September 5, 2026

ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ମାତୃବିୟୋଗ ଶୁଭ ନାଏକଙ୍କ ବିୟୋଗରେ ଚାରିଆଡ଼େ ଶୋକ

IMG-20260905-WA0056
Share

ସମ୍ବଲପୁର, ୦୫.୦୯: ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ମା’ ଶୁଭ ନାଏକଙ୍କ ଭୁବନେଶ୍ୱରଠାରେ ୮୪ ବର୍ଷ ବୟସରେ ପରଲୋକ ଘଟିଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ତାଙ୍କର ଚିକିତ୍ସା ଚାଲିଥିଲା। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଗତ କିଛିଦିନ ଧରି ଅସୁସ୍ଥ ଥିବା ଶୁଭ ନାଏକ ଚିକିତ୍ସା ପାଇଁ ଖଣ୍ଡୋକଟାରୁ ଭୁବନେଶ୍ୱର ଯାଇଥିଲେ। ପରଲୋକ ସମୟରେ ତାଙ୍କ ବଡ଼ପୁଅ ମହେନ୍ଦ୍ର ନାଏକ, ମଝିଆ ପୁଅ ତଥା ମନ୍ତ୍ରୀ ରବି ନାରାୟଣ ନାଏକ, ସାନପୁଅ ଗିରିନ୍ଦ୍ର ନାଏକ, ତିନି ବୋହୂ ଓ ନାତି-ନାତୁଣୀ ଉପସ୍ଥିତ ଥିଲେ।ଭୁବନେଶ୍ୱରରୁ ମରଶରୀର ଖଣ୍ଡୋକଟାସ୍ଥିତ ନିଜ ବାସଭବନରେ ପହଞ୍ଚିବା ପରେ ଶେଷ ଦର୍ଶନ ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା। ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପିର ବରିଷ୍ଠ ନେତା ଗିରିଶ ପଟେଲ, ଜୟବ୍ରତ ଦେ, କୁଚିଣ୍ଡା ଏନଏସି ଅଧ୍ୟକ୍ଷ ବିଦ୍ୟୁତ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ଜ୍ୟୋତି ଲାଠ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁଶୀଲ କର, ବିଭୁତି କଲ୍ୟାଣ ପଟେଲ, ବିଭିନ୍ନ ବ୍ଲକର ବିଡିଓ, ମଣ୍ଡଳସ୍ତରୀୟ ନେତା ବିଷ୍ଣୁ ଅଗ୍ରୱାଲ, ରାଜକୁମାର ରକ୍ସା, ବାବୁଲୁ ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସେହିପରି ସମ୍ବଲପୁର ଶିଶୁ ମଙ୍ଗଳ ସମିତିର ସଦସ୍ୟ ଡା. ରାଜାରାମ ଷଡ଼ଙ୍ଗୀ, ସୁଧୀର ବହିଦାରଙ୍କ ସମେତ ବହୁ ଶୁଭେଚ୍ଛୁ ଓ ସମର୍ଥକ ଶୁଭ ନାଏକଙ୍କ ଶେଷ ଦର୍ଶନ କରି ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।ସନ୍ଧ୍ୟାରେ ଖଣ୍ଡୋକଟା ଶ୍ମଶାନଘାଟରେ ମନ୍ତ୍ରୀ ରବି ନାରାୟଣ ନାଏକ ଓ ତାଙ୍କ ଅନ୍ୟ ଦୁଇ ପୁଅଙ୍କ ଉପସ୍ଥିତିରେ ଶୁଭ ନାଏକଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା।

ଶୁଭ ନାଏକଙ୍କୁ ସମାଜ ସଂସ୍କାରକ ଓ ଆଦର୍ଶବାଦୀ ମହିଳା ଭାବେ ସ୍ମରଣ

ଶୁଭ ନାଏକଙ୍କ ବିୟୋଗରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଦୁଃଖ ଓ ଶୋକ ପ୍ରକାଶ କରିଛନ୍ତି। ନିଜ ଶୋକବାର୍ତ୍ତାରେ ସେ କହିଛନ୍ତି ଯେ, ଶୁଭ ନାଏକଙ୍କ ବିୟୋଗ ଖବର ଶୁଣି ସେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ସେ ଜଣେ ସମାଜ ସଂସ୍କାରକ ଓ ଆଦର୍ଶବାଦୀ ମହିଳା ଥିଲେ। ତାଙ୍କ ସ୍ନେହପୂର୍ଣ୍ଣ ବ୍ୟବହାର, ସଂସ୍କାର ଓ ଆଶୀର୍ବାଦ ଚିରସ୍ମରଣୀୟ ହୋଇରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।ରାଜସ୍ୱ ଓ ପ୍ରଶମନ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଶୋକ ପ୍ରକାଶ କରି କହିଛନ୍ତି ଯେ, ଦୀର୍ଘ ରାଜନୈତିକ ଜୀବନରେ କୁଚିଣ୍ଡା ଗସ୍ତ ସମୟରେ ଖଣ୍ଡୋକଟା ଗ୍ରାମରେ ଶୁଭ ନାଏକଙ୍କ ସ୍ନେହ ଓ ସାନ୍ନିଧ୍ୟ ପାଇବାର ସୁଯୋଗ ମିଳିଥିଲା। ସେ ଜଣେ ସରଳ, ସ୍ନେହୀ ଓ ଆଦରଦାତ୍ରୀ ମହିଳା ଥିଲେ ବୋଲି ଶ୍ରୀ ପୂଜାରୀ ସ୍ମରଣ କରିଛନ୍ତି।

ଏଥିସହ ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଏହି ଦୁଃଖଦ ସମୟରେ ପରିବାରବର୍ଗଙ୍କୁ ଅସୀମ ସାହସ ଓ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସମଲେଶ୍ୱରୀଙ୍କ ନିକଟରେ ସେ ପ୍ରାର୍ଥନା କରିଛନ୍ତି।