ନିଜ ମା’ ସେଠି ଚିକିତ୍ସିତ ହେଲେ ଡାକ୍ତର ଭଲ ସେବା ଦେବେ। ସରକାରୀ ସ୍କୁଲ ମାନେ ଗରିବର ସ୍କୁଲ ନୁହେଁ, ଏହା ସମସ୍ତଙ୍କର। ଏହି ଭାବନା ଆଣିବାକୁ ପଡିବ। ଶେଷରେ ଗୋଟିଏ କଥା କୁହା ଯାଇପାରେ – ସରକାରୀ କର୍ମଚାରୀ ଯଦି ନିଜ ବ୍ୟବସ୍ଥା ଉପରେ ଭରସା କରିବେ ନାହିଁ, ତେବେ ସାଧାରଣ ଲୋକ କେମିତି ଭରସା କରିବ ?

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed