June 25, 2026

ଉଠା ଜଳସେଚନ ପ୍ରକଳ୍ପ ଅଚଳ, ବିଦ୍ୟୁତ ସଂଯୋଗ ଅପେକ୍ଷାରେ ଚାଷୀ  

IMG-20260625-WA0053
Share

 

 

ବୁଗୁଡ଼ା : ତା ୨୫/୦୬/୨୬ : କୃଷି କ୍ଷେତ୍ରରେ ବିକାଶ ଏବଂ କୃଷକର କଲ୍ୟାଣ କଳ୍ପେ ସରକାର ଅନେକ ଯୋଜନା କରିବା ସହ ଚାଷୀମାନଙ୍କୁ ବର୍ଷସାରା ଜଳସେଚନ ସୁବିଧା ଯୋଗାଇବା ଲକ୍ଷ୍ୟରେ ମୋଟାବାଡିରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇନଥିବାରୁ ତାହା ଅଚଳ ହୋଇ ପଡ଼ିଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ଚାଷୀମାନେ ଚାଷ କାର୍ଯ୍ୟ ପାଇଁ ପାଣି ପାଉନଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପଞ୍ଚାୟତର ୧୬ ଜଣ ଚାଷୀ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୩ଟି କ୍ଲଷ୍ଟର ମାଧ୍ୟମରେ ୨୦,୦୦୦ ଟଙ୍କା ଲେଖାଏଁ ଜମା କରିବା ପରେ ବୋରୱେଲ ଖୋଳାଯାଇଥିଲା । ଗତ ୨୦୨୨ ମସିହାରୁ ପ୍ରକଳ୍ପର ନିର୍ମାଣ କାମ ଶେଷ ହୋଇଥିଲେ ହେଁ ବିଦ୍ୟୁତ ସଂଯୋଗ ଅଭାବରୁ ମୋଟର ଚାଲୁ ହୋଇପାରୁନାହିଁ। ଚାଷ ଋତୁ ଆରମ୍ଭ ହୋଇଥିବା ବେଳେ ଜଳସେଚନ ସୁବିଧା ନ ମିଳିବାରୁ ଧାନ ସମେତ ଅନ୍ୟାନ୍ୟ ଫସଲ ଚାଷ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଏ ନେଇ ଚାଷୀମାନେ ଗଞ୍ଜାମ ଜିଲ୍ଲାପାଳ, ବିଭାଗୀୟ ଯନ୍ତ୍ରୀ, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳୁନାହିଁ । ଫଳରେ ଚିନ୍ତାରେ ଥିବା ଚାଷୀମାନେ ଏହାର ତୁରନ୍ତ ପ୍ରତିକାର ବ୍ଯବସ୍ଥା ନିମନ୍ତେ ଦାବି କରିଛନ୍ତି, ଅନ୍ଯଥା ସେମାନେ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଥିବା ଜଣାଯାଇଛି।