September 7, 2026

ଜନ ଆନ୍ଦୋଳନ ଦ୍ୱାରା ଓଡ଼ିଶା ମଦମୁକ୍ତ ସମ୍ଭବ’ ରାଜସ୍ୱ ପାଇଁ ନୁହଁ, ଶସ୍ତା ରାଜନୀତି ପାଇଁ ମଦ ବିକ୍ରି ଯୁବଶକ୍ତିକୁ ପଙ୍ଗୁ କରିବାକୁ ମଦ ଷଡ଼ଯନ୍ତ୍ର ମାଫିଆଙ୍କୁ ସୁହାଉଛି ନିଶା କାରବାର

IMG-20260907-WA0088
Share

ଆନନ୍ଦପୁରରେ ସରକାରୀ ମଦ ଓ ଡ୍ରଗ୍ସ ବିରୋଧରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

ହାଟଡିହି ତା ୭/୦୯(ମନମୋହନ ନାୟକ) : ଜନକଲ୍ୟାଣ ପାଇଁ ପ୍ରେରିତ ଏକ ଗଣତାନ୍ତ୍ରିକ ସରକାର ମଦ ବିକିବା କଦାପି ଓଡ଼ିଶାର ଯୁବକଙ୍କୁ ସ୍ୱୀକାର୍ଯ୍ୟ ନୁହେଁ। ଏହା ଏକ ବ୍ୟବସ୍ଥାଗତ ବିଶ୍ୱାସଘାତକତା। ସାଲିସ ବିହୀନ ସଂଘର୍ଷ ଦ୍ଵାରା ଓଡ଼ିଶାକୁ ମଦମୁକ୍ତ କରାଯାଇପାରିବ ବୋଲି ଘଷିପୁରା ଠାରେ ଆୟୋଜିତ ‘ଯୁବ ସମ୍ବାଦ’ରେ ଏହି ମତ ପ୍ରକାଶ ପାଇଛି।

ଦୁର୍ନୀତି ବିରୋଧୀ ପ୍ରଗତିଶୀଳ ମଞ୍ଚ ପକ୍ଷରୁ ଯଜ୍ଞ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ‘ସରକାରୀ ମଦ ଓ ଡ୍ରଗ୍ସ ‘ ବିରୋଧରେ ଏକ ‘ଯୁବ ସମ୍ବାଦ ‘ ଆୟୋଜିତ ହୋଇଥିଲା। ଏହି ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ମଦମୁକ୍ତ ଯୁବ ବାହିନୀର ରାଜ୍ୟ ଆବାହକ ଶ୍ରୀ ସତ୍ୟବ୍ରତ ପୃଷ୍ଟି କହିଲେ, ଯେଉଁ ସରକାରର ପ୍ରତ୍ୟେକ୍ଷ ସହଯୋଗରେ ଓଡ଼ିଶାର ଗାଁ ଗହଳି, ବଜାରରେ ୪ ହଜାର ୩ ଶହରୁ ଅଧିକ ମଦ ଦୋକାନ ଖୋଲିଛି, ସେହି ସରକାର ହିଁ ପ୍ରବଳ ଜନମତର ଚାପରେ ସେଗୁଡ଼ିକୁ ବନ୍ଦ କରିପାରିବ। ଆଉ ଜନ ଆନ୍ଦୋଳନ ଦ୍ୱାରା ମଦମୁକ୍ତ ଓଡ଼ିଶା ସମ୍ଭବ ବୋଲି ଶ୍ରୀ ପୃଷ୍ଟି କହିଥିଲେ। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେଶ୍ୱର ସାହୁ ଅନ୍ୟତମ ଆଲୋଚକ ଭାବେ ଯୋଗଦେଇ କହିଲେ, ମଦ ବିକ୍ରି ପଛରେ ବିଦେଶୀ ଶକ୍ତିର ହାତ ରହିଛି। ମଦ ବିକ୍ରି ଯୋଗୁ ସାମାଜିକ ସମ୍ପର୍କ ନଷ୍ଟ ହେଉଛି। ହିଂସାକାଣ୍ଡ ବୃଦ୍ଧି ପାଉଛି। ଦାରିଦ୍ର୍ୟର ଏହା ପ୍ରମୁଖ କାରଣ ବୋଲି ଶ୍ରୀ ସାହୁ କହିଥିଲେ। ସାମାଜିକ କର୍ମୀ ହିମାଂଶୁ ଶେଖର ନାୟକ କହିଲେ ରାଜସ୍ୱ ବୃଦ୍ଧି ପାଇଁ ନୁହେଁ ବରଂ ଶସ୍ତା ରାଜନୀତି ପାଇଁ ମଦବିକ୍ରି ବଢୁଛି। ଯଦି ଗୋଟିଏ ନିଷ୍ପତିରେ ଧାରା ୩୭୦ ଉଚ୍ଛେଦ ହେଇ ପାରୁଛି, ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହୋଇ ପାରୁଛି। ତେବେ ମଦମୁକ୍ତ ଓଡିଶା କାହିଁକି ସମ୍ଭବ ନୁହେଁ। ଦୃଢ଼ ରାଜନୈତିକ ସଂକଳ୍ପର ଅଭାବରୁ ଏହା ହୋଇପାରି ନଥିବା ଶ୍ରୀ ନାୟକ କହିଥିଲେ। ଶ୍ରୀ ନାୟକ ଆହୁରି କହିଥିଲେ, ୨୦୨୪ ନିର୍ବାଚନରେ ରାଜ୍ୟ ବିଜେପି ନିଜର ସଂକଳ୍ପ ପତ୍ରରେ ଘୋଷଣା କରିଥିଲା ଯେ ସରକାର ଗଠନ ହେଲେ ଓଡ଼ିଶାକୁ ମଦମୁକ୍ତ କରାଯିବ। ମଦମୁକ୍ତ ଓଡ଼ିଶା ପାଇଁ ୨୫ ବର୍ଷର ସରକାରକୁ ଲୋକେ ପରିବର୍ତ୍ତନ କରିଥିଲେ। ହେଲେ ବିଜେପି ସରକାରର ୨ ବର୍ଷ ମଧ୍ୟରେ ଏହା ଏଯାଏ ହୋଇ ନପାରିବା ଦୁର୍ଭାଗ୍ୟଜନକ। ଦୁର୍ନୀତି ବିରୋଧୀ ପ୍ରଗତିଶୀଳ ମଞ୍ଚର ଆବାହକ ଯଜ୍ଞ ପ୍ରସାଦ ସାହୁ ଅଧ୍ୟକ୍ଷତା କରି କହିଛନ୍ତି, ଯୁବ ଶକ୍ତିକୁ ପଙ୍ଗୁ କରିଦେବା ପାଇଁ ମଦ ଏକ ବଡ ରାଜନୈତିକ ଷଡ଼ଯନ୍ତ୍ର। ରାଜନୈତିକ ଛତ୍ରଛାୟା ତଳେ ରହି ମାଫିଆଙ୍କୁ ଏହା ସୁହାଉଛି। ମଦ ଓ ଡ୍ରଗ୍ସ ଜରିଆରେ ସମସ୍ତ ବେଆଇନ କାର୍ଯ୍ୟ ହେଉଛି। ଗାଁର ୪/୫ ଜଣ ମଦୁଆ ଓ ଡ୍ରଗ୍ସ ସେବନକାରୀଙ୍କୁ ହାତ କରି ମାଫିଆମାନେ ସାରା ଜିଲ୍ଲାରେ ବେଆଇନ ପଥର ଓ ବାଲି ପରିବହନ କରୁଛନ୍ତି। ନିଶା ଯୋଗୁ ହିଁ ଅଧିକାଂଶ ଦୁଷ୍କର୍ମ, ହତ୍ୟାକାଣ୍ଡ, ଗୋଷ୍ଠୀ ସଂଘର୍ଷ, ଘରୋଇ ହିଂସା, ଦୁର୍ଘଟଣା ଘଟୁଥିବା ଶ୍ରୀ ସାହୁ କହିଥିଲେ। ମଦରୁ ଆୟ ରାଜସ୍ୱ ସରକାରୀ ରାଜକୋଷକୁ ଭରିବା ଅପେକ୍ଷା ବରଂ ଚାପ ଗ୍ରସ୍ତ କରିଥାଏ ବୋଲି ଯଜ୍ଞ ପ୍ରସାଦ ସାହୁ କହିଛନ୍ତି। ଆୟକର ପରାମର୍ଶଦାତା ସମାସ ଷଡ଼ଙ୍ଗୀ ମଦମୁକ୍ତ ଓଡ଼ିଶା ସଙ୍ଗୀତ ଗାନ କରିଥିଲେ।

