August 31, 2026

ପାତ୍ରପୁର ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ…

IMG-20260831-WA0060
Share

 

 

ଚିକିଟି (ଶୁଭଶ୍ରୀ ପ୍ରଧାନ)ପାତ୍ରପୁରକୁ ନୂତନ ଏନ୍‌ଏସି ଘୋଷଣା ପରେ ପ୍ରଥମ ଥର ପାଇଁ ଜାତୀୟ ସ୍ୱାୟତ୍ତ ଶାସନ ଦିବସ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଛି। ଏହି ଅବସରରେ ଏନ୍‌ଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ସହ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଆଜିର ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ପ୍ରଥମେ ମା’ କୁଠାରୀଶ୍ଵରିଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଆଜ୍ଞାମାଳ ନେଇ ବାଦ୍ୟବାଜଣା ସହ ଏକ ବିରାଟ ଶୋଭାଯାତ୍ରା ବାହାରି ଏନ୍‌ଏସି କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା। କାର୍ଯ୍ୟାଳୟ ପରିସରରେ ଆୟୋଜିତ ସଭାରେ ସ୍ଥାନୀୟ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ସଭାରେ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ ଚରଣ ସୋରେନ, ମେଡିକାଲ ଅଧିକାରୀ ଡା. ସମ୍ବିତ ବେଗରାୟ, ବିଇଓ ସୀତାରାମ ପାତ୍ର, ସିଡିପିଓ ନମିତା ପଣ୍ଡା ପ୍ରମୁଖ ମଞ୍ଚାସୀନ ହୋଇ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ବିଭାଗୀୟ ଅଧିକାରୀ, ସାମ୍ବାଦିକ, ବିଭିନ୍ନ ସଂଘର ସଭାପତି, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ ଓ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ପାତ୍ରପୁର ଏନ୍‌ଏସିର ବିକାଶ ପାଇଁ ଜନସାଧାରଣଙ୍କ ସହଯୋଗ ଅତ୍ୟନ୍ତ ଆବଶ୍ୟକ ବୋଲି ବିଧାୟକ କହିବା ସହ ଏନ୍‌ଏସିର ସର୍ବାଙ୍ଗୀଣ ଉନ୍ନତିରେ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ। ବିଏସ୍‌ଏସ୍‌ଓ ସ୍ନେହାଶିଷ ପଟ୍ଟନାୟକ ଓ ଯୋଗାଣ ଅଧିକାରୀ ପଦ୍ମେଶ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏନ୍‌ଏସିର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଅନ୍ୟପକ୍ଷରେ ଅପରାହ୍ନରେ ବ୍ରହ୍ମପୁର ଲୋକସଭା ସାଂସଦ ପ୍ରଦୀପ ପାଣିଗ୍ରାହୀ ଓ ସ୍ଥାନୀୟ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ଦ୍ୱାରା ପାତ୍ରପୁର ଏନ୍‌ଏସି ଅଞ୍ଚଳରେ ଏକାଧିକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଗୁଲା ସାହି ଓ ଦେଶୀ ବେହେରା ସାହିରେ ଦୁଇଟି କୋଠଘର, ବାରିକ ସାହିରେ ସାଂସ୍କୃତିକ ମଣ୍ଡପ, ନୋଡାଲ ବିଦ୍ୟାପୀଠରେ ବ୍ୟାୟାମ କେନ୍ଦ୍ର ଏବଂ କରୁଣାକର ବିଦ୍ୟାପୀଠରେ ନୂତନ ଶ୍ରେଣୀଗୃହ ଉଦ୍‌ଘାଟନ କରାଯାଇଥିଲା। ସେହିପରି ମୁକୁନ୍ଦପୁର କଲ୍ୟାଣ ମଣ୍ଡପ ଓ ବମକେଇ ବିଦ୍ୟାଳୟର ଶ୍ରେଣୀଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପାତ୍ରପୁର ଏନ୍‌ଏସି ସମେତ ବିଭିନ୍ନ ପଞ୍ଚାୟତର ବହୁ ନେତା, କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ। ନୂତନ ଏନ୍‌ଏସି ଭାବେ ପାତ୍ରପୁରର ପ୍ରଥମ ସ୍ୱାୟତ୍ତ ଶାସନ ଦିବସ ପାଳନ ଓ ନୂତନ ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା।

You may have missed