ସଂଘର୍ଷରୁ ସଫଳତା….। ବଜରଙ୍ଗୀ ଡ୍ରାଇଭିଂ ସ୍କୁଲ ଜରିଆରେ ଏକ ହଜାର ଯୁବକଙ୍କ ସ୍ୱପ୍ନର ସାରଥୀ ସାଜିଛନ୍ତି ମନୋଜ ଜେନା….।

ଜଗତସିଂହପୁର, ୨୯/୦୬/୨୬
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ଦୃଢ଼ ସଂକଳ୍ପ, ଅକ୍ଲାନ୍ତ ପରିଶ୍ରମ ଓ ସଫଳ ହେବାର ଇଚ୍ଛାଶକ୍ତି ଥିଲେ ଜଣେ ସାଧାରଣ ଯୁବକ ମଧ୍ୟ ସମାଜ ପାଇଁ ଅସାଧାରଣ ଉଦାହରଣ ସୃଷ୍ଟି କରିପାରନ୍ତି । ଏହି କଥାକୁ ବାସ୍ତବରେ ପ୍ରମାଣ କରିଛନ୍ତି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ମିର୍ଜାପୁର ଗ୍ରାମର ଯୁବ ଉଦ୍ୟୋଗୀ ମନୋଜ ଜେନା । ନିଜ ଜୀବନର ସଂଘର୍ଷକୁ ସଫଳତାର ସିଢ଼ିରେ ପରିଣତ କରି ୨୦୦୮ ମସିହାରେ ଭୁବନେଶ୍ୱର ର ମଞ୍ଚେଶ୍ୱରଠାରେ ପ୍ରତିଷ୍ଠା କରିଥିବା ବଜରଙ୍ଗୀ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ଆଜି ୧୮ ବର୍ଷର ସଫଳ ଯାତ୍ରା ପୂରଣ କରି ହଜାର ହଜାର ଯୁବକ-ଯୁବତୀଙ୍କ ସ୍ୱପ୍ନକୁ ସାକାର କରିବାରେ ସାରଥୀ ପାଲଟିଛି ।
ସାଧାରଣ ପରିବାରରେ ଜନ୍ମିତ ମନୋଜ ପିଲାଦିନରୁ ମେଧାବୀ ଓ ପରିଶ୍ରମୀ ଥିଲେ । ୨୦୦୪ ମସିହାରେ ମାଟ୍ରିକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ସେ ନିଜ ପ୍ରତିଭାର ପରିଚୟ ଦେଇଥିଲେ । ପିତା ସୁଦାମ ଜେନା କୋଲକାତାର ଏକ ଘରୋଇ କମ୍ପାନୀରେ କାମ କରି ପରିବାର ଚଳାଉଥିବା ବେଳେ ଆର୍ଥିକ ସ୍ଥିତି ଅତ୍ୟନ୍ତ ସାଧାରଣ ଥିଲା । ତଥାପି ଅଭାବ ତାଙ୍କ ସ୍ୱପ୍ନକୁ କେବେ ବାଧା ଦେଇନଥିଲା । ତିର୍ତ୍ତୋଲର ଆଦିକବି ସାରଳା ଦାସ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିବା ପରେ ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ୱର ଯାଇଥିଲେ । ସେଠାରେ ଟ୍ୟୁସନ କରି ନିଜ ପାଠପଢ଼ା ଓ ଖର୍ଚ୍ଚ ବହନ କରି ଆତ୍ମନିର୍ଭରଶୀଳତା ର ଉଦାହରଣ ସୃଷ୍ଟି କରିଥିଲେ ।