ଏହି ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ବରିଷ୍ଠ ବିଜେପି ନେତା ଭଗବାନ ସାହୁ, ଗୋଲକ ଜେନା, ତ୍ରିଲୋଚନ ଦାସ, କଂଗ୍ରେସ ନେତା ବୃନ୍ଦାବନ ଜେନା, ଦୈତାରୀ ମହାକୁଡ଼, ସରପଞ୍ଚ ଦୀପ୍ତି ସାହୁ, ସମାଜସେବୀ ଦେବ ରଞ୍ଜନ ସାହୁ, ଟୁକୁନ ହୋତା, ବରିଷ୍ଠ ସାମ୍ବାଦିକ ସୁବାସ ମହାପାତ୍ର, ଶିଶୁ ସାହିତ୍ୟିକ ଶ୍ରୀଧର ମହାରଣା, କାଉନସିଲର କୃଷ୍ଣଚନ୍ଦ୍ର ରଣା, ଛାତ୍ରନେତା ପ୍ରସନ୍ନଜିତ ସାହୁ, ବ୍ୟବସାୟୀ ଜୟ ନାରାୟଣ ସାହୁ, ଅକ୍ଷୟ ସାମଲ, ଜ୍ୟୋତିର୍ବିଦ କୈଳାଶ ନାୟକ, ସୌମ୍ୟ ରଞ୍ଜନ ସାହୁ, ଶାଶ୍ୱତ ରଞ୍ଜନ ସାହୁ, ଦାମୋଦର ସାହୁ, ଆଦିତ୍ୟ ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆନନ୍ଦପୁର ଅଞ୍ଚଳରେ ମଦ ବିରୋଧରେ ଆନ୍ଦୋଳନ କରୁଥିବା ମହିଳା ଗୁଣ୍ଠି ଦଳେଇ, ବାସନ୍ତୀ ଦେହୁରୀ, ସୁମ ଦଳେଇ, ବସନ୍ତ ଦେହୁରୀ, ସରୋଜ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ସମାସ ଷଡ଼ଙ୍ଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

You may have missed