ଚର୍ଚ୍ଚାରେ ବୁଗୁଡ଼ା ଏନ୍ଏସିର କାର୍ଯ୍ୟଧାରା, ସାଙ୍ଘାତିକ ଅନିୟମିତତା ଦର୍ଶାଇ ବୈଠକକୁ ସମସ୍ତ କାଉନସିଲରଙ୍କ ବର୍ଜନ , ସ୍ପଷ୍ଟୀକରଣ ଆହ୍ବାନ ସହ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ
ବୁଗୁଡା : ତା ୦୭/୦୯/୨୬ : ବୁଗୁଡ଼ାରେ ବିକାଶ ବାଟବଣା ଦୃଶ୍ଯ ଜଳଜଳ ହୋଇ ଦେଖାଯାଉଥିବା ବେଳେ ଆଜି ୧୩ଟି ଓ୍ବାର୍ଡକୁ ନେଇ ଗଠିତ ଏନ୍ଏସିର ବୈଠକକୁ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀଙ୍କ ସମେତ ସମସ୍ତ କାଉନସିଲର ବର୍ଜନ କରିବା ସହ ଏନ୍ଏସିରେ ହୋଇଥିବା ବ୍ଯାପକ ଅନିୟମିତତା ସମ୍ପର୍କେ ସ୍ବଷ୍ଟୀକରଣ ଆହ୍ବାନ ସହ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କୁ ଏକ ପ୍ରଶ୍ନମାନସୂଚକ ଦାବିପତ୍ର ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନଏସି ଅନ୍ତର୍ଗତ ଓ୍ବାର୍ଡ ନଂ-୮ ବ୍ଯତୀତ ଅନ୍ୟ ୧୨ଟି ଓ୍ବାର୍ଡର କାଉନସିଲରଙ୍କ ଦସ୍ତଖତ ସମ୍ବଳିତ ସ୍ପଷ୍ଟୀକରଣ ଆହ୍ବାନ ଯୋଗ୍ଯ ଦାବିପତ୍ରରେ ନିମ୍ନଲିଖିତ ୧୦ଟି ପ୍ରଶ୍ନ ସ୍ଥାନ ପାଇଥିବା ଜଣାଯାଇଛି। ୧-କେଉଁ କାରଣରୁ ପରିଷଦର ନିୟମିତ ସାଧାରଣ ବୈଠକ ଡକାଯାଉନାହିଁ ? ୨-ପରିଷଦକୁ ଅନୁମୋଦିତ ହୋଇ ଆସୁଥିବା ସରକାରୀ ପାଣ୍ଠି ସମ୍ବନ୍ଧରେ ନିର୍ବାଚିତ ସଭ୍ୟ/ସଭ୍ୟାଙ୍କୁ ଅବଗତ କରାଯାଉନଥିବା ପଛରେ କଣ ଉଦ୍ଦେଶ୍ୟ ରହିଛି ? ୩-ସରକାରଙ୍କ ତରଫରୁ ଚୟନ ହୋଇଥିବା ଭତ୍ତା ଏବଂ ଆବାସ ଗୃହ ହିତାଧିକାରୀମାନଙ୍କୁ ଆବଣ୍ଟନ ନକରି ପକାଇ ରଖିବାର ରହସ୍ୟ କଣ ରହିଛି ? ୪-ବର୍ତ୍ତମାନ ଏନ୍ଏସି କାର୍ଯ୍ୟାଳୟରେ କେତେ ଜଣ ନିୟମିତ ଏବଂ କେତେ ଜଣ ଆଉଟ୍ ସୋର୍ସିଂ ସଫେଇ କର୍ମଚାରୀ ଅଛନ୍ତି ସେ ସମ୍ୱନ୍ଧୀୟ ତଥ୍ୟ କାଉନସିଲରମାନେ ବାରମ୍ବାର ମାଗିବା ସତ୍ତ୍ବେ କାହିଁକି ପ୍ରଦାନ କରାଯାଉନାହିଁ ? ୫-ପରିଷଦର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ବନ୍ଧିତ ଟେଣ୍ଡର ପ୍ରକ୍ରିୟାରେ ସଭ୍ୟ/ସଭ୍ୟାମାନଙ୍କ ବିନା ଅବଗତିରେ ଟେଣ୍ଡର କରିବା ତଥା ଉଦ୍ଦେଶ୍ୟ ମୂଳକ ଭାବରେ କେବଳ ନିର୍ଦ୍ଧିଷ୍ଟ ଦୁଇ ତିନି ଜଣ ବ୍ୟକ୍ତି ବିଶେଷଙ୍କୁ ଟେଣ୍ଡର ପ୍ରକ୍ରିୟାରେ ଅହେତୁକ ସୁଯୋଗ ଦେବା ପଛର କଣ କାରଣ ରହିଛି ? ୬-ପରିଷଦ ଦ୍ୱାରା ପରିଚାଳିତ ଆହାର କେନ୍ଦ୍ରର ଦାୟିତ୍ୱରେ ଥିବା ଅଭିଜ୍ଞ ମହିଳା ଗୋଷ୍ଠୀକୁ ନିର୍ଦ୍ଦିଷ୍ଟ କାରଣ ନ ଥାଇ କାର୍ଯ୍ୟରୁ ଅନ୍ତର କରି ନୂତନ ଗୋଷ୍ଠୀକୁ ପରିଚାଳନା ଦାୟିତ୍ବ ଦିଆଯିବାର ଆବଶ୍ୟକତା କଣ ଥିଲା ? ୭-ଏପ୍ରିଲ୍ ମାସ ସୁଦ୍ଧା ପରିଷଦର ସାଧାରଣ ବଜେଟ୍ ପାରିତ ହେବାର ବିଧିବ୍ୟବସ୍ଥା ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରାରମ୍ଭିକ ପର୍ଯ୍ୟାୟ କାର୍ଯ୍ୟ (ବଜେଟ୍ ଉପସ୍ଥାପନା) ନ ହେବା ପଛର ନିର୍ଦ୍ଧିଷ୍ଟ କାରଣ କଣ ? ୮-ନିକଟ ଅତୀତରେ ହୋଇଥିବା ପରିଷଦ ଅଧିବେଶନରେ ପରିଷଦ ଉପରେ ନ୍ୟସ୍ତ ଥିବା ଅତ୍ଯାବଶ୍ୟକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନ କରିବା ସହ ନିର୍ବାଚିତ ସଭ୍ୟ/ସଭ୍ୟାଙ୍କ ଅଗୋଚରରେ ଅନ୍ୟାନ୍ୟ କାର୍ଯ୍ୟ ସମ୍ବନ୍ଧରେ ଏକ ତରଫା ନିଷ୍ପତ୍ତି ଗ୍ରହଣ କରିବା ପଛର ଉଦ୍ଦେଶ୍ୟ କଣ ? ୯- ଅସମ୍ପୂର୍ଣ୍ଣ ଧର୍ମଶାଳା ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା ପଛରେ କଣ ଉଦ୍ଦେଶ୍ୟ ରହିଛି ଏବଂ କେତେ ଦିନ ମଧ୍ୟରେ ଉକ୍ତ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି ମ୍ୟୁନିସପାଲିଟି ଅଧିନିୟମର ବିଧିବ୍ୟବସ୍ଥା ଅନୁଯାୟୀ ଆବଶ୍ୟକୀୟ ହିତାଧିକାରୀଙ୍କୁ ଆବଣ୍ଟନ କରାଯିବ ? ୧୦-ପରିଷଦର ନିର୍ବାଚିତ ସଭ୍ୟ/ସଭ୍ୟାମାନଙ୍କୁ ଉପେକ୍ଷା କରି ସମସ୍ତ କାର୍ଯ୍ୟରେ ଅନିୟମିତତା କାହା ପ୍ରରୋଚନାରେ ହେଉଅଛି ? ତେବେ କାଉନସିଲରମାନଙ୍କ ଦାବିପତ୍ରକୁ ଗ୍ରହଣ କରି ଯଥାଶୀଘ୍ର ଏହାର ସ୍ବଷ୍ଟୀକରଣ ପ୍ରଦାନ କରାଯିବ ବୋଲି କାର୍ଯ୍ଯନିର୍ବାହୀ ଅଧିକାରୀ ପ୍ରକାଶ କରିଥିବା ବେଳେ ଏନ୍ଏସିର ଅଦୃଶ୍ୟ କାର୍ଯ୍ୟଧାରାକୁ ସାଧାରଣରେ ବହୁ ସମାଲୋଚନା ହେଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ନିର୍ବାଚିତ କାଉନସିଲରମାନଙ୍କ ଏଭଳି ବହୁ ବିଳମ୍ବିତ ପଦକ୍ଷେପକୁ ନେଇ ମଧ୍ୟ ସାଧାରଣରେ ଆଲୋଚନା ଜୋର ଧରିଥିବା ଜଣାଯାଇଛି।