ଯୁକ୍ତ ତିନି ପଢ଼ୁଥିବା ସମୟରେ ତାଙ୍କ ମନରେ ଜନ୍ମ ନେଇଥିଲା ଏକ ନୂଆ ସ୍ୱପ୍ନ । ନିଜେ ଚାକିରି କରିବା ଅପେକ୍ଷା ଅନ୍ୟମାନଙ୍କ ପାଇଁ ରୋଜଗାର ର ସୁଯୋଗ ସୃଷ୍ଟି କରିବାକୁ ସେ ନିଷ୍ପତ୍ତି ନେଇଥିଲେ । ସେହି ଲକ୍ଷ୍ୟ ନେଇ ୨୦୦୮ ମସିହାରେ ଭୁବନେଶ୍ୱରରେ ବଜରଙ୍ଗୀ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ପ୍ରତିଷ୍ଠା କରିଥିଲେ । ପରବର୍ତ୍ତୀ ସମୟରେ ୨୦୧୭ ମସିହା ରେ ରାହାମା ଏବଂ ୨୦୧୮ରେ ପାରାଦ୍ୱୀପର ବଡ଼ପଡ଼ିଆରେ ଆଉ ଦୁଇଟି ଶାଖା ଖୋଲି ଜଗତସିଂହପୁର ଜିଲ୍ଲାରେ ଡ୍ରାଇଭିଂ ପ୍ରଶିକ୍ଷଣକୁ ଏକ ନୂଆ ପରିଚୟ ଦେଇଛନ୍ତି । ତେବେ ଏହି ସଫଳତାର ରାସ୍ତା ସହଜ ନଥିଲା । ଉଚ୍ଚଶିକ୍ଷା ହାସଲ କରି ଚାକିରି ନ କରି ଡ୍ରାଇଭିଂ ଟ୍ରେନିଂ ସଂସ୍ଥା ଆରମ୍ଭ କରିବା ପରେ ସମାଜର ଅନେକ ଲୋକ ତାଙ୍କୁ କଟାକ୍ଷ କରିଥିଲେ । “ଏତେ ପାଠ ପଢ଼ି ଶେଷରେ ଡ୍ରାଇଭିଂ ସ୍କୁଲ କରୁଛି”, “ପାଠପଢ଼ା ବେକାର ହୋଇଗଲା” ଭଳି ବିଭିନ୍ନ ଟିପ୍ପଣୀ ଶୁଣିବାକୁ ପଡ଼ିଥିଲା । କିନ୍ତୁ ଏହି ସମାଲୋଚନା ତାଙ୍କ ମନୋବଳକୁ ଦୁର୍ବଳ କରିପାରିନଥିଲା । ବରଂ ସେ ନିଜ ଲକ୍ଷ୍ୟରେ ଅଧିକ ଦୃଢ଼ ହୋଇ ଆଗକୁ ବଢ଼ିଥିଲେ । ସଂଘର୍ଷ ମଧ୍ୟରେ ଆଉ ଏକ ବଡ଼ ପରୀକ୍ଷା ଆସିଥିଲା । ଭୁବନେଶ୍ୱର ଶାଖାରୁ ରାହାମା ଫେରୁଥିବା ବେଳେ କଟକ–ପାରାଦ୍ୱୀପ ମୁଖ୍ୟ ରାସ୍ତାରେ ଏକ ଟ୍ରକ ବିପରୀତ ଦିଗରୁ ଆସି ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା । ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇ ପ୍ରାୟ ଦେଢ଼ ମାସ ଶଯ୍ୟାଶାୟୀ ରହିଥିଲେ । ଏହି ଘଟଣା ପରେ ତାଙ୍କ ବାପା ଓ ମା’ ସୁରକ୍ଷା ଦୃଷ୍ଟିରୁ ଏହି ବ୍ୟବସାୟ ବନ୍ଦ କରିଦେବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ମନୋଜ ହାର ମାନି ନଥିଲେ । ସୁସ୍ଥ ହେବା ପରେ ପୁଣି ଥରେ ସେ ନୂଆ ଉତ୍ସାହରେ ଭୁବନେଶ୍ୱର ଫେରି ସଂସ୍ଥାକୁ ଆଗକୁ ବଢ଼ାଇବାରେ ଲାଗି ପଡ଼ିଥିଲେ । ବର୍ତ୍ତମାନ ରାହାମା ଓ ପାରାଦ୍ୱୀପ ଶାଖାରେ ପ୍ରତିମାସ ପ୍ରାୟ ୪୦ ରୁ ୫୦ ଜଣ ପ୍ରଶିକ୍ଷାର୍ଥୀ ଗାଡ଼ି ଚାଳନା ଶିଖୁଛନ୍ତି । ଏଥିରେ ଯୁବକ-ଯୁବତୀ, ମହିଳା, କଲେଜ ଛାତ୍ରଛାତ୍ରୀ, କର୍ମଚାରୀ ଓ ବିଭିନ୍ନ ବୃତ୍ତିର ଲୋକ ସାମିଲ ହେଉଛନ୍ତି । କେହି ବ୍ୟକ୍ତିଗତ ଆବଶ୍ୟକତା ପାଇଁ ଗାଡ଼ି ଚଳାଇବା ଶିଖୁଥିବା ବେଳେ, ଅନେକ ଯୁବକ ଏଠାରୁ ପ୍ରଶିକ୍ଷଣ ଓ ଡ୍ରାଇଭିଂ ଲାଇସେନ୍ସ ପାଇ ବୃତ୍ତିଗତ ଡ୍ରାଇଭର ଭାବେ କାମ କରି ନିଜ ପରିବାରର ଆର୍ଥିକ ମେରୁଦଣ୍ଡ ସାଜିଛନ୍ତି । ସଂସ୍ଥାର ଅନ୍ୟତମ ବିଶେଷତ ହେଉଛି ଆରଟିଓ ନିୟମାବଳୀ ଅନୁଯାୟୀ ବ୍ୟବହାରିକ ପ୍ରଶିକ୍ଷଣ । S, L ଓ U ଟ୍ରାକ୍ ସହ କୋନ୍ ବ୍ୟବସ୍ଥାରେ ରିଭର୍ସ ଡ୍ରାଇଭିଂ ସମେତ ସମସ୍ତ ପ୍ରକାରର କୌଶଳ ଶିଖାଯାଉଛି । ଏହା ସହ ଜଗତସିଂହପୁର, କଟକ ଓ ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ମାଧ୍ୟମରେ ସହଜ ଓ ସୁଲଭ ମୂଲ୍ୟରେ ଡ୍ରାଇଭିଂ ଲାଇସେନ୍ସ କରାଇବାର ସୁବିଧା ମଧ୍ୟ ମିଳୁଛି । ପ୍ରଶିକ୍ଷକ ମାନଙ୍କ ଧୈର୍ଯ୍ୟଶୀଳ ଓ ବନ୍ଧୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ପଦ୍ଧତି ଯୋଗୁଁ ପୂର୍ବରୁ କୌଣସି ଅନୁଭବ ନଥିବା ବ୍ୟକ୍ତି ମଧ୍ୟ ଅଳ୍ପ ସମୟ ମଧ୍ୟରେ ଆତ୍ମବିଶ୍ୱାସର ସହ ଗାଡ଼ି ଚଳାଇବା ଶିଖିପାରୁଛନ୍ତି । ଗତ ୧୮ ବର୍ଷ ମଧ୍ୟରେ ପ୍ରାୟ ୩ ହଜାରରୁ ଅଧିକ ଯୁବକ-ଯୁବତୀ ବଜରଙ୍ଗୀ ଡ୍ରାଇଭିଂ ଟ୍ରେନିଂ ସ୍କୁଲରୁ ପ୍ରଶିକ୍ଷଣ ନେଇ ସ୍ୱାବଲମ୍ବୀ ହୋଇ ପାରିଛନ୍ତି । ରାହାମା, ତିର୍ତ୍ତୋଲ, କୁଜଙ୍ଗ, ରଘୁନାଥପୁର, ପାରାଦ୍ୱୀପ ସମେତ ବିଭିନ୍ନ ଅଞ୍ଚଳର ଶତାଧିକ ପରିବାର ଏହି ସଂସ୍ଥା ମାଧ୍ୟମରେ ପରୋକ୍ଷ ଭାବେ ଉପକୃତ ହୋଇଛନ୍ତି । ସଂଘର୍ଷ, ସମାଲୋଚନା, ଆର୍ଥିକ ଅଭାବ ଓ ମୃତ୍ୟୁ ମୁଖରୁ ଫେରି ଆସିଥିବା ଏକ ଦୁର୍ଘଟଣା ଏହି ସବୁ ପ୍ରତିକୂଳତାକୁ ପଛରେ ପକାଇ ଆଜି ମନୋଜ ଜେନା କେବଳ ଜଣେ ସଫଳ ଉଦ୍ୟୋଗୀ ନୁହେଁ, ବରଂ ଗ୍ରାମାଞ୍ଚଳର ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ପ୍ରତୀକ ଓ ସ୍ୱାବଲମ୍ବନର ସାରଥୀ ଭାବେ ପରିଚିତ । ତାଙ୍କ ଜୀବନ କାହାଣୀ ପ୍ରମାଣ କରେ, ସ୍ୱପ୍ନ ଦେଖିବା ସହ ସେଥିପାଇଁ ପରିଶ୍ରମ କଲେ, ସଫଳତା ନିଶ୍ଚିତ ଭାବେ ମିଳିଥାଏ ।
