ମନ୍ କି ବାତ୍ରେ ଡେବ୍ରିଗଡ଼ର ମୈଥିଲି ଭୁଏଙ୍କୁ ପ୍ରଶଂସା ଜଙ୍ଗଲ ଉତ୍ପାଦ ସଂଗ୍ରହରୁ ଇକୋ-ଟୁରିଜମ୍, ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ମୈଥିଲି
ସମ୍ବଲପୁର, ୩୦/୮: ସମ୍ବଲପୁର ଜିଲ୍ଲାର ଡେବ୍ରିଗଡ଼ ଅଞ୍ଚଳର ମୈଥିଲି ଭୁଏଙ୍କ ପ୍ରେରଣାଦାୟୀ ଯାତ୍ରାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍’ର ୧୩୭ତମ ଅଧ୍ୟାୟରେ ଉଚ୍ଚ ପ୍ରଶଂସା କରିଛନ୍ତି। ଡେବ୍ରିଗଡ଼ ଅଞ୍ଚଳର ଧୋଡ୍ରୋକୁସୁମ ଗାଁର ମୈଥିଲି କିଛି ବର୍ଷ ପୂର୍ବରୁ ପ୍ରାୟ ପ୍ରତିଦିନ ଜଙ୍ଗଲକୁ ଯାଇ ଜାଳେଣି କାଠ, ମହୁଆ ଫୁଲ, କେନ୍ଦୁପତ୍ର, ବାଉଁଶ କୋରଡ଼ ଓ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରୁଥିଲେ।
ପରବର୍ତ୍ତୀ ସମୟରେ ସେ ଡେବ୍ରିଗଡ଼ ଇକୋ-ଟୁରିଜମ୍ ସହିତ ଯୋଡ଼ି ହୋଇଥିଲେ। ଏହାପରେ ଜଙ୍ଗଲ ସହ ତାଙ୍କ ସମ୍ପର୍କରେ ଏକ ନୂଆ ପରିବର୍ତ୍ତନ ଆସିଥିଲା। ଜଙ୍ଗଲରୁ ଜୀବିକା ନିର୍ବାହ କରୁଥିବା ମୈଥିଲି ପରବର୍ତ୍ତୀ ସମୟରେ ଜଙ୍ଗଲ ସଂରକ୍ଷଣକୁ ମଧ୍ୟ ନିଜ ଜୀବିକାର ଏକ ମାଧ୍ୟମ ଭାବେ ଗ୍ରହଣ କରିଥିଲେ।ମୈଥିଲିଙ୍କ ଏହି ପରିବର୍ତ୍ତନ ଅନ୍ୟ ମହିଳାଙ୍କୁ ମଧ୍ୟ ପ୍ରେରଣା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କହିବା ଅନୁସାରେ, ବର୍ତ୍ତମାନ ୬୦ରୁ ଅଧିକ ମହିଳା ଜଙ୍ଗଲ ସଂରକ୍ଷଣ ସହିତ ସକ୍ରିୟ ଭାବେ ଜଡ଼ିତ ଅଛନ୍ତି। କେତେକ ମହିଳା ବନ୍ୟଜନ୍ତୁ ସୁରକ୍ଷାରେ, କେତେକ ଘାସଭୂମି ବିକାଶରେ ଏବଂ ଅନ୍ୟମାନେ ଇକୋ-ଟୁରିଜମ୍ କାର୍ଯ୍ୟରେ ଯୋଗଦାନ କରୁଛନ୍ତି।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୈଥିଲି ଭୁଏ ଓ ଡେବ୍ରିଗଡ଼ର ଅନ୍ୟ ମହିଳାମାନେ ପ୍ରକୃତି ସୁରକ୍ଷା ସହିତ ଜୀବନରେ ସମୃଦ୍ଧି ହାସଲ କରିବା ସମ୍ଭବ ବୋଲି ପ୍ରମାଣ କରିଛନ୍ତି। ସେମାନଙ୍କ ଉଦ୍ୟମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସେ ଉଲ୍ଲେଖ କରିଛନ୍ତି।ଡେବ୍ରିଗଡ଼ର ଏହି ଉଦାହରଣ ଜୀବିକା, ମହିଳା ସଶକ୍ତୀକରଣ ଓ ପରିବେଶ ସଂରକ୍ଷଣକୁ ଏକାଠି କରିବାର ଏକ ସଫଳ ମଡେଲ୍ ଭାବେ ଚର୍ଚ୍ଚାକୁ ଆସିଛି।
ଫଟୋ କ୍ୟାପସନ
“ଡେବ୍ରିଗଡ଼ର ମୈଥିଲି ଭୁଏ ଜଙ୍ଗଲରୁ ଜୀବିକା, ଜଙ୍ଗଲ ସୁରକ୍ଷାରୁ ନୂଆ ପରିଚୟ; ‘ମନ୍ କି ବାତ୍’ରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା”
