ଝାମି ଗାଁକୁ ପକ୍କା ରାସ୍ତା ଓ ଷ୍ଟ୍ରିଟ୍ ଲାଇଟ୍ ଦାବି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ
ପାରଳାଖେମୁଣ୍ଡି, ସେପ୍ଟେମ୍ବର ୭:
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅଧୀନ ଝାମି ଗାଁକୁ ଡମ୍ପିଂ ୟାର୍ଡ ଠାରୁ ପକ୍କା ରାସ୍ତା ନିର୍ମାଣ ସହ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଦାବି ଜୋର ଧରିଛି। ଏନେଇ ଝାମି ଗ୍ରାମବାସୀମାନେ ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବିପତ୍ରରେ ଗ୍ରାମବାସୀ ଉଲ୍ଲେଖ କରିଛନ୍ତି ଯେ, ଡମ୍ପିଂ ୟାର୍ଡ ଠାରୁ ଝାମି ଗାଁ ପର୍ଯ୍ୟନ୍ତ ବର୍ତ୍ତମାନ କଚ୍ଚା ରାସ୍ତା ରହିଛି। ବିଶେଷକରି ବର୍ଷା ଋତୁରେ ରାସ୍ତା ଓ ଏହାର ପାର୍ଶ୍ୱ ନାଳରେ କାଦୁଅ ପାଣି ଭରିଯିବାରୁ ଯାତାୟାତରେ ଅନେକ ସମସ୍ୟା ହେଉଛି। ଏଥିସହ ରାସ୍ତା ଦୁର୍ଘଟଣାର ଆଶଙ୍କା ମଧ୍ୟ ରହୁଛି।
ଖରାପ ରାସ୍ତା ଯୋଗୁଁ ଗ୍ରାମବାସୀଙ୍କୁ ନିୟମିତ ଭାବେ ଯାତାୟାତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ଝାମି ଗାଁର ସ୍କୁଲ ଯାଉଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଅସୁବିଧା ଭୋଗୁଥିବା ଦାବିପତ୍ରରେ କୁହାଯାଇଛି।
ତେଣୁ ଗ୍ରାମବାସୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଡମ୍ପିଂ ୟାର୍ଡ ଠାରୁ ଝାମି ଗାଁ ପର୍ଯ୍ୟନ୍ତ ପକ୍କା ତାର୍ ରାସ୍ତା ନିର୍ମାଣ ସହ ରାସ୍ତାରେ ବିଦ୍ୟୁତ୍ ଆଲୋକୀକରଣ (ଷ୍ଟ୍ରିଟ୍ ଲାଇଟ୍) ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ୦୬-୦୯-୨୦୨୬ ତାରିଖରେ ଏହି ଦାବିପତ୍ର ଦିଆଯାଇଥିବା ଜଣାପଡ଼ିଛି।
