June 27, 2026

ନବରଙ୍ଗପୁର ଜିଲ୍ଲା ରାଇଘର ରେ ଗୋ ଚାଷୀଙ୍କଠାରୁ ୮୦ ହଜାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପ୍ରାଣୀଧନ ନିରୀକ୍ଷକ……….

IMG-20260627-WA0057
Share

 

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ସବସିଡି ନାଁରେ ଦାବି କରିଥିଲେ ଲାଞ୍ଚ, ଦୁଇ ସ୍ଥାନରେ ଚଢ଼ାଉ, ଜଣେ ଗୋ ଚାଷୀଙ୍କଠାରୁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ପ୍ରାଣୀଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ, ସରକାରୀ ଯୋଜନାର ସୁବିଧା ପାଇବା ପାଇଁ ହିତାଧିକାରୀଙ୍କୁ ଲାଞ୍ଚ ଦେବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ପୁଣିଥରେ ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ରାଇଘର ବ୍ଲକ ଅନ୍ତର୍ଗତ ଗୁରୁସିଂହା ଗ୍ରାମର ଗୋ ଚାଷୀ ତଥା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ହିତାଧିକାରୀ ବଂଶୀଲାଲ ଗଣ୍ଡ ଯୋଜନାର ସବସିଡି ରାଶି ପାଇବାକୁ ଯୋଗ୍ୟ ଥିଲେ। କିନ୍ତୁ ସବସିଡି ଅର୍ଥ ଛାଡ଼ କରିବା ପାଇଁ ପ୍ରାଣୀଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର ତାଙ୍କଠାରୁ ୮୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ନଦେଲେ ସବସିଡି ଟଙ୍କା ଅଟକାଇ ଦେବା ସହ ଗ୍ରାମର ଅନ୍ୟ ହିତାଧିକାରୀଙ୍କ ସବସିଡି ମଧ୍ୟ ବନ୍ଦ କରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅତିଷ୍ଠ ହୋଇ ବଂଶୀଲାଲ ଗଣ୍ଡ କୋରାପୁଟ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗର ସତ୍ୟତା ଯାଞ୍ଚ ପରେ ଭିଜିଲାନ୍ସ ଅଧିକାରୀମାନେ ଏକ ସୁଚିନ୍ତିତ ଫାନ୍ଦ ପକାଇଥିଲେ। ଶୁକ୍ରବାର ହିତାଧିକାରୀଙ୍କ ଘରେ ପ୍ରଫୁଲ୍ଲ ହାଲଦାର ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ହଠାତ୍ ଚଢ଼ାଉ କରି ତାଙ୍କୁ ରେଡ୍‌ହ୍ୟାଣ୍ଡେଡ୍ ଗିରଫ କରିଥିଲା। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୮୦ ହଜାର ଟଙ୍କା ଜବତ କରାଯାଇଛି। ରାସାୟନିକ ପରୀକ୍ଷାରେ ମଧ୍ୟ ଲାଞ୍ଚ ଟଙ୍କା ସ୍ପର୍ଶ କରିଥିବା ପ୍ରମାଣ ମିଳିଥିବା ସୂଚନା ରହିଛି। ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ତାଙ୍କ ଆୟବହିର୍ଭୂତ ସମ୍ପତ୍ତି ରହିଛି କି ନାହିଁ, ସେନେଇ ଖୋଳତାଡ଼ ଜାରି ରହିଛି। ବ୍ୟାଙ୍କ ଖାତା, ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସମ୍ପର୍କିତ ଦଲିଲପତ୍ର ମଧ୍ୟ ଯାଞ୍ଚ କରାଯାଉଛି। ଏହି ଚଢ଼ାଉରେ କୋରାପୁଟ ଓ ନବରଙ୍ଗପୁର ଭିଜିଲାନ୍ସର ଦୁଇଟି ସ୍ୱତନ୍ତ୍ର ଟିମ୍ ସାମିଲ ହୋଇଥିଲେ। ଭିଜିଲାନ୍ସ ଡିଏସପି ଜୟଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ସମଗ୍ର ଅପରେସନ୍ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଘଟଣା ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଥିବାବେଳେ, ଅଭିଯୁକ୍ତଙ୍କୁ ଆଇନ ଅନୁଯାୟୀ ଅଦାଲତରେ ହାଜର କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।

ସରକାରଙ୍କ କୃଷକ ଓ ପଶୁପାଳକ କଲ୍ୟାଣମୂଳକ ଯୋଜନାର ସୁବିଧା ପାଇବାକୁ ଆସୁଥିବା ହିତାଧିକାରୀଙ୍କଠାରୁ ଲାଞ୍ଚ ଦାବି ଭଳି ଘଟଣା ପୁଣିଥରେ ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭିଜିଲାନ୍ସର ଏହି କାର୍ଯ୍ୟାନୁଷ୍ଠାନ ଦୁର୍ନୀତି ବିରୋଧରେ କଡ଼ା ବାର୍ତ୍ତା ଦେଇଥିବାବେଳେ, ଘଟଣାକୁ ନେଇ ସମଗ୍ର ନବରଙ୍ଗପୁର ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।

You may have missed